ଦାଦା ବଟି ମାଗିବା ଅଭିଯୋଗରେ ୩ ଯୁବକ କୋର୍ଟ ଚାଲାଣ

0

ବାଲିଚନ୍ଦ୍ରପୁର : ନିଜକୁ ଗ୍ୟାଙ୍ଗଷ୍ଟାର ସଦସ୍ୟ ଦର୍ଶାଇ ଜଣେ ବ୍ୟବସାୟୀଙ୍କ ଠାରୁ ପାଞ୍ଚ ଲକ୍ଷ ଟଙ୍କା ଦାଦା ବଟି ମାଗିବା ଅଭିଯୋଗରେ ବାଲିଚନ୍ଦ୍ରପୁର ପୁଲିସ ତିନି ଜଣ ଯୁବକଙ୍କୁ କୋର୍ଟଚାଲାଣ କରିବା ସହ ସେମାନଙ୍କ ନିକଟରୁ ଏକ ନକଲି ସିବିଆଇ ଅଧିକାରୀଙ୍କ ପରିଚୟ ପତ୍ର ସହ ମୋବାଇଲ ଓ ସିମ୍ କାର୍ଡ ଜବତ କରିଛି। ଏଥି ନେଇ ଥାନା ପକ୍ଷରୁ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା। ବାଲିଚନ୍ଦ୍ରପୁର ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ମୋବାଇଲକୁ ଗତ ୧୦ ତାରିଖରେ ଏକ କଲ ଆସିଥିଲା। ବ୍ୟବସାୟୀ ଜଣକ କଲ୍ ରିସିଭ କରିବା ପରେ କେହି ଜଣେ ଯୁବକ ନିଜକୁ ଗ୍ୟାଙ୍ଗଷ୍ଟର ଦର୍ଶାଇ ପାଞ୍ଚ ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲା। ଦାଦା ବଟି ନ ଦେଲେ ବ୍ୟବସାୟୀଙ୍କ ଭାଇ ଓ ବାଲିଚନ୍ଦ୍ରପୁର ସରସ୍ୱତୀ ଶିଶୁ ମନ୍ଦିରରେ ପଢୁଥିବା ପୁତୁରା ଝିଆରିକୁ ଉଠାଇ ନେଇ ହତ୍ୟା କରିଦିଆଯିବ ବୋଲି ବ୍ୟବସାୟୀଙ୍କୁ ଧମକ ଦିଆଯାଇଥିଲା। ଏଭଳି ଫୋନ କଲ୍ ପାଇ ବ୍ୟବସାୟୀ ଜଣଙ୍କ ଡରିଯାଇ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ରାକେଶ କୁମାର ତ୍ରିାପଠୀ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିବା ସହ ବିଭିନ୍ନ ଅଞ୍ଚଳରେ ଚଢାଉ କରିଥିଲେ।

ଫୋନ ଟ୍ରାକିଙ୍ଗ୍ କରି ଶନିବାର ମାହାଙ୍ଗା ଥାନା ଅନ୍ତର୍ଗତ ସାହାସପୁର ଗ୍ରାମର ଗୋବିନ୍ଦ ଚନ୍ଦ୍ର ବେହେରାଙ୍କ ପୁଅ କାଳିଆ ଓରଫ ଇନ୍ଦ୍ରଜିତ୍ (୨୩),ଲଳିତଗିରି ଗ୍ରାମର ହୃଶିିକେଶ ମହାରଣାଙ୍କ ପୁଅ ପିଣ୍ଟୁ ଓରଫ ପତିତପାବନ(୨୪) ଓ ହଳଦିଆପଡା ଗ୍ରାମର ମାନସ ବାରିକଙ୍କ ପୁଅ ବିକୁ ଓରଫ ବିଶ୍ୱ ରଞ୍ଜନ(୨୧)ଙ୍କୁ ଏହି ଥାନା ଅଞ୍ଚଳରୁ ଗିରଫ କରିଥିଲେ । ସେମାନଙ୍କ ନିକଟରୁ ଏକ ନମ୍ବର ବିହୀନ ବାଇକ,ଇନ୍ଦ୍ରଜିତ୍ ନାମରେ ଥିବା ଏକ ନକଲି ସବଆଇ ଅଧିକାରୀ ପରିଚୟ ପତ୍ର, ୭ ଗୋଟି ମୋବାଇଲ ଓ କିଛି ସିମ୍ କାର୍ଡ ଜବତ କରାଯାଇଥିଲା । ଗିରଫ ଯୁବକ ମାନେ ସେହି ବ୍ୟବସାୟୀଙ୍କୁ ଦାଦାବଟି ମାଗିଥିବା ପୁଲିସ ଆଗରେ ସ୍ୱୀକାର କରିଥିଲେ। ଥାନା ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯାଇ ଶନିବାର ତିନି ଯୁବକଙ୍କୁ କୋର୍ଟଚାଲାଣ କରାଯାଇଛି।

Leave A Reply