ଶକ୍ତି ସାମାଜିକ-ଅର୍ଥନୈତିକ ବିକାଶର ବାହକ : ପ୍ରଧାନମନ୍ତ୍ରୀ

0


-ଦାୟିତ୍ୱବାନ ମୂଲ୍ୟାୟନ ଏବଂ ସ୍ୱଚ୍ଛ ତଥା ନମନୀୟ ବଜାର ତୈଳ ଓ ଗ୍ୟାସ ବିପଣନ ପାଇଁ ଜରୁରୀ 
-ଶକ୍ତି ନ୍ୟାୟ ଯୁଗର ଅୟମାରମ୍ଭ ପାଇଁ ଭାରତର ଅବଦାନ ଗୁରୁତ୍ୱପୂର୍ଣ୍ଣ
ଏଲପିଜି ନେଟୱର୍କରେ ଏବେ ୯୦%ରୁ ଅଧିକ ଲୋକ  

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଭାରତର ଫ୍ଲାଗସିପ୍ ହାଇଡ଼୍ରୋକାର୍ବନ ସମ୍ମିଳନୀ ପେଟ୍ରୋଟେକ୍ – ୨୦୧୯କୁ ଆଜି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଉତ୍ତର ପ୍ରଦେଶର ଗ୍ରେଟର ନୋଏଡ଼ାଠାରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି ।

ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଲେ ଯେ ସାମାଜିକ ଆର୍ଥିକ ବିକାଶର ପ୍ରମୁଖ ବାହକ ରୂପେ ପରିଚିତ ଶକ୍ତି କ୍ଷେତ୍ରର ବିକାଶ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ “ଉପଯୁକ୍ତ ମୂଲ୍ୟାୟନ, ସ୍ଥିର ଓ ନିରବଛିନ୍ନ ଶକ୍ତି ଯୋଗାଣ ଯେକୌଣସି ଅର୍ଥବ୍ୟବସ୍ଥାର ଦ୍ରୁତ ବିକାଶ ପାଇଁ ଏକାନ୍ତ ଜରୁରି । ଏହା ମଧ୍ୟ ସମାଜର ଗରିବ ତଥା ଅବହେଳିତ ବର୍ଗଙ୍କୁ ଆର୍ଥିକ ସୁବିଧାସୁଯୋଗ ହାସଲ କରିବା ଦିଗରେ ସହାୟକ ହୋଇଥାଏ ।”

ପ୍ରଧାନମନ୍ତ୍ରୀ କହିଲେ ଯେ ଶକ୍ତି ବ୍ୟବହାରର କେନ୍ଦ୍ରବିନ୍ଦୁ ଏବେ ପାଶ୍ଚାତ୍ୟ କ୍ଷେତ୍ରରୁ ପ୍ରାଚ୍ୟ କ୍ଷେତ୍ରକୁ ସ୍ଥାନାନ୍ତରୀତ ହୋଇସାରିଛି । ଆମେରିକା ଏବେ ବିଶ୍ୱର ସର୍ବାଧିକ ତୈଳ ଓ ବାଷ୍ପ ଉତ୍ପାଦନକାରୀ ରାଷ୍ଟ ଭାବେ ମୁଣ୍ଡ ଟେକିଛି ଏବଂ ତାହା ସେଲ୍ ବିପ୍ଳବ ପରେ ଘଟିଛି । କିନ୍ତୁ ଅଧୁନା ଅଭିସରଣ ଭଳି ସଂକେତ ପ୍ରକାଶ ପାଇଛି ଏବଂ ତହା ଶସ୍ତାରେ ଉପଲବ୍ଧ ଅକ୍ଷୟ ଶକ୍ତି, ପ୍ରଯୁକ୍ତି ଏବଂ ସେସବୁର ଡ଼ିଜିଟାଲ ପ୍ରୟୋଗ ମଧ୍ୟରେ ଘଟିଛି । ଏବଂ ତାହା ଅନେକ ପୋଷଣୀୟ ବିକାଶ ଲକ୍ଷ୍ୟ ହାସଲ ଦିଗରେ ସଫଳତାକୁ ତ୍ୱରାନ୍ୱିତ କରିପାରିଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏହା ହେଉଛି ବର୍ତ୍ତମାନ ସମୟର ସର୍ବାଧିକ ଆବଶ୍ୟକତା ଯେ “  ଆମକୁ ଏକ ଦାୟିତ୍ୱସମ୍ପନ୍ନ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ପଡ଼ିବ ଯାହାକି ଉଭୟ ଉତ୍ପାଦକ ଓ ଉପଭୋକ୍ତାଙ୍କ ସ୍ୱାର୍ଥ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ସକ୍ଷମ ହେଉଥିବ । ପୁଣି ଆମକୁ ଉଭୟ ତୈଳ ଓ ବାଷ୍ପ କ୍ଷେତ୍ରରେ ଏକ ସ୍ୱଚ୍ଛ ତଥା ନମନୀୟ ବଜାର ସନ୍ଧାନରେ ଆଗକୁ ଅଗ୍ରସର ହେବାକୁ ପଡ଼ିବ । ତାହା ହେଲେ ଆମେ ମାନବସମାଜର ସର୍ବାଧିକ ଶକ୍ତି ଆବଶ୍ୟକତାକୁ ପୂରଣ କରିବା ଦିଗରେ ହିଁ ସକ୍ଷମ ହୋଇପାରିବା ।”

