ଦୁଇଟି ପାଇପଲାଇନ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ : ବ୍ୟୟ ଅଟକଳ ୭୨୦୦ କୋଟି ଟଙ୍କା

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୪ ତାରିଖରେ ଆଇଆଇଟି ଭୁବନେଶ୍ୱରକୁ ଆଗମନ ଅବସରରେ ରାଷ୍ଟ୍ରାୟତ୍ତ କମ୍ପାନୀ ଭାରତୀୟ ତୈଳ ନିଗମର ପାରାଦୀପ-ହାଇଦ୍ରାବାଦ ପାଇପଲାଇନ ଏବଂ ଗେଲ୍‍(ଇଣ୍ଡିଆ)ର ପ୍ରଧାନମନ୍ତ୍ରୀ ‘ଉର୍ଜ୍ଜା ଗଙ୍ଗା ଯୋଜନା’ ଅନ୍ତର୍ଗତ ଜଗଦୀଶପୁର-ହଳଦିଆ ଏବଂ ବୋକାରୋ- ଧାମରା ଗ୍ୟାସ ପାଇପଲାଇନ ଅଧିନସ୍ଥ ବୋକାରୋ-ଅନୁଗୁଳ ସେକ୍ସନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
ଭୁବନେଶ୍ୱରଠାରେ ଭାରତୀୟ ତୈଳ ନିଗମ ଏବଂ ଗେଲ୍‍(ଇଣ୍ଡିଆ) ଲିମିଟେଡ଼ ଦ୍ୱାରା ମିଳିତ ଭାବେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପି.ସି ଚୌବେ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଏସ୍‍ଇଆର୍‍ପିଏଲ୍‍, ଇଣ୍ଡିଆନ୍‍ ଅଏଲ୍‍, ପ୍ରୀତୀଶ ଭରତ, ରାଜ୍ୟସ୍ତରୀୟ ସଂଯୋଜକ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ତଥା ଇଣ୍ଡିଆନ୍‍ ଅଏଲର ମୁଖ୍ୟ ମହାପ୍ରବନ୍ଧକ, ଏସ୍‍.କେ ପାଠକ, ମୁଖ୍ୟ ମହାପ୍ରବନ୍ଧକ, ନିର୍ମାଣ, ଗେଲ (ଇଣ୍ଡିଆ) ଲିମିଟେଡ ଏବଂ ଶ୍ରୀନିବାସ ପାତ୍ର, ବରିଷ୍ଠ ପ୍ରବନ୍ଧକ, କର୍ପୋରେଟ କମ୍ୟୁନିକେସନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଦୁଇଟି ପାଇପଲାଇନ ପରିଯୋଜନା ନିମନ୍ତେ ୭୨୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ଏବଂ ଏହର ନିର୍ମାଣ କାର୍ଯ୍ୟ ଆସନ୍ତା ୨ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ। ଏହି ସାମ୍ବାଦିକ ସମ୍ମିଳନୀରେ ଉଦ୍‍ବୋଧନ ଦେଇ ପି.