ଘରୋଇ-ପ୍ଲେ ସ୍କୁଲ ଉପରେ ଅଙ୍କୁଶ

0

ଭୁବନେଶ୍ବର  : ରାଜ୍ୟ ତଥା ଦେଶରେ ଘରୋଇ ପ୍ଲେ-ସ୍କୁଲ ଖୋଲିବା ପାଇଁ ଅଙ୍କୁଶ ଲଗାଯାଇଛି। କୌଣସି ବ୍ୟକ୍ତି ନିଜ ଇଚ୍ଛାରେ ପ୍ଲେ-ସ୍କୁଲ ଖୋଲି ପାରିବେନି। ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଘରୋଇ ପ୍ଲେ ସ୍କୁଲ ପାଇଁ ନିୟମାବଳୀ ଜାରି କରାଯାଇଛି। ଘରୋଇ ପ୍ଲେ-ସ୍କୁଲଗୁଡ଼ିକ ଏଣିକି ୩ବର୍ଷ ବୟସରୁ କମ୍ ପିଲାଙ୍କୁ ପ୍ଲେ-ସ୍କୁଲରେ ନାମଲେଖାଇପାରିବେ ନାହିଁ। ପ୍ରାକ୍ ପ୍ରାଥମିକ ଶିକ୍ଷା ଲାଗି ପ୍ଲେ-ସ୍କୁଲରେ ସର୍ବନିମ୍ନ ବୟସ ୩ ବର୍ଷ ଓ ସର୍ବାଧିକ ୬ବର୍ଷ ଧାର୍ଯ୍ୟ କରାଯାଇଛି। ଶିଶୁଙ୍କୁ ପ୍ରାକ୍‌ ଶୈଶବ ଶିକ୍ଷା, ଶିଶୁଙ୍କୁ ବିଦ୍ୟାଳୟକୁ ଯିବା ପାଇଁ ମାନସିକତାସ୍ତରରେ ପ୍ରସ୍ତୁତି ଓ ସଚେତନତା ସୃଷ୍ଟି, ପ୍ରାକ୍‌ ପଠନ ଓ ଲେଖନ ଶୈଳୀ, ମାନସିକ, ବୌଦ୍ଧିକ ଓ ଶାରୀରିକ ବିକାଶ, ସ୍ଥୂଳ ଓ ସୂକ୍ଷ୍ମ ଅଙ୍ଗଚାଳନା, ପିଲାଙ୍କ ମୂଲ୍ୟାୟନ ଆଦି ଶିକ୍ଷାରେ ସଂସ୍କାର ଅଣାଯାଇଛି। ଏହି ନିୟମାବଳୀ ସବୁ ଘରୋଇ ପ୍ଲେ-ସ୍କୁଲ ପାଳନ କରିବାକୁ ନିର୍ଦେଶ ଜାରି କରାଯାଇଛି, ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ପ୍ଲେ-ସ୍କୁଲର ଭିତ୍ତିଭୂମି, ପିଲାଙ୍କ ଅନୁପାତରେ କର୍ମଚାରୀ ଆଦି ଯାଞ୍ଚ କରାଯିବା ପରେ ଘରୋଇ ପ୍ଲେ-ସ୍କୁଲ ଖୋଲିବାକୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖାଯାଇଛି।
ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ
ପିଲାଙ୍କ ବୟସ ୩ରୁ୬,ଅଡ଼ିଟ୍ ହେବ ଆୟବ୍ୟୟ ହିସାବ
ଓଡ଼ିଶା ସମେତ ଦେଶର ବିଭିନ୍ନ ଘରୋଇ ପ୍ଲେ ସ୍କୁଲଗୁଡ଼ିକରେ ପାଠପଢ଼ା ବାହାନାରେ ପ୍ଲେ-ସ୍କୁଲ ନାମରେ ବ୍ୟବସାୟ ଅଭିଯୋଗ ଆସିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏନେଇ ରାଜ୍ୟର ବ୍ଲକ୍ ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଦିଆଯାଇଛି। ଯେଉଁଥିରେ ପ୍ଲେ-ସ୍କୁଲରେ ନାମଲେଖା ଓ ପାଠପଢ଼ା ବ୍ୟବସ୍ଥା କିପରି ରହିବ ସେ ସମ୍ପର୍କରେ ଏକ ମାର୍ଗଦର୍ଶିକା ରହିଛି। ଯେଉଁମାନେ ଏଥିରେ ଖିଲାପ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ବ୍ୟବସ୍ଥା ସବୁ ସ୍କୁଲ ଲାଗି କାର୍ଯ୍ୟକାରୀ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ଯେ ପ୍ଲେ-ସ୍କୁଲ ଗୁଡିକରେ ଯେଉଁ ଶିକ୍ଷକମାନେ ନିଯୁକ୍ତ ହେବେ ସେମାନଙ୍କ ସର୍ବନିମ୍ନ ଯୋଗ୍ୟତା +୨ କିମ୍ବା ଦ୍ୱାଦଶ ଶ୍ରେଣ ହୋଇଥିବା ଆବଶ୍ୟକ। ୨୦ଜଣ ପିଲାଙ୍କ ଲାଗି ଜଣେ ଶିକ୍ଷକ ନିଯୁକ୍ତ ହେବେ। ଶିକ୍ଷାଦାନର ମାଧ୍ୟମ ଓଡ଼ିଆ, ଇଂରାଜୀ, ହିନ୍ଦୀ, ବହୁଭାଷାରେ କରାଯିବ। ସ୍କୁଲରେ ଶିଶୁଙ୍କ ଯତ୍ନ ଲାଗି ୨୦ଜଣ ଶିଶୁଙ୍କ ପାଇଁ ଜଣେ ଲେଖାଏଁ ଆୟା ନିଯୁକ୍ତ କରାଯିବ। ପୁଷ୍ଟିକର ଖାଦ୍ୟ, ସ୍ୱଚ୍ଛ ପରିବେଶ, ସୁରକ୍ଷା ଲାଗି ଆବଶ୍ୟକ କର୍ମଚାରୀ ରହିବେ। ବିଦ୍ୟାଳୟର ଚର୍ତୁଃପାଶ୍ୱର୍ରେ ପାଚେରି, ଶିଶୁଙ୍କ ଲାଗି ସ୍ୱତନ୍ତ୍ର ବିଶ୍ରାମ କକ୍ଷ, ଉଭୟ ପୁଅ ଓ ଝିଅଙ୍କ ଲାଗି ପୃଥକ ଶୌଚାଳୟ, କମ୍ ଉଚ୍ଚରେ ପିଲାଙ୍କ ଲାଗି ହାତଧୁଆ ବ୍ୟବସ୍ଥା, ସାବୁନ୍, ଟାୱେଲ ରହିବା ଭଳି ସ୍ୱତନ୍ତ୍ର ବ୍ୟବସ୍ଥା, ଶିଶୁଙ୍କ ଲାଗି ସ୍ୱଚ୍ଛ ପିଇବା ପାଣିର ସୁବିଧା, ଖେଳ ପଡିଆ, ସୁରକ୍ଷା ଲାଗି କ୍ୟାମ୍ପସରେ ସିସିଟିଭି, ଅଗ୍ନିନିର୍ବିପାକ ବ୍ୟବସ୍ଥା, ନିର୍ଦିଷ୍ଟ ବ୍ୟବଧାନରେ ଶ୍ରେଣୀରେ କୀଟନାଶକ ଔଷଧ ସିଞ୍ଚନ, ସହଜ ଓ ସରଳ ଭାବେ ଶିଶୁଙ୍କୁ ପଢ଼ାଇବା ଲାଗି ପାଠ୍ୟପୁସ୍ତକ, ଶିକ୍ଷା ଅଡିଓ ଭିଜୁଆଲ ବ୍ୟବସ୍ଥା, ଖେଳ ଲାଗି ବିଭିନ୍ନ ଖେଳନା, ମେଡିସିନ୍, ବ୍ୟାଣ୍ଡେଜ, ଓଆରଏସ୍, ପ୍ରତି ୩ମାସରେ ଶିଶୁଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଯେଉଁ ଶିଶୁମାନେ ନାମଲେଖାଇଥାନ୍ତି ସେମାନଙ୍କର ସବିଶେଷ ବିବରଣୀ, ନାମଲେଖା ରେକର୍ଡ, ପିଲାଙ୍କ ଉପସ୍ଥାନ ରେକର୍ଡ, ସ୍କୁଲରେ ନିଯୁକ୍ତ କର୍ମଚାରୀଙ୍କ ସଂପୂର୍ଣ୍ଣ ତଥ୍ୟ ଓ ରେଜିଷ୍ଟର, ଷ୍ଟକ୍ ରେଜିଷ୍ଟର, ଫି’ ରେକର୍ଡ ଆଦି ରଖିବା ବାଧ୍ୟତାମୂଳକ କରାଯାଇଛି। ଶିଶୁଙ୍କର ଯତ୍ନ ନେବା ଲାଗି ଯେଉଁ କର୍ମଚାରୀଙ୍କୁ ନିଯୁକ୍ତ କରାଯିବ ସେମାନେ ସରକାରୀ ଅନୁଷ୍ଠାନରୁ ଦକ୍ଷତା ପ୍ରଶିକ୍ଷଣ ନେବା ସହ ସାର୍ଟିଫିକେଟ୍ ହାସଲ କରିଥିବେ। ଏସବୁର ଯାଞ୍ଚ ନିୟମିତ ଭାବେ କରାଯିବ। ଏହାସହିତ ନାମଲେଖା ଫି’ କେତେ ରହିବ ତାହା ସ୍କୁଲର ଭିତ୍ତିଭୂମି ଉପରେ ନିର୍ଭର କରିବ। ଏନେଇ ଏକ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯିବ। ସ୍କ୍ୱାଡର ସଦସ୍ୟମାନେ ସମସ୍ତ ଘରୋଇ ପ୍ଲେ-ସ୍କୁଲର ରିପୋର୍ଟ ପ୍ରସ୍ତୁତ କରିବା ସହ ମୋଟ୍ କେତେ ସ୍କୁଲ ରହିଛି ତା’ର ତଥ୍ୟ ମଧ୍ୟ ସଂଗ୍ରହ କରିବେ। ସ୍କୁଲର ସମସ୍ତ ଆୟବ୍ୟୟର ତଦାରଖ ମଧ୍ୟ କରାଯିବ। ଶିକ୍ଷା ଯୋଗାଇବା ନାମରେ ବ୍ୟବସାୟ ମନବୃତ୍ତି ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକ ସ୍ଥଳେ ସଂପୃକ୍ତ ସ୍କୁଲର ସ୍ୱୀକୃତି ବାତିଲ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
୩ବର୍ଷରୁ ୬ବର୍ଷ ବୟସର ପିଲାଙ୍କ ଲାଗି ଅଙ୍ଗନବାଡି, ବିଭିନ୍ନ ସ୍ୱଚ୍ଛାସେବୀ ଅନୁଷ୍ଠାନ ସାଙ୍ଗକୁ ଘରୋଇ ପ୍ଲେ-ସ୍କୁଲ ରହିଛି । ଅନେକ ଘରୋଇ ପ୍ଲେ-ସ୍କୁଲ ଅର୍ଥ ଲୋଭରେ ୩ବର୍ଷ ବୟସରୁ କମ୍ ପିଲାଙ୍କୁ ସ୍କୁଲରେ ପଢ଼ାଉଛନ୍ତି। ଫଳରେ ସେହି ପିଲାଙ୍କ ମାନସିକ ସ୍ତରରେ ଚାପ ପଡୁଥିବା ବେଳେ ପରିବାର ସଦସ୍ୟଙ୍କ ଠାରୁ ଆବଶ୍ୟକ ସ୍ନେହ, ଶ୍ରଦ୍ଧା ପାଇବାରୁ ଏହି କମ୍ ବୟସର ପିଲାମାନେ ବଞ୍ଚିତ ହେଉଛନ୍ତି। ଏହାବ୍ୟତୀତ ପ୍ଲେ-ସ୍କୁଲ ଲାଗି ସ୍ୱତନ୍ତ୍ର ମାନଦଣ୍ଡ ପ୍ରସ୍ତୁତ ହୋଇଛି। ଏଥିରେ ପ୍ଲେ-ସ୍କୁଲର ଶିକ୍ଷା ଠାରୁ ଆରମ୍ଭ କରି ଶୈକ୍ଷିକ ପରିବେଶ ପ୍ରଦାନ ସମ୍ପର୍କରେ ଲଲ୍ଲେଖ କରାଯାଇଛି।

Leave A Reply