ଫାଣ୍ଡିରେ ଭଙ୍ଗାରୁଜା, ଭାଙ୍ଗିଦେଲେ ୨ ଗାଡି

ସୁନ୍ଦରଗଡ଼ : ଗତକାଲି ସଂଗଠିତ ସଡ଼କ ଦୁର୍ଘଟଣାରେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁକୁ ନେଇ କନିକା ଫାଣ୍ଡି ଅନ୍ତର୍ଗତ ଆଖପାଖ ଅଞ୍ଚଳରେ ଚାପା ଉତ୍ତେଜନା ଜାରି ରହିଥିବା ବେଳେ ରାସ୍ତାରୋକ କରାଯାଇଥିଲା ହେଲେ ସନ୍ଧ୍ୟାରେ ଚାପା ଉତ୍ତେଜନା ଉଗ୍ର ରୂପ ଧାରଣ କରିଥିବା ଜଣାପଡ଼ିଛି । ସ୍ଥାନୀୟ ଉତ୍ତ୍ୟକ୍ତ ଲୋକେ କନିକା ଫାଣ୍ଡିରେ ତାଲା ମାରିବା ସହ ଫାଣ୍ଡି ସମ୍ମୁଖରେ ଠିଆ ହୋଇଥିବା ପୁଲିସର ଗୋଟିଏ ବୋଲେରୋ, ଗୋଟିଏ ଟାଟା ସୁମୋ ଗାଡ଼ିକୁ ଭାଙ୍ଗିରୁଜି ଫାଣ୍ଡି ଉପରକୁ ପଥରମାଡ଼ କରିଛି। ତାଲା ମାରିବା ବେଳେ ତା ଭିତରେ ଦୁଇ ଜଣ ପୁଲିସ ଅଧିକାରୀ ଅଟକ ରହିଥିବା ସୂଚନା ମିଳିଛି ।
ମିଳିଥିବା ସୂତ୍ରରୁ ପ୍ରକାଶ, ଗତକାଲି ସ୍କୋର୍ପିଓ ଧକ୍କାରେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ସ୍କୋର୍ପିଓକୁ ପ୍ରଥମେ କନିକା ଫାଣ୍ଡିକୁ ନେଇ ଆସିଥିଲେ । ପରେ ଏହାକୁ ହେମଗିର ଥାନାକୁ ସ୍ଥାନାନ୍ତର କରିଥିଲେ । ଫାଣ୍ଡିରୁ ଥାନାକୁ କାହିଁକି ସ୍ଥାନାନ୍ତର କଲ ଓ ସହର ମଧ୍ୟରେ ଗାଡ଼ି ଚଳାଚଳକୁ ନିୟନ୍ତ୍ରଣ କରିବା ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ ଜାରି ରଖିଥିବା ବେଳେ ହେମଗିର ତହସିଲଦାର ସୂର୍ୟ୍ୟ ନାଏକ ଓ ପୁଲିସ ଅଧିକାରୀ ଘଟଣାସ୍ଥଳରେ ଯାଇ ଲୋକଙ୍କୁ ବୁଝାସୁଝା କରିବାରେ ବିଫଳ ହୋଇଥିଲେ ହେଲେ ଆଲୋଚନା ଚାଲିଥିବା ବେଳେ ହଠାତ କିଛି ଉତ୍ତ୍ୟକ୍ତ ଲୋକ ଫାଣ୍ଡି ସମ୍ମୁଖରେ ଠିଆ ହୋଇଥିବା ଦୁଇ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ଫାଣ୍ଡିରେ ତାଲା ପକାଇଦେଇଥିଲେ । ଖବର ପାଇ ଏସ.ପି ସୌମ୍ୟା ମିଶ୍ରା, ଅତିରିକ୍ତ ଏସ.ପି ରବିନାରାୟଣ ବାରିକ ପ୍ରମୁଖ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି ।

Comments are closed.