ସି ଚୌବେ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଏସ୍‍ଇଆର୍‍ପିଏଲ୍‍, ଇଣ୍ଡିଆନ୍‍ ଅଏଲ୍‍ କହିଥିଲେ ଯେ, ଏହି ପାଇପଲାଇନ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ, ସମସ୍ତ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରଗୁଡ଼ିକୁ ପେଟ୍ରୋଲିୟମଜାତ ଉତ୍ପାଦର ଯୋଗାଣ ଏକ ସୁରକ୍ଷିତ, ବିଶ୍ୱସନୀୟ, ପରିବେଶ ଅନୁକୂଳ ଏବଂ ସୁଲଭ ଦରରେ ଉପଲବ୍ଧ କରାଯିବ। ଏହି ପାଇପଲାଇନ ପ୍ରକଳ୍ପ ଏକ ଭୂତଳ ପ୍ରକଳ୍ପ ହୋଇଥିବାରୁ ଏହାଦ୍ୱାରା ଜାତୀୟ ରାଜପଥ ଏବଂ ରେଳପଥ ଭିଡ଼ମୁକ୍ତ ହୋଇପାରିବ କାରଣ ବର୍ତ୍ତମାନ ପେଟ୍ରୋଲିୟମଜାତ ଉତ୍ପାଦଗୁଡ଼ିକ ଏହି ପରିବହନ ମାର୍ଗ ମାଧ୍ୟମରେ ବ୍ୟାପକ ଭାବେ ସ୍ଥାନାନ୍ତର କରାଯାଉଛି। ଏହି ସାମ୍ବାଦିକ ସମ୍ମିଳନୀରେ ଏସ.କେ ପାଠକ, ମୁଖ୍ୟ ମହାପ୍ରବନ୍ଧକ, ନିର୍ମାଣ, ଗେଲ (ଇଣ୍ଡିଆ) ଲିମିଟେଡ କହିଥିଲେ ଯେ, ଏହି ପାଇପ୍‍ଲାଇନ୍‍ ଜରିଆରେ ବହୁ ସଂଖ୍ୟକ ଲୋକମାନେ ପିଏନ୍‍ଜି ସଂଯୋଗ ଜରିଆରେ ସ୍ୱଚ୍ଛ ଓ ସବୁଜ ଇନ୍ଧନ ପାଇପାରିବେ ଓ ସିଏନ୍‍ଜି ଷ୍ଟେସନର ସ୍ଥାପନା ଦ୍ୱାରା ହଜାର ହଜାର ଘର ରନ୍ଧନ ପାଇଁ ଇନ୍ଧନ ପାଇପାରିବେ ତଥା ଯାନବାହନ ଜନିତ ପ୍ରଦୂଷଣ ମଧ୍ୟ ହ୍ରାସ ହେବ। ଏହା ଦ୍ୱାରା ଷ୍ଟିଲ୍‍ ରିଫ୍ରାକ୍‍ଟୋରିଜ୍‍, ଆଲୁମିନିୟମ ଓ ଅନ୍ୟାନ୍ୟ ଉଦ୍ୟୋଗ ଗୁଡ଼ିକର ଶକ୍ତି ଚାହିଦା ପୂରଣ ହେବା ସହ ହଜାର ହଜାର ସ୍ଥାନୀୟ ଯୁବକ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ପାରାଦୀପ-ହାଇଦ୍ରାବାଦ ପାଇପଲାଇନ

ପାରାଦୀପ-ହାଇଦ୍ରାବାଦ ପାଇପଲାଇନ ମାଧ୍ୟମରେ ତୈଳଜାତ ଉତ୍ପାଦ ମୋଟର ସ୍ପିରିଟ(ପେଟ୍ରୋଲ), ହାଇସ୍ପିଡ୍‍ ଡିଜେଲ, ବିମାନ ଟରବାଇନ୍‍ ଇନ୍ଧନ ଏବଂ ଉଚ୍ଚମାନର କିରୋସିନ ପାରାଦୀପ ରିଫାଇନାରୀରୁ ଯୋଗାଣ ନିମନ୍ତେ ଡିଜାଇନ କରାଯାଇଛି। ଏହି ପ୍ରସ୍ତାବିତ କାର୍ଯ୍ୟ ମାଧ୍ୟମରେ ୧୬ ଟି ଜିଲାରେ ଓଡ଼ିଶା(୬ଜିଲା),ଆନ୍ଧ୍ରପ୍ରଦେଶ (୬ଜିଲା), ଏବଂ ତେଲେଙ୍ଗାନା(୪ ଜିଲା)ର ୧୨୧୨ କି.ମି ଦୀର୍ଘ ପାଇପଲାଇନ ବିଛାଇବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ ୩୩୦ କି.ମି, ଆନ୍ଧ୍ରପ୍ରଦେଶରେ ୭୨୨ କି.ମି ଏବଂ ତେଲେଙ୍ଗନାରେ ୧୬୦ କି.