ପୋଲାଭରମ ମାମଲା: ସୁପ୍ରିମକୋର୍ଟରେ କେନ୍ଦ୍ରର ସାନି ସତ୍ୟପାଠ

0

ନୂଆଦିଲ୍ଲୀ : ପୋଲାଭରମ ପ୍ରକଳ୍ପ ଯୋଗୁଁ ଓଡ଼ିଶା ଏବଂ ଛତିଶଗଡ଼ର ପ୍ରଭାବିତ ଅଞ୍ଚଳରେ ଜନଶୁଣାଣି କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଯାହା ନିର୍ଦେଶ ଦେବେ କେନ୍ଦ୍ର ସରକାର ମାନିବେ ବୋଲି ସତ୍ୟପାଠ ଜରିଆରେ ଜଣାଇଛନ୍ତି। ବୁଡ଼ି ଅଞ୍ଚଳରେ ପ୍ରସ୍ତାବିତ ଜନଶୁଣାଣିର ସର୍ତ୍ତାବଳୀ ଓ ମାନଦଣ୍ଡ କ’ଣ ସବୁ ରହିବ ଶନିବାର ସୁଦ୍ଧା ସତ୍ୟପାଠ ଜରିଆରେ ସ୍ପଷ୍ଟ କରିବା ପାଇଁ ସୁପ୍ରିମକୋର୍ଟ ଗତ ଶୁଣାଣିରେ ନିର୍ଦେଶ ଦେଇଥିଲେ। ଏକ ନିରପେକ୍ଷ ସଂସ୍ଥା ଦ୍ୱାରା ଉଭୟ ରାଜ୍ୟରେ ଜନଶୁଣାଣି କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସର୍ବୋଚ୍ଚ ନ୍ୟାୟଳୟରେ ଯେଉଁ ସତ୍ୟପାଠ ଉପସ୍ଥାପନ କରାଯାଇଥିଲା ସେଥିରୁ ଖୋଦ୍‌ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରାଣାଳୟ ଶନିବାର ଓହରି ଯାଇଛି। ଏକ ସାନି ସତ୍ୟପାଠରେ ଦର୍ଶାଯାଇଛି ଯେ ପ୍ରସ୍ତାବିତ ବୁଡ଼ି ଅଞ୍ଚଳରେ ଜନଶୁଣାଣି କରିବା ଲାଗି ବ୍ୟବସ୍ଥାରେ ପ୍ରଭାବିତ ଆଶଙ୍କା ଥିବା ରାଜ୍ୟମାନେ ହିଁ ଅଧିକୃତ। ତେବେ ଜଣେ କନିଷ୍ଠ ସ୍ତରର ଅଧିକାରୀ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନ ଜଣାଇ କେନ୍ଦ୍ର ସରକାରଙ୍କ ଓକିଲଙ୍କୁ ନିଜ ଆଡୁ ସମ୍ମତି ଜଣାଇଥିବାରୁ ନିରପେକ୍ଷ ସଂସ୍ଥା ଦ୍ବାରା ଜନଶୁଣାଣି କରିବାକୁ କେନ୍ଦ୍ର ପ୍ରସ୍ତାବ ଦେଇଥିଲା। ତେବେ ଏଭଳି ତ୍ରୁଟିକୁ ସଂଶୋଧନ କରିବା ପାଇଁ ସତ୍ୟପାଠରେ ସର୍ବୋଚ୍ଚ ନ୍ୟାୟାଳୟକୁ ନିବେଦନ କରାଯାଇଛି। ଜନଶୁଣାଣିର ସର୍ତ୍ତାବଳୀ ଓ ମାନଦଣ୍ଡ ଜଣାଇବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରିପ୍ରେକ୍ଷୀରେ ସତ୍ୟପାଠରେ କୁହାଯାଇଛି ଯେ ଇଆଇଏ ନୋଟିଫିକେଶନ ୨୦୦୬ରେ ଧାର୍ଯ୍ୟ ସର୍ତ୍ତାବଳୀ ଓ ମାନଦଣ୍ଡ ଅନୁଯାୟୀ ବୁଡ଼ି ଅଞ୍ଚଳରେ ଜନଶୁଣାଣି କରାଯିବ। ଜନଶୁଣାଣି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭୂମିକା ଓ କ୍ଷମତା ବିଷୟରେ ଇଆଇଏ ନୋଟିଫିକେଶନରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ରାଜ୍ୟ ସରକାରଙ୍କ ଅଧିନସ୍ଥ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରଭାବିତ ଜିଲା ପ୍ରଶାସନର ସହଯୋଗରେ ସଂପୃକ୍ତ ଜିଲାରେ ଜନଶୁଣାଣି କରିପାରିବ। ସଂପୃକ୍ତ ଜିଲାର ଜିଲାପାଳ, ଉପାୟୁକ୍ତ ଅଥବା ଅତିରିକ୍ତ ଜିଲାପାଳ ସ୍ତରର ଅଧିକାରୀ ଉପସ୍ଥିତ ରହି ଜନଶୁଣାଣିର ତତ୍ତ୍ବାବଧାନ ଏବଂ ଅଧ୍ୟକ୍ଷତା କରିବେ।
