ଓଡ଼ିଶାର ରାଜନୈତିକ ବାତାବାରଣ ସରଗରମ ; ଆରମ୍ଭ ହେଲା ବିଜେପିର ନିର୍ବାଚନ ଅଭିଯାନ

0

ଭୁବନେଶ୍ୱର (ବିଶେଷ ସମ୍ବାଦଦାତା): ୨୦୧୯ ସାଧାରଣ ନିର୍ବାଚନ ପାଇଁ ପୂର୍ବଭାରତର ଏକ ପ୍ରମୁଖ ରାଜ୍ୟ ଓଡ଼ିଶାରେ ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ର ଶେଖର ରାଓ, ଅଣ ବିଜେପି ଓ ଅଣ କଂଗ୍ରେସ ଦଳକୁ ନେଇ ଫେଡରାଲ ଫ୍ରଣ୍ଟ ଗଠନ କରିବା ପାଇଁ ଭୁବନେଶ୍ୱରରେ ବୈଠକ କରୁଛନ୍ତି ତ, ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୋଦ ବିଜେପିର ନିର୍ବାଚନ ଅଭିଯାନ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହେବା ପରେ ଏହା ମୋଦୀଙ୍କର ୮ମ ଓଡ଼ିଶା ଗସ୍ତ। ଏହାପରେ ଜାନୂଆରୀ ମାସ ୫ ତାରିଖରେ ସେ ବାରିପଦା ଓ ୧୮ ତାରିଖରେ ପଶ୍ଚିମ ଓଡ଼ିଶାରେ ଜନସଭାରେ ଯୋଗଦେବେ।