ମି ପାଇପଲାଇନ ବିଛାଇବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପାରାଦୀପ-ହାଇଦ୍ରାବାଦ ପାଇପଲାଇନ ନିମନ୍ତେ ୩୮୦୮ କୋଟି (ପାଇପ୍‍ ଲାଇନ : ୩୩୩୮ କୋଟି, ବିପଣନ ସୁବିଧା: ୩୨୯ କୋଟି ଏବଂ ବିଶୋଧନ ସୁବିଧା: ୧୪୧କୋଟି ଟଙ୍କା) ବ୍ୟୟ ଅଟକଳ କରାଯାଇଛି ଏବଂ ୨୦୨୦ ମସିହା ଅଗଷ୍ଟ ମାସ ସୁଦ୍ଧା ଏହି ପ୍ରକଳ୍ପକୁ ଶେଷ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ୪.୫ ଏମ୍‍ଏମ୍‍ଟିପିଏ କ୍ଷମତା ବିଶିଷ୍ଟ ପାରାଦୀପ-ହାଇଦ୍ରାବାଦ ପାଇପଲାଇନ୍‍ ପାରାଦୀପ ରିଫାଇନାରୀରୁ ଇନ୍‍ପୁଟ (ତୈଳ) ସଂଗ୍ରହ କରି ଓଡ଼ିଶାର ବ୍ରହ୍ମପୁରଠାରେ ହେବାକୁ ଥିବା ପିଓଏଲ୍‍ ଡିପୋ, ଆନ୍ଧ୍ରପ୍ରଦେଶସ୍ଥିତ ଭାଇଜାକ ଓ ବିଜୟୱାଡ଼ା ଡିପୋ ଏବଂ ପ୍ରସ୍ତାବିତ ଅଚ୍ୟୁତପୁରମ୍‍ ଡିପୋ ଏବଂ ହାଇଦ୍ରାବାଦ୍‍ର ତେଲେଙ୍ଗାନା ଡିପୋଠାରେ ମହଜୁଦ କରି ରଖିବ। ଏହା ବ୍ୟତୀତ ଏହି ତୈଳଜାତ ଦ୍ରବ୍ୟ ପାଇପଲାଇନ ମାଧ୍ୟମରେ ଭାଇଜାକ୍‍ ବନ୍ଦରରେ ମଧ୍ୟ ଉପଲବ୍ଧ ହେବ। ପମ୍ପିଂ ବ୍ୟବସ୍ଥା ଓଡ଼ିଶାର ପାରାଦୀପ ଓ ବ୍ରହ୍ମପୁରଠାରେ ଏବଂ ଆନ୍ଧ୍ରପ୍ରଦେଶର ଭାଇଜାକ୍‍, ରାଜମହେନ୍ଦ୍ରୀ ଏବଂ ବିଜୟୱାଡ଼ାଠାରେ ସ୍ଥାପନ କରାଯିବ। ଏହି ପ୍ରକଳ୍ପ ପାଇଁ , ସମସ୍ତ ପ୍ରକାର ଯାନ୍ତ୍ରିକ ଡିଜାଇନ କାର୍ଯ୍ୟ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିମନ୍ତେ କାର୍ଯ୍ୟାଦେଶ ମଧ୍ୟ ପ୍ରଦାନ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି। ସମସ୍ତ ପ୍ରକାର ବୈଧାନିକ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇସାରିଛି। ସମସ୍ତ ପ୍ରାକ୍‍-ପ୍ରକଳ୍ପ କାର୍ଯ୍ୟ ପୂର୍ଣ୍ଣ ହେବା ପରେ, ପ୍ରକଳ୍ପସ୍ଥଳରେ କାର୍ଯ୍ୟାରମ୍ଭ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ସମସ୍ତ ୩ଟି ରାଜ୍ୟରେ ଏକସଙ୍ଗରେ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ପଦକ୍ଷେପ ନିଆଯାଇଛି ଏବଂ ଏହି କ୍ରମେ ପ୍ରକଳ୍ପ ନିମନ୍ତେ ସମସ୍ତ ବ୍ୟବସ୍ଥାକୁ ସଂଗଠିତ କରାଯାଇଛି।