ସତ୍ୟପାଠର ତଥ୍ୟ ଅନୁଯାୟୀ ସୁପ୍ରିମକୋର୍ଟ ଓ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ପୋଲାଭରମ ମାମଲା ବିଚାରାଧିନ ରହିଥିବା ଦର୍ଶାଇ ଓଡ଼ିଶା ଓ ଛତିଶଗଡ଼ ସରକାର ଜନଶୁଣାଣି କରିବା ନେଇ ଅନିଛା ପ୍ରକାଶ କରୁଛନ୍ତି। ଫେବୃୟାରୀ ୨୦୧୩ରୁ ଅଗଷ୍ଟ ୨୦୧୭ ମଧ୍ୟରେ ଚାରିଟି ଚିଠି ଜରିଆରେ କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କୁ ଜନଶୁଣାଣି ପାଇଁ ଅନୁରୋଧ କରିଥିଲେ ବୋଲି କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରାଣଳୟ ପକ୍ଷରୁ ଦର୍ଶାଯାଇଛି। ପ୍ରତି ଉତ୍ତରରେ ଜୁଲାଇ ୨୦୧୬ ଓ ସେପଟେମ୍ବର ୨୦୧୭ରେ ଦୁଇଟି ଚିଠି ମାଧ୍ୟମରେ ଜନଶୁଣାଣି କରାଗଲେ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦେଶନାମା ଉଲ୍ଲଙ୍ଘନ ହୋଇପାରେ ବୋଲି ଓଡ଼ିଶା ସରକାର ଆଶଙ୍କା ପ୍ରକାଶ କରିଥିଲେ। ମାମଲା ବିଚାରାଧୀନ ଥିବାରୁ କୋର୍ଟଙ୍କ ଅନୁମତି ପରେ ବୁଡ଼ି ଅଞ୍ଚଳରେ ଜନଶୁଣାଣି ସମ୍ଭବ ବୋଲି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅକ୍ଟୋବର ୨୦୧୭ ଓ ଅପ୍ରେଲ ୨୦୧୮ରେ ଦୁଇଟି ଚିଠି ମାଧ୍ୟମରେ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରାଣଳୟକୁ ଜଣାଇ ଦେଇଥିଲା। ମାମଲା ବିଚାରାଧୀନ ଥିବା ଆଳରେ ଉଭୟ ଓଡ଼ିଶା ସରକାର ଓ ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜନଶୁଣାଣି ପାଇଁ ଅକ୍ଷମତା ପ୍ରକାଶ କରିଥିଲେ ବୋଲି ସତ୍ୟପାଠରେ ଦର୍ଶାଯାଇଛି।
ସେହିପରି ମାମଲା ବିଚାରାଧୀନ କାରଣରୁ ଜନଶୁଣାଣି କରିବା ଠିକ୍‍ ହେବନାହିଁ ବୋଲି ଦର୍ଶାଇ ଛତିଶଗଡ଼ ସରକାର ମଧ୍ୟ ମନା କରି ଦେଇଥିଲେ। ଅଦ୍ୟାବଧି କାହିଁକି ଜନଶୁଣାଣି ହୋଇପାରିନାହିଁ ସେ ବିଷୟରେ କୋର୍ଟଙ୍କ ଅବଗତି ନିମନ୍ତେ ବିଗତ ଦିନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଘଟିଥିବା ମତ ବିନିମୟର ନକଲ ସତ୍ୟପାଠରେ ସଂଲଗ୍ନ କରାଯାଇଛି।

Leave A Reply