ବିଜେପି ସୂତ୍ରରୁ ପ୍ରକାଶ ଯେ, ଏହିିଠାରୁ ହିଁ ପ୍ରଧାନମନ୍ତ୍ରୀଙ୍କର ନିର୍ବାଚନୀ ସଭାର ଅଭିଯାନ ଆରମ୍ଭ ହୋଇଯିବ । ଏହାର ସଂମ୍ପୂର୍ଣ୍ଣ ଯୋଜନା ଦଳୀୟ ସଂଗଠନ ପକ୍ଷରୁ ପ୍ରସ୍ତୁତ କରାଯାଉଛି। ବିଜେପି ପୂର୍ବୋଦୟର ଭିଜନ ଜନତାଙ୍କ ସାମ୍ନାରେ ରଖୁୁଛି। ମୋଦୀ ମଧ୍ୟ କହୁଛନ୍ତି ପୂର୍ବ ଭାରତରୁ ହିଁ ଦେଶର ବିକାଶ ଗତଶୀଳ ହେବ। ସୋମବାର ସେ ୧୫ ହଜାର କୋଟି ଟଙ୍କା ବ୍ୟୟ ଅଟକଳର ବିଭିନ୍ନ ପ୍ରକଳ୍ପ ଓଡ଼ିଶାକୁ ଭେଟିି ଦେଇଛନ୍ତି।
ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ, ଅପରାଜିତା ଷଡଙ୍ଗୀ ବିଜେପିରେ ମିଶିବା ପରେ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି। ସେହିପରି ଭୁବନେଶ୍ୱର ଲୋକସଭା ଆସନକୁ ଲାଗି ରହିଥିବା ପୁରୀ ସଂସଦୀୟ ଆସନରୁ ମୋଦୀ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି। ଯଦି ଏହା  ସତ ହୁଏ ତେବେ ମୋଦୀ ପୁରୀ ସଂସଦୀୟ ଆସନ ସମେତ ଆଖ ପାଖ ନିର୍ବାଚନ ମଣ୍ଡଳୀ ଉପରେ ଭଲ ପ୍ରଭାବ ପକାଇବେ। ଅପର ପକ୍ଷରେ ମୋଦୀ ହେଉଛନ୍ତି ବିଜେପିର ତାରକା ପ୍ରଚାରକ। ତାଙ୍କ ପ୍ରଚାର ଅଭିଯାନକୁ ଅନ୍ତିମ ରୂପ ଦେବା ପାଇଁ ଗଠିତ ଆକ୍ସନ କମିଟିିରେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରଖାଯାଇଛି।ପୁରୀକୁ ମୋଦୀଙ୍କ ସମ୍ଭାବିତ ସଂସଦୀୟ କ୍ଷେତ୍ର ଭାବେ କୁହାଯାଉଛି। ଯେଉଁଠାରୁ ବିଜେପି ତାଙ୍କୁ ପ୍ରାର୍ଥୀ କରିବ ବୋଲି କୁହାଯାଉଛି। ଏବେ ବିଜୁଜନତା ଦଳର ପିନାକୀ ମିଶ୍ର ପୁରୀର ସାଂସଦ ଅଛନ୍ତି। ୧୯୯୬ରେ ସେ ପୁରୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ୨୦୦୯ ଓ ୨୦୧୪ରେ ବିଜୁଜନତା ଦଳର ପ୍ରାର୍ଥୀ ଭାବେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୧୪ରେ  ତାଙ୍କୁ ୫୦ପ୍ରତିଶତ ଭୋଟ ମିଳିଥିଲା। ଏଠାରେ କଂଗ୍ରେସ ଦ୍ୱିତୀୟ ଏବଂ ୨୦ ପ୍ରତିଶତ ଭୋଟ ପାଇ ବିଜେପି ୩ୟ ସ୍ଥାନରେ ଥିଲା। ତେବେ ମୋଦୀ ବିଜେପିକୁ ଏହି ସମସ୍ୟାରୁ ମୁକାଳି ପାରିବେ ବୋଲି ଦଳ ଆଶାବାଦୀ । ସୂଚନାଯୋଗ୍ୟ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ମାତ୍ର ୫୪୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା ଜିଲ୍ଳାରେ ଜଣେ ଲୋକପ୍ରିୟ ନେତାଥିଲେ ଲୁଲୁ ମହାପାତ୍ର। ଏହି ଅଞ୍ଚଳରେ ତାଙ୍କର ଭଲ ପ୍ରଭାବ ରହିଥିବା କୁହାଯାଏ। ତେବେ ଲୁଲୁ ମହାପାତ୍ରଙ୍କ ବିୟୋଗ ପରେ ତାଙ୍କ ପରିବାର ବିଜେପିରେ ଯୋଗ ଦେଇଛନ୍ତି।