ବିଶ୍ୱ ସମୁଦାୟକୁ ଚେତାବନୀ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଜଳବାୟୁ ପରିବର୍ତ୍ତନ ସକାଶେ ସେମାନେ ପରସ୍ପର ସହ ହାତ ମିଳାଇ ଏ ଦିଗରେ କାର୍ଯ୍ୟ କରିବା ଏକାନ୍ତ ଜରୁରି । ପ୍ୟାରିସ ଠାରେ ଅନୁଷ୍ଠିତ ସମ୍ମିଳନୀ ଅବସରରେ ଆମେ ଯେଉଁ ସିଓପି- ୨୧ ପ୍ରତିବଦ୍ଧତା ପ୍ରକଟ କରିଛୁ, ବିଶ୍ୱ ସମୁଦାୟଙ୍କ ସହଯୋଗ ଦ୍ୱାରା ହିଁ ତାହା ସମ୍ଭବପର ହୋଇପାରିବ । ଏହି ପରିପ୍ରେକ୍ଷୀରେ, ସେ ଭାରତ ନିଜ ତରଫରୁ ଘୋଷଣା କରିଥିବା ପ୍ରତିବଦ୍ଧତାକୁ ପୂରଣ କରିବା ଦିଗରେ ପ୍ରୟାସରତ ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ ।

ମହାମହିମ ଡ଼କ୍ଟର ସୁଲତାନ ଅଲ ଜବାରଙ୍କୁ ଶକ୍ତି କ୍ଷେତ୍ର ପ୍ରତି ତାଙ୍କର ଅବଦାନ ଏବଂ ଭବିଷ୍ୟତର ପରିକଳ୍ପନା ପାଇଁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ସେ କହିଲେ ଯେ ଚତୁର୍ଥ ପିଢିର ଶିଳ୍ପ ବିପ୍ଲବ ବିଧି ଶିଳ୍ପ କାର୍ଯ୍ୟକାରୀତାକୁ ସଂପୂର୍ଣ୍ଣ ରୂପେ ବଦଳାଇଦେବ । ଏଥିପାଇଁ ନୂତନ ପ୍ରଯୁକ୍ତି ଏବଂ ପଦ୍ଧତିର ଆବଶ୍ୟକତା ରହିଛି ବୋଲି ସେ ସୂଚାଇଥିଲେ । ଆମର କମ୍ପାନୀମାନଙ୍କୁ ସର୍ବାଧୁନିକ ପ୍ରଯୁକ୍ତିକୁ ଆପଣାଇବାକୁ ପଡ଼ିବ ଯଦ୍ୱାରା ସେମାନଙ୍କର କାର୍ଯ୍ୟଦକ୍ଷତା, ନିରାପତ୍ତା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଏଥିପାଇଁ ହେଉଥିବା ବ୍ୟୟ ହ୍ରାସ ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଜନସାଧାରଣଙ୍କୁ ସବୁପ୍ରକାର ସ୍ୱଚ୍ଛ, ସୁଲଭ, ପୋଷଣୀୟ ତଥା ସମାନତା ଭିତ୍ତିକ ଶକ୍ତି ଯୋଗାଣ ଉପଲବ୍ଧ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଲେ ଦୁଃଖର କଥା ଯେ “ଆମେ ଏବେ ଅଧିକ ଶକ୍ତି ଉପଲବ୍ଧତା ଯୁଗରେ ପାଦ ଥାପିବାକୁ ଯାଉଥିବା ବେଳେ ବିଶ୍ୱରେ ଏବେସୁଦ୍ଧା ପ୍ରାୟ ୧୦୦ କୋଟିରୁ ଅଧିକ ଲୋକଙ୍କ ନିକଟରେ ବିଜୁଳିଶକ୍ତି ପହଞ୍ଚିବାକୁ ବାକି ରହିଛି । ସେମାନଙ୍କ ଠାରୁ ଅଧିକ ସଂଖ୍ୟକ ଲୋକଙ୍କ ନିକଟରେ ସ୍ୱଚ୍ଛ ରନ୍ଧନ ଜାଳେଣି ଉପଲବ୍ଧ ନାହିଁ ।” ଶକ୍ତି ଉପଲବ୍ଧତା କ୍ଷେତ୍ରରେ ଭାରତ ଏବେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ଭାରତ ବିଶ୍ୱର ଦ୍ରୁତତମ ପ୍ରଗତିଶୀଳ ଅର୍ଥବ୍ୟବସ୍ଥାରେ ପରିଣତ ହୋଇପାରିଛି ଏବଂ ୨୦୩୦ ମସିହା ସୁଦ୍ଧା ଏହା ବିଶ୍ୱର ଦ୍ୱିତୀୟ ବୃହତ ଅର୍ଥବ୍ୟବସ୍ଥାର ମାନ୍ୟତା ହାସଲ କରିପାରେ । ସେତେବେଳକୁ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଶକ୍ତି ଉପଭୋକ୍ତା ରାଷ୍ଟ୍ରଭାବେ ମଧ୍ୟ ମୁଣ୍ଡ ଟେକିବାକୁ ଯାଉଛି । ୨୦୪୦ ମସିହା ବେଳକୁ ଭାରତର ଶକ୍ତି ଚାହିଦା ଦ୍ୱିଗୁଣିତ ହେବ ଏବଂ ଭାରତ ଶକ୍ତି ଉତ୍ପାଦନକାରୀ କମ୍ପାନୀମାନଙ୍କ ପାଇଁ ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ସେ କହିଛନ୍ତି ।

