ଡକାୟତି ଯୋଜନା ବେଳେ ୬ ଗିରଫ

0

ପିପିଲି : ଡକାୟତି ପାଇଁ ଯୋଜନା କରୁଥିବା ୬ଜଣ ଅପରାଧିଙ୍କୁ ପିପିଲି ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ କରି ସେମାନଙ୍କ ଠାରୁ ୨ଟି ଅଫୁଟା ବୋମା ଓ ୨ଟି ଖଣ୍ଡା ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ବାସେଳିସାହି ଥାନା ଅନ୍ତର୍ଗତ ଗୋଖାସାହିର ହଙ୍କନ ଓରଫ ସନ୍ତୋଷ କୁମାର ବେହେରା( ୨୧), ମିଟୁନା ଓରଫ ରାଜା ବେହେରା(୨୬), ବଗୁଲି ବେହେରା(୨୬), ବିଜୟ କୁମାର ବେହେରା(୨୮), ଅଭି ବେହେରା(୨୦) ଓ ପୁରୀ ଟାଉନ ଥାନା ଅନ୍ତର୍ଗତ ତଳୁଛ ସାହି ବାଲିସାହିର ଦିପୁ ଓରଫ ଚକା ଓରଫ ଅମୀତ ହରିଚନ୍ଦନ(୨୭)। ଗିରଫ ଅଭିଯୁକ୍ତଙ୍କୁ ଶୁକ୍ରବାର ଅପରାହ୍ନରେ ପିପିଲି କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ଜାମିନ ପାଇଁ କେହି ଆବେଦନ କରିନଥିଲେ। ପରେ କୋର୍ଟ ସେମାନଙ୍କୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦେଇଥିବା ସୂଚନା ମିଳିଛି।
ଅଭିଯୁକ୍ତମାନେ ଡକାୟତି କରିବା ପାଇଁ ଯୋଜନା କରୁଥିବାର ସୂଚନା ପାଇ ପିପିଲି ଆଇଆଇସି ଶରତ କୁମାର ସାହୁ, ଏଏସ୍‍ଆଇ ବିନୟ କୁମାର ଦାସ, ଏଏସ୍‍ଆଇ ବିଦ୍ୟାଧର ଭୋଳ, ଏଏସ୍‍ଆଇ ରବି ନାୟକ ପ୍ରମୁଖ ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାର ଭୋଗୁଆବାଙ୍କ ଛକ ନିକଟରେ ଥିବା ବାଲିପଡିଆରେ ଚଢାଉ କରି ଉପରୋକ୍ତ ୬ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ। ତେବେ ଅନ୍ୟଜଣେ ଅଭିଯୁକ୍ତ ସେଠାରୁ ଖସି ପଳାଇଥିଲା। ପୁଲିସ ସେମାନଙ୍କ ଠାରୁ ୨ଟି ଖଣ୍ଡା ଓ ୨ଟି ଅଫୁଟା ବୋମାକୁ ଜବତ କରିଥିଲା। ଗିରଫ ଅଭିଯୁକ୍ତମାନଙ୍କ ନାମରେ ପୁରୀର ବାସେଳିସାହି ଥାନା ଓ ଟାଉନ ଥାନାରେ ବିଭିନ୍ନ ଅପରାଧିକ ମାମଲା ରହିଥିବା ସମ୍ପର୍କରେ ଆଇଆଇସି ଶରତ କୁମାର ସାହୁ ସୂଚନା ଦେଇଛନ୍ତି।

Leave A Reply