“ଚୌକିଦାର” ଏବେ ପାଲଟି ଯାଇଛି ଦେଶଭକ୍ତିର ଶବ୍ଦ : ମୋ​ଦୀ

0

ନୂଆଦିଲ୍ଲୀ : “ଚୌକିଦାର” ଏବେ ଦେଶଭକ୍ତିର ଶବ୍ଦ ପାଲଟିଯାଇଛି । ଦେଶର ସୁରକ୍ଷା କରୁଥିବା “ଚୌକିଦାର”(ସୈନିକ)ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମା ପ୍ରାର୍ଥନା କରିବା ସହିତ ୨୫ ଲକ୍ଷ ଚୌକିଦାରଙ୍କ ସହିତ ଭାବ ବିନିମୟ କରିଛନ୍ତି। “ଚୌକିଦାର”ଙ୍କୁ ଚୋର କୁହାଯାଉଥିବାରୁ ସେ କ୍ଷମା ମାଗିଥିଲେ। “ମେଁ ଭି ଚୌକିଦାର” ଅଭିଯାନର ଅଂଶ ସ୍ବରୂପ ପ୍ରଧାନମନ୍ତ୍ରୀ ଦେଶର ୨୫ ଲକ୍ଷ ଚୌକିଦାରଙ୍କ ସହିତ ଅଡିଓ କନଫେରନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି । ଏବେ ସାରା ଦେଶ ଚୌକିଦାର ହେବା ପାଇଁ ଶପଥ ନେଉଛି। ଧନୀ ଓ ବଡ଼ ବଡ଼ିଆ ଲୋକେ ସଦା ସର୍ବଦା ସଚ୍ଚୋଟ ତଥା ପରିଶ୍ରମୀ ଲୋକଙ୍କୁ ଅପମାନିତ କରୁଛନ୍ତି ବୋଲି ଶ୍ରୀ ମୋଦୀ  କହିଛନ୍ତି।

ଏହି ସମୟରେ ଦୁଇରୁ ତିନି ଜଣ ଚୌକିଦାରଙ୍କ ସହ ପ୍ରଧାନମନ୍ତ୍ରୀ ସିଧା କଥା ହୋଇଥିଲେ।  କଂଗ୍ରେସ ଚୌକିଦାରଙ୍କୁ ଚୋର କହିବା ପ୍ରସଙ୍ଗରେ ଶ୍ରୀ ମୋଦୀ କହିଛନ୍ତି ସବୁ ଗାଳିକୁ ଗହଣା କରି ଦେଶବାସୀଙ୍କୁ ଆଗକୁ ବଢି ଚାଲିବା ଦରକାର । ବିରୋଧୀଙ୍କୁ ଆକ୍ଷେପ କରି ପ୍ରଧାନମନ୍ତ୍ରୀ  କହିଛନ୍ତି ଚୌକିଦାରଙ୍କୁ ଗାଳି ଦେଉଥିବା ଲୋକଙ୍କୁ ଦେଶ କେବେ କ୍ଷମା କରିବ ନାହିଁ ।

ଓଡ଼ିଶାରୁ ଜଣେ ଚୌକିଦାର ସନ୍ତୋଷ କୁମାର କହିଥିଲେ ଆପଣ ପୁଲୱାମା ଆକ୍ରମଣ ପରେ ପାକିସ୍ତାନକୁ କଡା ଜବାବ ଦେଇଥିଲେ । ଆପଣ ଚୌକିଦାରଙ୍କ ଇଜ୍ଜତ ବଢାଇଦେଇଛନ୍ତି ଏବଂ ଦେଶବାସୀଙ୍କ ଛାତି ଗର୍ବରେ ଫୁଲି ଉଠିଛି । ଆପଣ କିଛି ଚିନ୍ତା କରନ୍ତୁ ନାହିଁ ଆମେ ସବୁ ଆପଣଙ୍କ ସହ ଅଛୁ ବୋଲି ସନ୍ତୋଷ କହିଥିଲେ।

ଆମମାନଙ୍କୁ ସେନା ଉପରେ ଗର୍ବ କରିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କିନ୍ତୁ ଭାରତର ବିଭାଜନ ହେବାକୁ ଚାହୁଁଥିବା ଲୋକମାନେ ଏହି କଥା ଗ୍ରହଣ କରିପାରୁନାହାନ୍ତି ଯେ ଆମେ ପାକିସ୍ତାନ ଯାଇ ଆକ୍ରମଣ କରି ପ୍ରତିଶୋଧ ନେଇଛୁ । ଦେଶ ଜବାନମାନଙ୍କ ସାହସକୁ କେବେ ଭୁଲିବ ନାହିଁ ଏବଂ ପାକିସ୍ତାନ ଉପରେ ଆକ୍ରମଣ ପରେ ଭାରତରେ ରହି ପାକିସ୍ତାନ ପାଇଁ ପାଟି କରୁଥିବା ଲୋକଙ୍କୁ ମଧ୍ୟ କେବେ ଭୁଲିବନାହିଁ।

କଂଗ୍ରେସର ’ଚୌକିଦାର ଚୋର ହୈ’ ଉପରେ ଶ୍ରୀ ମୋଦୀ  ବର୍ଷିଛନ୍ତି । ଚୌକିଦାର ପ୍ରସଙ୍ଗ ଏବେ ସାରା ଦେଶରେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି । ଚୌକିଦାରକୁ ନେଇ ରାଜନୀତି ଆରମ୍ଭ କରିଥିବା କଂଗ୍ରେସ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଭିନ୍ନ ରାଲିରେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରି ’ଚୌକିଦାର ଚୋର ହୈ’ କହୁଥିଲେ। ଏହା ପରେ ବିଜେପି ଜବାବ ଦେଇ ’ମୈ ଭି ଚୌକିଦାର’ ଅଭିଯାନ ଆରମ୍ଭ କରିଛି । ସରକାରଙ୍କ ମନ୍ତ୍ରୀ, ସବୁ ନେତା ନିଜ ଟ୍ୱିଟରେ ନାଁ ପୂର୍ବରୁ ଚୌକିଦାର ଲେଖୁଛନ୍ତି।  ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା ’ମେ ଭି ଚୌକିଦାର’ ଅଭିଯାନ ସାମାଜିକ ଗଣ ମାଧ୍ୟମରେ ଅଧିକ ଗ୍ରହଣୀୟ ହେବାରେ ଲାଗିଛି ।

 

Leave A Reply