ପୂର୍ବ ଭାରତର ବିକାଶ : ୨୨ରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ଓ ଆଧାରଶିଳା ରଖିିବେ ପ୍ରଧାନମନ୍ତ୍ରୀ

0
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ ସେପ୍ଟେମ୍ବର ୨୨ ତାରିଖରେ ତାଳଚେର ଫର୍ଟିଲାଇଜର୍‍ ଲିମିଟେଡ୍‍ (ଗେଲ୍‍, ସିଆଇଏଲ୍‍, ଆର୍‍ସିଏଫ୍‍ ଏବଂ ଏଫ୍‍ସିଆଇଏଲ୍‍ର ମିଳିତ ଉଦ୍ୟୋଗ)ରେ ପ୍ରଥମ କରି କୋଲ୍‍ ଗ୍ୟାସିଫିକେସନ୍‍ ଆଧାରିତ ସାର କାରଖାନାର ଶୁଭ କାର୍ଯ୍ୟାରମ୍ଭ ଏବଂ ଝାରସୁଗୁଡ଼ା ବିମାନବନ୍ଦର ଉଦ୍‍ଘାଟନ ତଥା ଏହି ବିମାନବନ୍ଦରରୁ ଉଡ଼ାନ୍‍ର ଶୁଭାରମ୍ଭ କରିବେ। ଗର୍ଜନବାହାଲ ଖୋଲାମୁହଁ ଖଣି ପ୍ରକଳ୍ପ ଏବଂ ସୁନ୍ଦରଗଡ଼ରେ ଏମ୍‍ସିଏଲ୍‍ର ଝାରସୁଗୁଡ଼ା-ସର୍‍ଡେଗା ରେଳ ଲାଇନ୍‍ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଏବଂ ସୁନ୍ଦରଗଡ଼ରେ ଏନ୍‍ଟିପିସିର ଦୁଲଙ୍ଗା କୋଇଲା ଖଣିରୁ କୋଇଲା ଉତ୍ପାଦନ ତଥା ପରିବହନ କାର୍ଯ୍ୟର ଶୁଭାରମ୍ଭ କରିବେ।

ଭୁବନେଶ୍ୱର : ପୂର୍ବ ଭାରତକୁ ବିକାଶ ପଥରେ ଅଗ୍ରସର କରାଇବା ଲାଗି ଓଡ଼ିଶାର ବିଭିନ୍ନ ସ୍ଥାନରେ ମାନନୀୟ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ଝାରସୁଗୁଡ଼ା ବିମାନବନ୍ଦର ଉଦ୍‍ଘାଟନ ତଥା ଏହି ବିମାନବନ୍ଦରରୁ ଉଡ଼ାନ୍‍ର ଶୁଭାରମ୍ଭ, ଗର୍ଜନବାହାଲ ଖୋଲାମୁହଁ ଖଣି ପ୍ରକଳ୍ପ ଏବଂ ସୁନ୍ଦରଗଡ଼ରେ ଏମ୍‍ସିଏଲ୍‍ର ଝାରସୁଗୁଡ଼ା-ସର୍‍ଡେଗା ରେଳ ଲାଇନ୍‍ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ, ସୁନ୍ଦରଗଡ଼ରେ ଏନ୍‍ଟିପିସିର ଦୁଲଗାଁ କୋଇଲା ଖଣିରୁ କୋଇଲା ଉତ୍ପାଦନ ତଥା ପରିବହନ କାର୍ଯ୍ୟର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବନ୍ଦ ହୋଇଥିବା କାରଖାନାକୁ ପୁନଃ ଚାଲୁ କରାଇ ଦେଶକୁ ସାର ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରାଇବା ପାଇଁ ପ୍ରଥମ କରି ପେଟ୍‍ କୋକ୍‍ ବ୍ଲେଣ୍ଡିଂ ସହ କୋଲ୍‍ ଗ୍ୟାସିଫିକେସନ୍‍ ଆଧାରିତ ସାର କାରଖାନା ଶୁଭାରମ୍ଭ କରିବେ।