୨୦୧୬ ମସିହାରେ ଆୟୋଜିତ ଗତ ପେଟ୍ରୋଟେକ୍ ସମ୍ମିଳନୀକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଲେ ଯେ ସେତେବେଳେ ସେ ସୂଚାଇଥିଲେ ଯେ ଭାରତର ଶକ୍ତି ଭବିଷ୍ୟତ ଚାରିଟି ଖୁଣ୍ଟ ଉପରେ ଆଧାରିତ । ସେଗୁଡ଼ିକ ହେଲା- ଶକ୍ତି ଉପଲବ୍ଧତା, ଶକ୍ତି ସକ୍ରିୟତା, ଶକ୍ତି ପୋଷଣୀୟତା ଏବଂ ଶକ୍ତି ନିରାପତ୍ତା । ଶକ୍ତି ନ୍ୟାୟ ମଧ୍ୟ ଏ ଦିଗରେ ଏକ ପ୍ରମୁଖ ସାଧନ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଲେ ଯେ ଏହା ଭାରତ ପାଇଁ ସର୍ବାଧିକ ମାନ୍ୟତା ରଖେ । ସେ କହିଲେଯେ “ଶେଷ ବେଳକୁ ଆମେ ଏଭଳି ଅନେକ ନୀତିର ବିକାଶ ଘଟାଇଛୁ ଏବଂ ସେଗୁଡ଼ିକୁ ପ୍ରବର୍ତ୍ତନ କରିଛୁ । ଏଭଳି ପ୍ରୟାସର ସୁଫଳ ଏବେ ଜଳଜଳ ହୋଇ ଦୃଶ୍ୟମାନ ହେଉଛି । ବିଜୁଳିଶକ୍ତି ଏବେ ଆମର ଦୁର୍ଗମ ଗ୍ରାମାଞ୍ଚଳରେ ପହଞ୍ଚି ସାରିଛି” ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ବ୍ୟକ୍ତ କରିଥିଲେ । ଶକ୍ତି ନ୍ୟାୟ ସେତିକି ବେଳେ ଉପଲବ୍ଧ କରାଯାଇପାରିବ ଯେତେବେଳେ ଲୋକମାନେ ସେମାନଙ୍କର ସାମୂହିକ ଶକ୍ତିକୁ ହୃଦୟଙ୍ଗମ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଛନ୍ତି ।

