ପ୍ରଧାନମନ୍ତ୍ରୀଙ୍କ ନୈଶ୍ୟ ଭୋଜିକୁ ଆସିଲେନି ସୋନିଆ, ରାହୁଲ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ନୈଶ୍ୟ ଭୋଜିରେ ଯୋଗଦେଇ ନାହାନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସମାଜବାଦୀ ପାର୍ଟି ନେତା ଅଖିଳେଶ ସିଂହ ଯାଦବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଲୋକସଭା ଓ ରାଜ୍ୟସଭାର ସମସ୍ତ ୭୫୦ ସାଂସଦଙ୍କୁ ଏକ ନୈଶ୍ୟ ଭୋଜିକୁ ନିମନ୍ତ୍ରଣ କରିଥିଲେ। ସଂଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସମସ୍ତଙ୍କ ନିକଟକୁ ନିମନ୍ତ୍ରଣ ପଠା ଯାଇଥିଲା। ସରକାରଙ୍କ ଦ୍ବାରା ପରିଚାଳିତ ପଞ୍ଚତାରକା ହୋଟେଲ ‘ଅଶୋକ’ରେ ଆୟୋଜିତ ଏହି ଭୋଜିରେ କେବଳ ସାଦା ଭୋଜନର ଆୟୋଜନ ହୋଇଥିଲା। ଏଥିରେ ରାଜ୍ୟସଭାରେ କଂଗ୍ରେସର ନେତା ଗୁଲାମନବି ଆଜାଦ, ଡିଏମ୍‌କେ ନେତ୍ରୀ କାନିମୋଝି, ଆପ୍‌ ସାଂସଦ ସଞ୍ଜୟ ସିଂହ ପ୍ରମୁଖଙ୍କ ସହିତ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ଏନ୍‌ଡିଏ, ୟୁପିଏ ମେଣ୍ଟ ଅନ୍ତର୍ଭୁକ୍ତ ବିଭିନ୍ନ ଦଳର ସାଂସଦମାନେ ଯୋଗଦେଇଥିଲେ। ତେବେ ତୃଣମୂଳ କଂଗ୍ରେସ, ଦୁଇ ବାମପନ୍ଥୀ ଦଳ ସିଆଇ(ଏମ୍‌) ଓ ସିପିଆଇ, ବହୁଜନ ସମାଜ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ସାଂସଦମାନେ ଏହି ଭୋଜିରେ ଯୋଗନେଇ ନ ଥିଲେ। ରାଜନୈତିକ ବିଭେଦ ଭୁଲି ସାଂସଦମାନେ ଏଠାରେ ଅତି ଖୋଲା ମନରେ ଭାବର ଆଦାନ ପ୍ରଦାନ କରୁଥିବା ଦେଖାଯାଇଥିଲା।

Comments are closed.