ଆଜିଠାରୁ ସାଉଦି ଆରବ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାରଠାରୁ ସାଉଦି ଆରବ ଗସ୍ତରେ ଯାଉଛନ୍ତି। ଶ୍ରୀ ମୋଦୀ ଆଜି ରାତିରେ ଯାଇ ରିୟାଦରେ ପହଞ୍ଚିବେ। ମଙ୍ଗଳବାର ସେ ସାଉଦି ଆରବର ଭବିଷ୍ୟତ ପୁଞ୍ଜିନିବେଶ ପଦକ୍ଷେପ ଫୋରମ୍‍ର ତୃତୀୟ ଅଧିବେଶନରେ ଉଦ୍‍ବୋଧନ ଦେବେ। ସାଉଦି ଆରବ ରାଜା ସଲ୍‍ମନ୍‍ ବିନ୍‍ ଅବଦୁଲ୍‍ ଅଜିଜ୍‍ ଅଲ୍‍ ସାଉଦ୍‍ଙ୍କ ସହ ସେ ଦ୍ୱିପକ୍ଷୀୟ ଆଲୋଚନା କରିବେ ଓ ଯୁବରାଜ ମହମ୍ମଦ ବିନ୍‍ ସଲ୍‍ମନ୍‍ଙ୍କ ସହ ପ୍ରତିନିଧି ମଣ୍ଡଳସ୍ତରୀୟ କଥାବାର୍ତ୍ତା କରିବେ।

ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ସାଉଦି ଆରବ ଯୁବରାଜ ଏକ ନୈଶ ଭୋଜିର ଆୟୋଜନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସାଉଦି ଆରବ ଗସ୍ତ ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କକୁ ମଜବୁତ୍‍ କରିବ। ରିଆଦରେ ଭବିଷ୍ୟତ ପୁଞ୍ଜିନିବେଶ ପଦକ୍ଷେପ ଫୋରମରେ ସେ ମୁଖ୍ୟ ବକ୍ତବ୍ୟ ରଖିବେ। “Davos of Desert” କୁହାଯାଉଥିବା ଏହି ଫୋରମ୍‍ ସାଉଦି ଆରବକୁ ପୁଞ୍ଜିନିବେଶର ଏକ ଉତ୍କୃଷ୍ଟ
କେନ୍ଦ୍ର ଭାବେ ଉପସ୍ଥାପନ କରିବ। ଭାରତ ଓ ସାଉଦି ଆରବ ମଧ୍ୟରେ ବେସାମରିକ ବିମାନ ଚଳାଚଳ, ପ୍ରତିରକ୍ଷା ସାମଗ୍ରୀ ସଂଗ୍ରହ, ନିରାପତ୍ତା ସହଯୋଗ ଓ ପୁନର୍ବ୍ୟବହାରକ୍ଷମ ଶକ୍ତି କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ୧୨ଟି ରାଜିନାମା ସ୍ୱାକ୍ଷରିତ ହେବ।

Comments are closed.