“ବ୍ଲୁ ଫ୍ଲେମ୍” (ନୀଳ ଶିଖା) ବିପ୍ଳବ ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ଘୋଷଣା କରି ପ୍ରଧାନମନ୍ତ୍ରୀ କହିଲେ ଯେ “ଦେଶରେ ଏବେ ୯୦ %ରୁ ଅଧିକ ଲୋକଙ୍କ ନିକଟରେ ଏଲପିଜି ସଂଯୋଗ ପହଞ୍ଚିପାରିଛି ଯାହାକି ପାଞ୍ଚବର୍ଷ ତଳେ ମାତ୍ର ୫୫% ଥିଲା । ପ୍ରଧାନମନ୍ତ୍ରୀ କହିଲେ ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତର ତୈଳ ଓ ବାଷ୍ପ ସେକ୍ଟର ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଦେଖିଛି ।”  ଅଧୁନା ଭାରତ ବିଶ୍ୱର ଚତୁର୍ଥ ତୈଳ ବିଶୋଧନକାରୀ ରାଷ୍ଟ୍ର ଭାବେ କ୍ଷମତା ହାସଲ କରିଛି । ଏହା ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇବ ଏବଂ ୨୦୩୦ ମସିହା ବେଳକୁ ଏହାର କ୍ଷମତା ୨୦୦ ନିୟୁତ ମେଟ୍ରିକ ଟନ୍ ଛୁଇଁଥିବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ବାଷ୍ୱଭିତ୍ତିକ ଅର୍ଥବ୍ୟବସ୍ଥା ଦିଗରେ ବେଶ ଦ୍ରୁତ ଗତିରେ ଅଗ୍ରଗତି କରିଚାଲିଛି । ୧୬,୦୦୦ କିଲୋମିଟରରୁ ଅଧିକ ଗ୍ୟାସ ପାଇପ ଲାଇନ୍ ଏବେ ସୁଦ୍ଧା ଦେଶରେ ବିଛାଯାଇସାରିଛି ଏବଂ ଅତିରିକ୍ତ ୧୧,୦୦୦ କିଲୋମିଟର ଦୈର୍ଘ୍ୟ ପାଇପ ଲାଇନ୍ ବିଛା ନିର୍ମାଣାଧୀନ ରହିଛି । ସହରାଞ୍ଚଳ ବାଷ୍ୱ ବିତରଣର ଦଶମ ରାଉଣ୍ଡ୍ ସୁଦ୍ଧା ପ୍ରାୟ ୪୦୦ରୁ ଅଧିକ ଜିଲ୍ଲାକୁ ସାମିଲ କରାଯାଇଛି ଏବଂ ଏବେ ଦେଶର ୭୦%ରୁ ଉର୍ଦ୍ଧ୍ଵ ସହରାଞ୍ଚଳରେ ସିଟି ଗ୍ୟାସ ବିତରଣ ସେବା ପହଞ୍ଚିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଚଳିତ ପର୍ଯ୍ୟାୟ ପେଟ୍ରୋଟେକ୍ ୨୦୧୯ରେ ତୈଳ ଓ ବାଷ୍ପ ସେକ୍ଟରର ପ୍ରମୁଖ ଉଦ୍ୟୋଗୀମାନେ ଯୋଗ ଦେଇଛନ୍ତି । ଗତ ପଚିଶ ବର୍ଷ ମଧ୍ୟରେ ପେଟ୍ରୋଟେକ୍ ଶକ୍ତି କ୍ଷେତ୍ରରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟାର ଆଲୋଚନା ଏବଂ ସେସବୁର ସମାଧାନ ପାଇଁ ଏହା ଏକ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିଆସିଛି । ଏହା ବ୍ୟତୀତ ଭବିଷ୍ୟତରେ ଶକ୍ତି କ୍ଷେତ୍ର ସାମ୍ନା କରିବାକୁ ଥିବା ବିଭିନ୍ନ ଚାଲେଞ୍ଜ, ବିଶ୍ୱରେ ଦେଖାଦେଉଥିବା ପରିବର୍ତ୍ତନ, ନୀତି ଓ ନୂତନ ପ୍ରଯୁକ୍ତି ଯାହାକି ଶକ୍ତି ବଜାରରେ ସ୍ଥିରତା ଏବଂ ଭବିଷ୍ୟତର ନିବେଶକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ସେହିସବୁ ପ୍ରସଙ୍ଗ ଉପରେ ମଧ୍ୟ ଏଥିରେ ଆଲୋଚନା କରାଯାଇ ଆସୁଛି ।

Leave A Reply