ଭୁବନେଶ୍ୱରରେ ଗୁରୁବାର ମହାନଦୀ କୋଲ୍‍ ଫିଲ୍ଡସ ଲିମିଟେଡ୍‍ (ଏମ୍‍ସିଏଲ୍‍), ଏନ୍‍ଟିପିସି ଲିମିଟେଡ୍‍, ତାଳଚେର ଫର୍ଟିଲାଇଜର୍‍ସ୍‍ ଲିମିଟେଡ୍‍ ଏବଂ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ ଆୟୋଜିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୦୧୮ ସେପ୍ଟେମ୍ବର ୨୨ ତାରିଖରେ ଅନୁଗୁଳ, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲାରେ ଏହିସବୁ ମହତ୍ୱପୂର୍ଣ୍ଣ ପ୍ରକଳ୍ପ ଶୁଭାରମ୍ଭ ସମ୍ପର୍କରେ ସୂଚନା ଦିଆଯାଇଛି।
ମହାନଦୀ କୋଲଫିଲ୍ଡସ୍‍ ଲିମିଟେଡ୍‍ (ଏମ୍‍ସିଏଲ୍‍)ର ନିର୍ଦ୍ଦେଶକ ଅପରେସନ୍‍ (ବୈଷୟିକ) ଜେ.ପି. ସିଂହ, ନିର୍ଦ୍ଦେଶକ (ବିତ) କେ.ଆର. ବାସୁଦେବନ୍‍, ଏନ୍‍ଟିପିସିର ଆଂଚଳିକ ନିର୍ବାହୀ ନିର୍ଦେଶକ (ପୂର୍ବାଂଚଳ କ୍ଷେତ୍ର-୨), ୟୁ.ଭି. ଧତରକ୍‍, ତାଳଚେର ଫର୍ଟିଲାଇଜର୍‍ ଲିମିଟେଡ୍‍ ଏବଂ ରାଷ୍ଟ୍ରୀୟ କେମିକାଲ୍‍ ଆଣ୍ଡ ଫର୍ଟିଲାଇଜର୍‍ ଲିମିଟେଡ୍‍ର ଅଧ୍ୟକ୍ଷ ଏବଂ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ, ଭାରତୀୟ ବିମାନବନ୍ଦର ପ୍ରାଧିକରଣର ସଦସ୍ୟ (ଯୋଜନା)  ଏ.କେ. ପାଠକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଏହିସବୁ ପ୍ରକଳ୍ପ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୨ ସେପ୍ଟେମ୍ବର ୨୦୧୮ରେ ଲେକାର୍ପିତ ହେବାକୁ ଥିବା ଏହିସବୁ ପ୍ରକଳ୍ପ ହେଉଛି :-

 ଏମ୍‍ସିଏଲ୍‍ର ଗର୍ଜନବାହାଲ ଖୋଲାମୁହଁ ଖଣି ପ୍ରକଳ୍ପ ଏବଂ ଝାରସୁଗୁଡ଼ା-ସର୍‍ଡେଗା ରେଳ ଲାଇନର ଲୋକାର୍ପଣ