ରାଜ୍ୟ ବିଧାନସଭାର ୧୪୭ଟି ଆସନ ମଧ୍ୟରୁ ବିଜେଡି ପାଖରେ ୧୧୮ଟି ଆସନ ରହିଛି। ତେବେ ଏହି ଅଞ୍ଚଳରେ ବିଜେପିର ଭୋଟ ପ୍ରତିଶତ ବୃଦ୍ଧି ପାଇବାରେ ଲାଗିଛି। ବିଜେପିର  ରାଜ୍ୟ ଶାଖାର ଜଣେ ନେତା କହିଛନ୍ତି ଯେ, ପୁରୀ ଲୋକସଭା ଆସନ ଏବଂ ତା’ ଅନ୍ତର୍ଗତ ୭ଟି ବିିଧାନସଭା ଆସନ ପାଇଁ ରଣ କୌଶଳ ସଂପର୍କରେ ବିସ୍ତୃତ ରିପୋର୍ଟ କେନ୍ଦ୍ରୀୟ ନେତୃତ୍ୱ ପାଖକୁ ପଠାଯାଇଛି।
ଓଡ଼ିଶାର ସାଂପ୍ରତିକ ରାଜନୈତିକ ଇତିହାସ ଦେଖିବା ତ, କଂଗ୍ରେସକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ୨୦୦୪ରେ ବିଜେପି-ବିଜେଡି ମେଣ୍ଟ ନିର୍ବାଚନ ଜିତିଥିଲେ। ସେତେବେଳେ ବିଜେପି ୬୩ଟି ଆସନରେ ପ୍ରତିଦ୍ୱନ୍ଦିତା କରି ୩୨ଟି ଜିତିଥିଲା ଏବଂ ବିଜେଡି ୮୪ଟି ଆସନରେ ଲଢି ୬୧ଟିରେ ଜିତିଥିଲା। ବିଜେପି-ବିଜେଡି ମେଣ୍ଟ ମୋଟ ୯୩ଟି ଆସନ ଜିତି ସରକାର ଗଠନ କରିଥିଲେ। ବିଜେଡିର ଭୋଟ ପ୍ରତିଶତ ୨୭.୫ ଏବଂ ବିଜେପିର ଭୋଟ ପ୍ରତିଶତ ୧୭.୧୧ ଥିଲା। ୨୦୦୯ରେ ମେଣ୍ଟ ଭାଙ୍ଗିଗଲା। ସେହି ବର୍ଷ ଅନୁଷ୍ଠିତ ନିର୍ବାଚନରେ ବିଜେପି ୧୪୫ଟି ଆସନରୁ ପ୍ରତିଦ୍ୱନ୍ଦିତା କରି ମାତ୍ର ୬ଟି ଆସନରେ ବିଜୟୀ ହୋଇଥିଲା। କିନ୍ତୁ ବିଜେଡି ୧୪୭ ଆସନରୁ ୧୦୩ଟିରେ ବିଜୟୀ ହୋଇଥିଲା। ଦଳର ଭୋଟ ପ୍ରତିଶତ ୨୭.୫ରୁ ୩୮.୮୬କୁ ବୃଦ୍ଧି ପାଇଥିଲା। ୨୦୦୧୪ରେ ବିଜେଡି ୧୪୭ ଆସନରୁ ୧୧୭ରେ ଜିତଥିଲା। ଚଳିତ ବର୍ଷ ଫେବୃଆରୀରେ ଅନୁଷ୍ଠିତ ଉପନିର୍ବାଚନ ଜିତି ବିଜେଡି ଆସନ ସଂଖ୍ୟା ୧୧୮ ହୋଇଛି। ଦଳର ଭୋଟ ପ୍ରତିଶତ ୪୩.୩୫କୁ ବୃଦ୍ଧି ପାଇଛି। ସେହିପରି ବିଜେପି ୧୮ ପ୍ରତିଶତ ଭୋଟ ପାଇ ମାତ୍ର ୧୦ଟି ଆସନରେ ହିଁ ବିଜୟୀ ହୋଇଥିଲା।
ଏବେ କିନ୍ତୁ ବିଜେପି ଓଡ଼ିଶା ଉପରେ ଅଧିକ ଗୁରୁତ୍ୱ ଦେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮ଥର ଆସି ସଭା କରିଛନ୍ତି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ୯ ଥର ଆସିଛନ୍ତି। ଅନ୍ୟପକ୍ଷରେ ଆଉ ଏକ ଆକଳନ କରାଯାଉଛି ଯେ ମୋଦୀ କଳାହାଣ୍ଡି, ବଲାଙ୍ଗୀର ଅବା କୋରାପୁଟ ଭଳି ଅଞ୍ଚଳରୁ ନିର୍ବାଚନ ଲଢି ପାରନ୍ତି। ସବୁବେଳେ ଗରିବଙ୍କ କଥା କହୁଥିବା ମୋଦୀ ଏହି ଗରିବ ତଥା ପଛୁଆ ଅଞ୍ଚଳରୁ ନିର୍ବାଚନ ଲଢି ଏହି ଅଞ୍ଚଳକୁ ବିକାଶ ପଥରେ ଆଗେଇ ନେବେ ବୋଲି ଆଶା କରାଯାଉଛି। ତେବେ ଖୁବ ଶୀଘ୍ର ଏ ନେଇ ସ୍ଥିତି ସ୍ପଷ୍ଟ ହୋଇଯିବ।

Leave A Reply