ବର୍ଷେ କିମ୍ବା ୨ବର୍ଷରେ ସଫଳ ହେବ ସମସ୍ତଙ୍କୁ ବାସଗୃହ ଯୋଜନା

ନୂଆଦିଲ୍ଲୀ: କେନ୍ଦ୍ର ଗୃହନିର୍ମାଣ ଓ ସହରାଞ୍ଚଳ ମନ୍ତ୍ରୀ ହର୍‍ଦୀପ ସିଂହ ପୁରୀ କହିଛନ୍ତି ୨୦୨୨ ମସିହା ସୁଦ୍ଧା ସମସ୍ତଙ୍କୁ ବାସଗୃହ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ବର୍ଷେ କିମ୍ବା ଦୁଇବର୍ଷ ଭିତରେ ସଫଳ ହେବାକୁ ଯାଉଛି। ମଙ୍ଗଳବାର ନୂଆଦିଲ୍ଲୀରେ ୨୦୨୨ ମସିହାରେ ସମସ୍ତଙ୍କୁ ବାସଗୃହ ଯୋଗାଣ ସଂକ୍ରାନ୍ତ ପଞ୍ଚଦଶ ଜାତୀୟ ସମ୍ମିଳନୀରେ ଉଦବୋଧନ ଦେବାବେଳେ ପୁରୀ ଏହା କହିଛନ୍ତି। ସେ କହିଛନ୍ତି ଭାରତକୁ ୫ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଆମକୁ ଶତକଡା ୧୦ /୧୨ ଭାଗ ଅଭିବୃଦ୍ଧି ହାସଲ କରିବାକୁ ପଡିବ। ଏଥିପାଇଁ ଗୃହନିର୍ମାଣ କ୍ଷେତ୍ରକୁ ସୁସଂଗଠିତ କରିବା ଆବଶ୍ୟକ ବେଲି ସେ ମତ ଦେଇଛନ୍ତି।

ପୁରୀ କହିଛନ୍ତି ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଦେଶର ଅଭିବୃଦ୍ଧି ସହ ଜଡିତ ସବୁ ଭାଗିଦାରୀ ଓ ନିର୍ମାଣ ଶିଳ୍ପ ସହ ପରାମର୍ଶ କରିବାର ଆବଶ୍ୟକ ରହିଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନାର ସଫଳତା ପାଇଁ ୧୬ଟି ନୂଆ କାରିଗରୀ ବିଦ୍ୟା ଉପଯୋଗ ସକାଶେ ଚିହ୍ନଟ କରାଯାଇଛି। ରିଏଲ ଇଷ୍ଟେଟ କ୍ଷେତ୍ରରେ ଦେଖା ଦେଉଥିବା ସମସ୍ୟା ଓ ସମାଧାନ ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକ ସମ୍ପର୍କରେ ଏଥିରେ ଆଲୋଚନା କରାଯାଇଥିଲା। ନିର୍ମାଣ ଶିଳ୍ପ ଓ ରିଏଲ ଇଷ୍ଟେଟ କ୍ଷେତ୍ରର ବହୁ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି।

Comments are closed.