ସୁନ୍ଦରଗଡ଼ ଜିଲାରେ ମହାନଦୀ କୋଲଫିଲ୍ଡସ ଲିମିଟେଡ୍‍ (ଏମ୍‍ସିଏଲ୍‍)ର ଗର୍ଜନବାହାଲ ଖୋଲାମୁହଁ ଖଣି ପ୍ରକଳ୍ପରେ ୨୩୦ ନିୟୁତ ଟନ୍‍ କୋଇଲା ଗଚ୍ଛିତ ରହିଛି ଯେଉଁଥିରେ ବାର୍ଷିକ ୧୩ ନିୟୁତ ଟନ୍‍ ଉତ୍ପାଦନ କ୍ଷମତା ରହିଛି- ଏହା ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏହା ୮୯୪ ଆଶାୟୀଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ ୫୦୦୦ ବେରୋଜଗାରଙ୍କ ପାଇଁ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ନରେନ୍ଦ୍ର ମୋଦୀ ମଧ୍ୟ ଏମ୍‍ସିଏଲ୍‍ ଦ୍ୱାରା ୧,୧୨୪ କୋଟି ଟଙ୍କା ବିନିଯୋଗରେ ନିର୍ମିତ ୫୩.୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଝାରସୁଗୁଡ଼ା-ସର୍‍ଡେଗା ରେଳଲାଇନ୍‍ର ଉଦ୍‍ଘାଟନ କରିବେ। ଏହି ରେଳଲାଇନ୍‍ କାର୍ଯ୍ୟକ୍ଷମ ହେଲେ ଏହା ପେଲ୍‍ମା (ଅନୁପୁର ରେଳ ଷ୍ଟେସନ ନିକଟ)କୁ ସଂଯୋଗ କରିବାରେ ଖୁବ୍‍ ସହଜ ହେବ। ଏହି ରେଳ ଲାଇନ୍‍ ମଧ୍ୟ ଭାରତୀୟ ରେଳବାଇ ଦ୍ୱାରା ଯାତ୍ରୀମାନଙ୍କ ପାଇଁ ବ୍ୟବହାର ଉପଯୋଗୀ ହୋଇପାରିବ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମହାନଦୀ କୋଲ୍‍ଫିଲ୍ଡସ୍‍ ଲିମିଟେଡ୍‍ କୋଇଲା ମନ୍ତ୍ରଣାଳୟ ଅଧୀନରେ ଏକ ମିନି ରତ୍ନ ରାଷ୍ଟ୍ରାୟତ କମ୍ପାନୀ। ଏହା କୋଲ୍‍ ଇଣ୍ଡିଆ ଲିମିଟେଡ୍‍ର ମହାରତ୍ନ ସେଂଟ୍ରାଲ୍‍ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ ଅଧୀନ ଏକ ଅଂଶୀଦାର କମ୍ପାନୀ। ଭାରତରେ ମୋଟ୍‍ ବିଦ୍ୟୁତ୍‍ ଉତ୍ପାଦନର ୭୬% କୋଇଲାରୁ ହେଉଥିବା ବେଳେ ସିଆଇଏଲ୍‍ ଭାରତରେ ମୋଟ୍‍ କୋଇଲା ଉତ୍ପାଦନରେ ୮୬% ଯୋଗଦାନ ରଖିଛି। ଅନୁଗୁଳ ଜିଲାର ତାଳଚେର୍‍ କୋଲ୍‍ଫିଲ୍ଡ, ଝାରସୁଗୁଡ଼ା ଜିଲାରେ ଇବ୍‍ ଫିଲ୍ଡରେ ଇବ୍‍ ଭ୍ୟାଲି କୋଲ୍‍ଫିଲ୍ଡ ଏବଂ ସୁନ୍ଦରଗଡ଼ ଜିଲାର ବସୁନ୍ଧାର ଖଣିକ୍ଷେତ୍ରରେ ଏମ୍‍ସିଏଲ୍‍ କାର୍ଯ୍ୟ କରୁଛି, ଯାହାର ମୁଖ୍ୟଳୟ ଓଡ଼ିଶାର ସମ୍ବଲପୁର ଜିଲାରେ ରହିଛି। ଓଡ଼ିଶାରେ ୧୯୯୨ ମସିହାରେ ଏମ୍‍ସିଏଲ୍‍ ପ୍ରଥମେ ଉତ୍ପାଦନ ଆରମ୍ଭ କରିଥିଲା ଏବଂ ପ୍ରଥମ ବର୍ଷରେ ଏହାର ଉତ୍ପାଦନ ଥିଲା ୨୩ ନିୟୁତ ଟନ୍‍। ୨୦୧୭-୧୮ ଆର୍ଥିକ ବର୍ଷରେ ଏହା ୧୪୩ ନିୟୁତ ଟନ୍‍ ଉତ୍ପାଦନ କରିଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଭାରତ ସରକାର ୧୬୨.୫୦ ନିୟୁତ ଟନ୍‍ ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