‘ପ୍ରଧାନମନ୍ତ୍ରୀ ଉର୍ଜ୍ଜାଗଙ୍ଗା’ ଅନ୍ତର୍ଗତ ବୋକାରୋ-ଅନୁଗୋଳ ସେକ୍ସନ

ବୋକାରୋ-ଅନୁଗୋଳ ସେକ୍ସନ ଗେଲ୍‍ (ଇଣ୍ଡିଆ) ଲିମିଟେଡ୍‍ ଦ୍ୱାରା ନିର୍ମାଣ କରାଯାଉଛି। ଯାହାର ସମୁଦାୟ ଦୈର୍ଘ୍ୟ ହେଉଛି ୬୬୭ କି.ମି ଯେଉଁଥିରୁ ଓଡ଼ିଶାରେ ୩୬୭ କିମି ଓ ଝାଡ଼ଖଣ୍ଡରେ ୩୦୦ କି.ମି ରହିଛି। ଏହା ଓଡ଼ିଶାର ପାଞ୍ଚଟି ଜିଲ୍ଲାକୁ (ଅନଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼) ଓ ଝାଡ଼ଖଣ୍ଡର ଛଅଟି ଜିଲ୍ଲା (ବୋକାରୋ, ରାମଗଡ଼, ରାଞ୍ଚି, ଖୁଣ୍ଟି, ଗୁମ୍‍ଲା, ସିମ୍‍ଡେଗା)। ଏହି ସେକ୍ସନର ପ୍ରକଳ୍ପ ମୂଲ୍ୟ ରହିଛି ପ୍ରାୟ ଟ.୩୪୦୦ କୋଟି ଓ ଏହା ଡିସେମ୍ବର ୨୦୨୦ ସୁଦ୍ଧା ସମାପ୍ତ ହେବାର ଲକ୍ଷ୍ୟ ରଖାଯାଇଛି। ଏହି ସେକ୍ସନଟି ୨୬୫୦ କି.ମି ଲମ୍ବ ଜେଏଚ୍‍ବିଡିପିଏଲ୍‍ ପ୍ରକଳ୍ପର ଏକ ଅଂଶ ଅଟେ ଯାହା ‘ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା’ ଭାବରେ ଲୋକପ୍ରିୟ ଓ ଏହା ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗ ଓ ଓଡ଼ିଶା ମଧ୍ୟ ଦେଇ ଯାଇଛି। ଏହି ପାଇପ୍‍ଲାଇନ୍‍କୁ ପୁନଶ୍ଚ ବରୌନି (ବିହାର)ରୁ ଗୌହାଟି (ଆସାମ) ଯାହାର ଲମ୍ବ ପ୍ରାୟ ୭୩୦ କିମି ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି, ଯଦ୍ୱାରା ଉତ୍ତର ପୂର୍ବରେ ପାଇପ୍‍ଲାଇନ୍‍ ଭିତିଭୂମିର ବିକାଶ ହୋଇପାରିଛି। ପେଟ୍ରୋଲିୟମ ଓ ପ୍ରକୃତିକ ଗ୍ୟାସ୍‍ ରେଗୁଲାଟୋରି ବୋର୍ଡ଼ (ପିଏନ୍‍ଜିଆରବି) ୧୧ଟି ଜିଲ୍ଲାରେ ବିଭିନ୍ନ ସଂସ୍ଥାନକୁ ସହରୀ ଗ୍ୟାସ ବିତରଣ ନେଟ୍‍ୱର୍କର ବିକାଶ ପାଇଁ ଭୌଗୋଳିକ କ୍ଷେତ୍ର ପ୍ରଦାନ କରିଛି ଓ ବୋକାରୋ ଅନୁଗୋଳ ସେକ୍ସନ ଏହି କ୍ଷେତ୍ରଗୁଡ଼ିକୁ ପ୍ରାକୃତିକ ଗ୍ୟାସ୍‍ର ବିତରଣ କରିବ। ଗେଲ୍‍ ଏହି ସେକ୍‍ସନ ପାଇଁ ପାଇପ୍‍ ଲାଇନ୍‍ର କାର୍ଯ୍ୟାଦେଶ ପ୍ରଦାନ କରିସାରିଛି ଓ ଏହି ସ୍ଥାନମାନଙ୍କରେ କାର୍ଯ୍ୟାରମ୍ଭ ହୋଇ ସାରିଛି। ପାଞ୍ଚଟି ବିଭାଗରେ ଏହି କାର୍ଯ୍ୟ କରାଯିବ ଓ ଏହି ଉଦ୍ଦେଶ୍ୟରେ ପାଞ୍ଚଜଣ ଠିକାଦାରଙ୍କୁ ନିୟୋଜିତ କରାଯାଇଛି।

Leave A Reply