ବିଡିଓଙ୍କୁ ଘେରିଲେ ଶତାଧିକ ମହିଳା

0

ପିପିଲି :ପିପିଲି ବ୍ଲକର ପୁବାଶାସନ ପଞ୍ଚାୟତରେ ଓଡିଶା ଜୀବିକା ମିଶନ ଶକ୍ତି (ଓଏଲ୍‍ଏମ୍‍) ଯୋଜନାରେ କର୍ମକର୍ତ୍ତା ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ କରି ସୋମବାର ଶତାଧିକ ମହିଳା ପିପିଲି ବିଡିଓଙ୍କୁ ଦୀର୍ଘ ସମୟ ଧରି ଘେରି ରହିଥିଲେ।
ଅଭିଯୋଗ ଅନୁଯାୟୀ, ପୁବାଶାସନ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଓଡିଶା ଜୀବିକା ମିଶନ ଶକ୍ତି (ଓଏଲ୍‍ଏମ୍‍) ଯୋଜନାରେ କର୍ମକର୍ତ୍ତା ଚୟନ ବୈଠକ ଥିଲା। ତେବେ ସେଠାରେ ବହୁ ମହିଳାମାନଙ୍କୁ ବୈଠକ ଗୃହକୁ ଯିବାକୁ ଦିଆନଯାଇ ସେମାନଙ୍କୁ ଗାଳିଗୁଲଚ କରି ସେଠାରୁ ବାହାର କରି ଦିଆଯାଇଥିଲା। ଏବାବଦରେ ୭ଟି ୱାର୍ଡର ଶତାଧିକ ମହିଳା ପିପିଲି ବିଡିଓ ଶ୍ୟାମସୁନ୍ଦର ଟୁଡୁଙ୍କ ନିକଟରେ ଅଭିଯୋଗ କରିବା ସହ ନ୍ୟାୟପ୍ରଦାନ ଦାବିରେ ତାଙ୍କୁ ଦୀର୍ଘ ସମୟ ଧରି ଘେରି ରହିଥିଲେ। ତେବେ ଏ ସମ୍ପର୍କରେ ଉପରିସ୍ଥ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇ ପଦକ୍ଷେପ ନିଆଯିବ ବୋଲି ବିଡିଓ କହିବା ପରେ ମହିଳାମାନେ ଆନ୍ଦୋଳନରୁ ଓହରିଥିଲେ। ପିପିଲି ବ୍ଲକର ବିଭିନ୍ନ ପଞ୍ଚାୟତରେ ଓଏଲ୍‍ଏମ୍‍ କର୍ମକର୍ତ୍ତା ଚୟନରେ ପାତରଅନ୍ତର କରାଯାଉଥିବା ନେଇ ଗୁରୁତର ଅଭିଯୋଗ ଉଠିଥିବା ବେଳେ ଏହାକୁ ନେଇ ବହୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Leave A Reply