 ଏନ୍‍ଟିପିସିର ଦୁଲଙ୍ଗା କୋଇଲା ଖଣିରୁ କୋଇଲା ଉତ୍ପାଦନ ଏବଂ ପରିବହନର ଶୁଭାରମ୍ଭ:
ଏନ୍‍ଟିପିସିର ଦୁଲଙ୍ଗା କୋଇଲା ଖଣି ପ୍ରକଳ୍ପ ଓଡ଼ିଶାର ସୁନ୍ଦରଗଡ଼ ଜିଲା ଅନ୍ତର୍ଗତ ହେମଗିର ତହସିଲରେ ରହିଛି। କୋଇଲା ଉତ୍ପାଦନ ଆରମ୍ଭ ହେଲେ ଏଠାରୁ ବର୍ଷକୁ ୭ ନିୟୁତ ଟନ୍‍ ଉତ୍ପାଦନ ହୋଇପାରିବ ଏବଂ ଏହା ୨୪ ବର୍ଷ ପର୍ଯ୍ୟନ୍ତ ଉତ୍ପାଦନକ୍ଷମ ରହିବ। ଏହା ଏନ୍‍ଟିପିସି ଦ୍ୱାରା କାର୍ଯ୍ୟକ୍ଷମ ହେବାକୁ ଥିବା ଦ୍ୱିତୀୟ ଖଣି ଏବଂ ରାଜ୍ୟରେ କମ୍ପାନୀର ପ୍ରଥମ ଖଣି। ଏଥିରୁ ଉତ୍ପାଦିତ କୋଇଲା ଓଡ଼ିଶାର ସୁନ୍ଦରଗଡ଼ ଜିଲାରେ ନିର୍ମାଣାଧୀନ ଉଚ୍ଚ କ୍ଷମତାସମ୍ପନ୍ନ ୧୬୦୦ ମେଗାୱାଟ୍‍ ଦର୍ଲିପାଲି ତାପଜ ବିଦ୍ୟୁତ କେନ୍ଦ୍ର ପାଇଁ ବ୍ୟବହୃତ ହେବ। ଓଡ଼ିଶା ସରକାରଙ୍କ ସହ ରାଜିନାମା ଅନୁଯାୟୀ ଏନ୍‍ଟିପିସି ଏହାର ଦୁଲାଙ୍ଗ କୋଲ ବ୍ଲକ ପାଇଁ ୨୮.୬୨ କୋଟି ଟଙ୍କାର ଅଗ୍ରିମ ରାଶି ଜମା କରିସାରିଛି। ଓଡ଼ିଶା ସରକାରଙ୍କୁ ହସ୍ତାନ୍ତର ପୂର୍ବରୁ ଏହି ଖଣି ଅଂଚଳ ପୁନଃ ଉର୍ବର, ବନୀକରଣ ଏବଂ ଏକ ଇକୋ-କ୍ଷେତ୍ର ଭାବେ ବିକଶିତ ହେବ। ଅଂଚଳରେ କୋଇଲା ଉତ୍ପାଦନ ପୂର୍ବରୁ ହେମଗିର ଓ ସୁନ୍ଦରଗଡ଼ରେ ସ୍ୱାସ୍ଥ୍ୟ ଓ ପରିମଳ, ଶିକ୍ଷା, ଦକ୍ଷତା ନିର୍ମାଣ, ଭିତିଭୂମିର ବିକାଶ, ସୋଲାର୍‍ ଡୁଆଲ ୱାଟର ପମ୍ପିଙ୍ଗ ଏବଂ ଯୋଗାଣ ପଦ୍ଧତି, ସୋଲାର ଷ୍ଟ୍ରିଟ ଲାଇଟ, ସୋଲାର ରୁଫ୍‍ଟପ୍‍ ପାୱାର୍‍ ପ୍ଲାଂଟ, ସୋଲାର୍‍ କମ୍ୟୁନିଟି ଆର୍‍ଓ ଏବଂ ୱାଟର୍‍ ଏଟିଏମ୍‍ ଆଦି ସମେତ ଅନ୍ୟ ଅନେକ ବିକାଶ କାର୍ଯ୍ୟଧାରାରେ ଏନ୍‍ଟିପିସି ଦୁଲାଙ୍ଗ ୩୧.୩ କୋଟି ଟଙ୍କା ଖର୍ଚ୍ଚ କରିସାରିଛି।
