ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ; ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚୁହାନ୍ତ ହୋଇଛି । ସୋମବାର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରବିବାର କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ଖୋର୍ଦ୍ଧା ବରୁଣେଇ ପାହାଡ଼ ନିକଟ ଗୋଶାଳରେ ହେବାକୁ ଥିବା ଏହି ସାଧାରଣ ସଭାରେ ହଜାର ହଜାର ଲୋକଙ୍କ ସମାଗମ ହେବେ ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୪୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ । ଏହା ସହିତ ୪ ଜଣ ଏସ୍‌ପି, ୩୦ ଜଣ ଡିଏସ୍‌ପି ଓ ୧୦ ଏସ୍‌ପି ସୁରକ୍ଷା ଦାୟିତ୍ୱରେ ନିୟୋଜିତ ରହିବେ ବୋଲି କେନ୍ଦ୍ରାଞ୍ଚଳ ଆଇଜି ସୂଚନା ଦେଇଛନ୍ତି । ସେହିପରି ସଂପୂର୍ଣ୍ଣ ବରୁଣେଇ ପାହାଡ଼କୁ ପୋଲିସ କର୍ଡନ୍‌ରେ ରଖାଯିବ। ଏହା ସହିତ ସାଧାରଣ ସଭାସ୍ଥଳକୁ  ପାଣି ପାଉଜ ଓ ପାଣି ବୋତଲ ନେବା ଉପରେ କଟକଣା ଜାରି କରାଯାଇଛି ।

ଗାଡ଼ି ରଖିବା ପାଇଁ ୫ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ଏଡିଜି ସନ୍ତୋଷ ଉପାଧ୍ୟାୟ ଆଇଆଇଟି ପରିସରରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ।

ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ୧୪ ହଜାର ୫୨୩ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସର ଲୋକାର୍ପଣ, ବ୍ରହ୍ମପୁରରେ ବିଶ୍ୱସ୍ତରୀୟ ଆଇଜରର ଶିଳାନ୍ୟାସ, ଉର୍ଜ୍ଜା ଗଙ୍ଗା ଯୋଜନାରେ ପାରାଦୀପ-ହାଇଦ୍ରାବାଦ ମଧ୍ୟରେ ପାଇପଲାଇନ କାମର ଶୁଭାରମ୍ଭ, ଭୁବନେଶ୍ୱରରେ ୧୦୦ ଶଯ୍ୟା ବିଶିଷ୍ଟ ଇଏସଆଇ ହସପିଟାଲର ଉଦଘାଟନ, ଏନଏଚ-୧୬ ଚଣ୍ଡିଖୋଲ-ଭଦ୍ରକର ୬ ଲେନ୍ ଓ କଟକ-ଅନୁଗୋଳ ୪ ଲେନ୍ ରାସ୍ତାର କାର୍ଯ୍ୟର ଶୁଭାରମ୍ଭ, ପାଇକ ବିଦ୍ରୋହ ସ୍ମାରକୀ ମୁଦ୍ରା, ଡାକ ଟିକେଟ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଇକ ବିଦ୍ରୋହ ଗବେଷଣା ଚେୟାରର ଶୁଭାରମ୍ଭ କରିବେ।

Leave A Reply