ଷୋଡ଼ଶ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଶେଷ ଭାଷଣ ; ଦେଖିପାରିଲି ନାହିଁ ଭୂମିକମ୍ପ

0

ନୂଆଦିଲ୍ଲୀ : ଷୋଡଶ ଲୋକସଭାର ଶେଷ ଅଧିବେଶନ ଶେଷ ହୋଇଛି। ଲୋକସଭାର ଶେଷ ଦିନରେ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ବିରୋଧୀ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏକଦା ରାହୁଲ କହିଥିଲେ ‘ରାଫେଲ ବୁଝାମଣା ସମ୍ପର୍କରେ ଯଦି ମୁହଁ ଖୋଲିବି ତେବେ ଗୃହରେ ଭୂମିକମ୍ପ ହେବ।’ ତେବେ ରାହୁଲଙ୍କ ଏହି ଭୂମିକମ୍ପ ମନ୍ତବ୍ୟକୁ ନେଇ ପ୍ରଧାନମନ୍ତ୍ରୀ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲୋକସଭା ଶେଷ ହୋଇଥିବାବେଳେ ରାହୁଲଙ୍କ ଭୂମିକମ୍ପ ​‌େଦଖିପାରିଲି ନାହିଁ। ରାହୁଲଙ୍କ ଆଲିଙ୍ଗନ, ଆଖି ମିଟିକା ଆଦି ଗୃହରେ ଦେଖିବାକୁ ମିଳିଥିଲା; ମାତ୍ର ତାଙ୍କର ଭୂମିକମ୍ପ ଦେଖିବାକୁ ମିଳିଲା ନାହିଁ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ସମୟରେ ଭାରତର ପ୍ରଭାବ ବିଶ୍ବରେ ବୃଦ୍ଧି ପାଇଥିଲା। ଏକ ସଂଖ୍ୟା ଗରିଷ୍ଠ ସରକାର ଯୋଗୁଁ ଏହା ସମ୍ଭବ ହୋଇପାରିଥିଲା। ଅତୀତରେ ମେଣ୍ଟ ସରକାର ଓ ଝୁଲା ସରକାର ଯୋଗୁଁ ସରକାର ସ୍ଥିର ନୀତି ଓ ନିଷ୍ପତ୍ତି ନେଇପାରୁ ନଥିଲେ। ସ୍ଥିର ସରକାର ଯୋଗୁଁ ଭାରତ ଆଜି ବିଶ୍ବର ୬ଷ୍ଠ ବୃହତ ଅର୍ଥନୀତି ଭାବେ ଉଭା ହୋଇଥିବା ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ବାଚସ୍ପତି ସୁମିତ୍ରା ମହାଜନଙ୍କୁ ପ୍ରଶଂସା କରିଥିଲେ। ୫ବର୍ଷ ମଧ୍ୟରେ ଲୋକସଭାର ୧୭ଟି ଅଧିବେଶନ ବସିଥିଲାବେଳେ ୮ଟି ଅଧିବେଶନ ଶତପ୍ରତିଶତ ଫଳପ୍ରଦ ହୋଇଛି। ଷୋଡଶ ଲୋକସଭାରେ ୨୦୩ଟି ବିଧେୟକ ଗୃହୀତ ହୋଇଥିବା ବେଳେ ମୋଟ ୨୧୯ଟି ବିଧେୟକ ଆଗତ କରାଯାଇଥିଲା। ଆଗକୁ ଲୋକସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଚଳିତ ବଜେଟ୍ ଅଧିବେଶନ ଲୋକସଭାର ଶେଷ ଅଧିବେଶନ ଥିଲା। ଜାନୁଆରୀ ୩୧ରୁ ଏହି ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା। ବଜେଟ୍ ଅଧିବେଶନ ଶେଷ ସହିତ ସଂସଦର ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।

Leave A Reply