 ତାଳଚେର ଫର୍ଟିଲାଇଜର୍‍ ଲିମିଟେଡ୍‍ (ଗେଲ୍‍, ସିଆଇଏଲ୍‍, ଆର୍‍ସିଏଫ୍‍ ଏବଂ ଏଫ୍‍ସିଆଇଏଲ୍‍ର ସଂଯୁକ୍ତ ଉଦ୍ୟୋଗ) ପାଇଁ ଶୁଭ କାର୍ଯ୍ୟାରମ୍ଭ
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବନ୍ଦ ହୋଇଥିବା କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରାଇ ଦେଶକୁ ସାର ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରାଇବା ପାଇଁ ପ୍ରଥମ କରି ପେଟ୍‍ କୋକ୍‍ ବ୍ଲେଣ୍ଡିଂ ସହ କୋଲ୍‍ ଗ୍ୟାସିଫିକେସନ୍‍ ଆଧାରିତ ସାର କାରଖାନାର ଶୁଭ କାର୍ଯ୍ୟାରମ୍ଭ କରିବେ।
ଗେଲ୍‍ ଇଣ୍ଡିଆ ଲିମିଟେଡ୍‍ (ଗେଲ୍‍), କୋଲ୍‍ ଇଣ୍ଡିଆ ଲିମିଟେଡ୍‍ (ସିଆଇଏଲ୍‍), ରାଷ୍ଟ୍ରୀୟ କେମିକାଲ୍‍ ଆଣ୍ଡ ଫର୍ଟିଲାଇଜର୍‍ସ ଲିମିଟେଡ୍‍(ଆର୍‍ସିଏଫ୍‍ଏଲ୍‍) ଏବଂ ଫର୍ଟିଲାଇଜର କର୍ପୋରେସନ୍‍ ଅଫ୍‍ ଇଣ୍ଡିଆ ଲିମିଟେଡ୍‍ (ଏଫ୍‍ସିଆଇଏଲ୍‍)ର ମିଳିତ ଉଦ୍ୟୋଗ ତାଳଚେର୍‍ ଫର୍ଟିଲାଇଜର୍‍ ଲିମିଟେଟ୍‍ ଦ୍ୱାରା ଏହି ପ୍ଲାଂଟ ୧୩,୦୦୦ କୋଟି ଟଙ୍କା ବିନିଯୋଗରେ ବିକଶିତ ହେବାକୁ ଯାଉଛି।
ଏହି ପ୍ରକଳ୍ପ ମାଧ୍ୟମରେ କୋଇଲା ଏବଂ ପେଟ୍‍କୋକ୍‍ ବ୍ୟବହାର କରି ବାର୍ଷିକ ୧.୨୭ ନିୟୁତ ମେଟ୍ରିକ୍‍ ଟନ୍‍ ‘ନିମ୍‍’ କୋଟେଡ୍‍ ପ୍ରିଲ୍‍ଡ୍‍ ୟୁରିଆ ଉତ୍ପାଦନ ହୋଇପାରିବ। ୨୦୨୨ ସୁଦ୍ଧା ଏହି ପ୍ଲାଂଟ କାର୍ଯ୍ୟ ଆରମ୍ଭ କରିବାର ଯୋଜନା ରହିଛି। ଏବେ ରାଜ୍ୟରେ କୌଣସି ୟୁରିଆ ପ୍ଳାଂଟ ନଥିବାରୁ ତାଳଚେରର ଏହି ପ୍ଲାଂଟ ଦ୍ୱାରା ଓଡ଼ିଶାରେ ସହଜରେ ୟୁରିଆ ଉପଲବ୍ଧ ହୋଇପାରିବ।
 ଝାରସୁଗୁଡ଼ା ବିମାନବନ୍ଦର ଏବଂ ଏହି ବିମାନବନ୍ଦରରୁ ‘ଉଡ଼ାନ୍‍’ ଆରମ୍ଭ:
ଓଡ଼ିଶାର ଶକ୍ତିକେନ୍ଦ୍ର ଭାବେ ଜଣାଶୁଣା ଝାରସୁଗୁଡ଼ା ଜିଲାରେ ଏକ ନୂତନ ବିମାନବନ୍ଦରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ ସେପ୍ଟେମ୍ବର ୨୨ ତାରିଖରେ ଉଦ୍‍ଘାଟନ କରିବେ। ଓଡ଼ିଶା ସରକାରଙ୍କ ସହଯୋଗରେ ଝାରସୁଗୁଡ଼ା ବିମାନବନ୍ଦର ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଦ୍ୱାରା ୨୧୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଛି, ଏଥିପାଇଁ ଓଡ଼ିଶା ସରକାରଙ୍କର ୭୫ କୋଟି ଟଙ୍କାର ଯୋଗଦାନ ରହିଛି।୧୦୨୭.୫ ଏକର ପରିମିତ ଜମିରେ ନିର୍ମିତ ଏହି ବିମାନବନ୍ଦରର ଟର୍ମିନାଲ୍‍ ବିଲ୍ଡିଂ ୪୦୦୦ ବର୍ଗ କିଲୋମିଟର। ସବୁ ପାଗରେ କାର୍ଯ୍ୟକ୍ଷମ ହେବା ଉପଯୋଗୀ ବିକଶିତ ଏହି ବିମାନବନ୍ଦରରେ ଏ-୩୨୦ ଟାଇପ୍‍ ବିମାନ ରାତିରେ ଅବତରଣ ଓ ଉଡ଼ାଣ କରିପାରିବ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯାତ୍ରୀ ସୁବିଧା ବ୍ୟବସ୍ଥା ସହ ଟର୍ମିନାଲ୍‍ ବିଲ୍ଡିଂ ଏବଂ ଆର୍‍ସିସି ସଂରଚନା ଏଠାରେ ରହିଛି। ଏହି ବିଲ୍ଡିଂର ଆଭ୍ୟନ୍ତରରେ ସ୍ଥାନୀୟ ହସ୍ତକଳା, କଳାକୃତି ଏବଂ ରାଜ୍ୟର ପର୍ଯ୍ୟଟନ ସ୍ଥଳୀ ସମ୍ପର୍କରେ ପ୍ରଦର୍ଶିତ ହେବା ସହ ଏହି ଅଞ୍ଚଳର ସମୃଦ୍ଧ ଐତିହ୍ୟ ଓ ପରମ୍ପରା ସୂଚିତ କରାଯାଇଛି। ଯାତ୍ରୀଙ୍କୁ ପ୍ରକୃତି ସହିତ ଯୋଡ଼ିବାର ପ୍ରୟାସ କରାଯାଇଛି ଏଠାରେ।
୨୩୯୦ ମିଟର ଦୈର୍ଘ୍ୟ ବିଶିଷ୍ଟ ରନ୍‍ୱେ ଥିବା ଏହି ବିମାନବନ୍ଦରରେ ଏବି-୩୨୦ ଟାଇପ୍‍ ବିମାନ ଅବତରଣ କରିପାରିବ। ଟର୍ମିନାଲ୍‍ ବିଲ୍ଡିଂରେ ୫ଟି ଚେକ୍‍-ଆଉଟ୍‍ କାଉଂଟର ଏବଂ ଏକ ଆରାଇଭାଲ୍‍ କାରାଉଜେଲ୍‍ ଥିବାବେଳେ ୩୦୦ ଯାତ୍ରୀଙ୍କୁ ଆୟତ କରିବାର ଦକ୍ଷତା ରହିଛି। ବିମାନବନ୍ଦରରେ ବିକଶିତ ଅନ୍ୟାନ୍ୟ ଭିତିଭୂମି ମଧ୍ୟରେ ନୂତନ ଟର୍ମିନାଲ୍‍ ବିଲ୍ଡିଂ ସହିତ ଆଇସୋଲେସନ ବେ’, ନୂତନ ଟେକ୍ନିକାଲ୍‍ ବ୍ଲକ ତଥା ସେଂଟ୍ରାଲ୍‍ ଟାୱାର୍‍, ଫାୟାର ଷ୍ଟସନ ବର୍ଗ-୭, ଏମ୍‍ଟି ୱାର୍କସପ୍‍, ଆବଶ୍ୟକ ନାଭିଗେସନ ତଥା ଭିଜୁଆଲ ଏଡ୍‍ ରହିଛି।
ଉଦ୍ୟାନ ପାଇଁ ବ୍ୟବହାର ଉପଯୋଗୀ ତଥା ବାୟୁ-ନିୟନ୍ତ୍ରଣ ଉଦ୍ଦେଶ୍ୟରେ ପ୍ରକ୍ରିୟାକୃତ ଜଳ, ଭୂତଳ ଜଳସ୍ତର ବଜାୟ ରଖିବା ଲାଗି ବର୍ଷା ଜଳ ଅମଳ ବ୍ୟବସ୍ଥା, ବର୍ଜ୍ୟ ପରିଚଳାନା ପ୍ଲାଂଟ, ସୌର ଶକ୍ତି ପ୍ଳାଂଟ, ଶକ୍ତି ଉପଯୋଗୀ ଚିଲର୍‍ ଏବଂ ବିମାନବନ୍ଦର ପାର୍ଶ୍ବାଂଚଳରେ, ସବୁଜ ବଳୟ ଭଳି ଟର୍ମିନାଲ୍‍ ବିଲ୍ଡିଂରେ ପରିବେଶ ଉପଯୋଗୀ ଅନେକ ବ୍ୟବସ୍ଥା କରାଯାଇଛି। ଝାରସୁୁଗଡ଼ାରେ ଏହି ନୂତନ ବିମାନବନ୍ଦର ଝାରସୁଗୁଡ଼ା ଜିଲାର ବିକାଶରେ ଏକ ମହତ୍ୱ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହ ଏହି ଅଂଚଳରେ ବର୍ଦ୍ଧିଷ୍ଣୁ ପର୍ଯ୍ୟଟନ ଶିଳ୍ପକୁ ତ୍ୱରାନ୍ୱିତ କରିବ।
ଝାରସୁଗୁଡ଼ା ବିମାନବନ୍ଦର ଓଡ଼ିଶାର ଦ୍ୱିତୀୟ କାର୍ଯ୍ୟକ୍ଷମ ବିମାନବନ୍ଦର ହେବ ଏବଂ ଭୁବନେଶ୍ୱର, ରାଇପୁର ଓ ରାଂଚିକୁ ‘ଉଡ଼ାନ୍‍’ ଯୋଜନାରେ ସଂଯୁକ୍ତ ହୋଇପାରିବ। ଝାରସୁଗୁଡ଼ା ବ୍ୟତୀତ କୋରାପୁଟ ଜିଲାର ଜୟପୁର, ସୁନ୍ଦରଗଡ଼ ଜିଲାର ରାଉରକେଲା ଏବଂ କଳାହାଣ୍ଡି ଜିଲାର ଉତ୍‍କେଲାରେ ବିମାନବନ୍ଦର ବିକଶିତ କରାଯାଇ ରାଜ୍ୟର ଅଗମ୍ୟ ଅଂଚଳକୁ ବିମାନ ଯୋଗାଯୋଗ ବ୍ୟବସ୍ଥା କରାଯାଉଛି। ଏହି ଯୋଜନାରେ ଓଡ଼ିଶାରେ ୪ଟି ବିମାନବନ୍ଦରର ବିକାଶ ଲାଗି ୩୭୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଝାରସୁଗୁଡ଼ା ବିମାନବନ୍ଦର ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମ୍ୟାନେଜମେଂଟ (ଆଇଆଇଏମ୍‍) ସମ୍ବଲପୁରର ଫାକଲ୍ଟି ମେମ୍ବରଙ୍କ ପାଇଁ ସହାୟକ ହୋଇପାରିବ। ମହାନଦୀ କୋଲ୍‍ଫିଲ୍ଡସ୍‍ ଲିମିଟେଡ୍‍ ଏବଂ ଅନ୍ୟ ଶିଳ୍ପସଂସ୍ଥା ପାଇଁ ଏହି ବିମାନବନ୍ଦର ମଧ୍ୟ ଉପଯୋଗୀ ହେବ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉଡ଼ାନ୍‍ (ଉଡ଼େ ଦେଶ କା ଆମ ନାଗରିକ ) ଅଣସଂରକ୍ଷିତ ପଥରେ ବିମାନ ଯୋଗାଯୋଗ, ଆଂଚଳିକ କ୍ଷେତ୍ରକୁ ଯୋଗାଯୋଗ, ସମତୁଳ ଆଂଚଳିକ ବିକାଶକୁ ପ୍ରୋତ୍ସାହନ ଏବଂ ସମସ୍ତଙ୍କୁ ସୁବିଧାରେ ବିମାନ ଯାତ୍ରା ଉପଲବ୍ଧ କରାଇବା ଲାଗି ଏକ ପ୍ରମୁଖ ଯୋଜନା।  ପ୍ରଧାନମନ୍ତ୍ରୀ ସିମ୍‍ଲା-ଦିଲ୍ଲୀ କ୍ଷେତ୍ରରେ ୨୦୧୭ ଏପ୍ରିଲ୍‍ ୨୭ ତାରିଖରେ ପ୍ରଥମ ‘ଉଡ଼ାନ’ ବିମାନର ଶୁଭାରମ୍ଭ କରିଥିଲେ।

Leave A Reply