୩ସନ୍ତାନ ଯୋଗୁଁ ସରପଞ୍ଚ ପଦ ହରାଇବା ପ୍ରସଙ୍ଗ ; ପିପିଲି ବିଡିଓଙ୍କୁ ୬ଘଣ୍ଟା ଘେରିଲେ ବିଜେପି କର୍ମୀ

0

ପିପିଲି : ପିପିଲି ବ୍ଲକ ନୂଆଶାସନ ପଞ୍ଚାୟତର ସରପଞ୍ଚ ଥିବା ପ୍ରଫୁଲ୍ଲ କୁମାର ମେକାପଙ୍କୁ କୋର୍ଟ ଅଯୋଗ୍ୟ ଘୋଷଣା କରିବା ସହ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ଥିବା ସୌମ୍ୟକାନ୍ତ ଦାଶଙ୍କୁ ସରପଞ୍ଚ ଭାବେ ଘୋଷଣା କରିଥିଲେ। ତେବେ ସୌମ୍ୟକାନ୍ତଙ୍କୁ ସରପଞ୍ଚ ଭାବେ ଦାୟିତ୍ୱ ପ୍ରଦାନ କରିବାରେ ବିଡିଓ କାଳବିଳମ୍ବ କରୁଥିବା ଅଭିଯୋଗ କରି ବୁଧବାର ଶତାଧିକ ବିଜେପି କର୍ମୀ ବିଡିଓଙ୍କୁ ଦୀର୍ଘ ୬ଘଣ୍ଟା କାଳ ଘେରାଓ କରି ଧାରଣାରେ ବସିଥିଲେ। ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୁଲିସ ଫୋର୍ସ ମୂତୟନ କରାଯାଇଥିଲା। ତେବେ ଅଦାଲତଙ୍କ ଆଦେଶକୁ ଗୁରୁବାର କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ହେବା ପରେ ରାତ୍ର ସାଢେ ୮ଟାରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ପ୍ରାପ୍ତ ସୂଚନା ଅନୁଯାଇ, ଗତ ୨୦୧୭ରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ନୂଆଶାସନ ପଞ୍ଚାୟତର ବିଜେପି ସମର୍ଥିତ ପ୍ରାର୍ଥୀ ସୌମ୍ୟକାନ୍ତ ଦାଶଙ୍କୁ ହରାଇ ପ୍ରଫୁଲ କୁମାର ମେକାପ ସରପଞ୍ଚ ଭାବେ ବିଜୟୀ ହୋଇଥିଲେ। ତେବେ ଶ୍ରୀମେକାପଙ୍କ ୩ଟି ସନ୍ତାନ ଥିବା ଦର୍ଶାଇ ସୌମ୍ୟକାନ୍ତ ପିପିଲି ଜେଏମ୍‍ଏଫ୍‍ସି କୋର୍ଟରେ ମାମଲା କରିଥିଲେ। ଉକ୍ତ ମାମଲାର ବିଚାର କରି ଗତ ୨୫ ତାରିଖରେ ଜେଏମ୍‍ଏଫ୍‍ସି କୋର୍ଟର ବିଚାରପତି ଅରୂପ କୁମାର ନାୟକ ଶ୍ରୀ ମେକାପଙ୍କୁ ଅଯୋଗ୍ୟ ଘୋଷଣା କରିବା ସହିତ ଆବେଦନକାରୀ ନିକଟତମ ପ୍ରତିଦ୍ୱନ୍ଦି ସୌମ୍ୟକାନ୍ତ ଦାଶଙ୍କୁ ସରପଞ୍ଚ ଭାବେ ରାୟ ଶୁଣାଇଥିଲେ। ଉକ୍ତ ପଞ୍ଚାୟତର ସରପଞ୍ଚ ଭାବେ ଦାୟିତ୍ୱ ପ୍ରଦାନ କରିବା ପାଇଁ ସୌମ୍ୟକାନ୍ତ ଗତ ୨୮ ତାରିଖରେ ପିପିଲି ବିଡିଓଙ୍କୁ ଲିଖିତ ଦରଖାସ୍ତ କରିଥିଲେ। ତେବେ କୋର୍ଟଙ୍କ ଆଦେଶ ସତ୍ତ୍ବେ ବିଡିଓ ତାଙ୍କୁ ସରପଞ୍ଚ ଦାୟିତ୍ୱ ପ୍ରଦାନ କରିବାରେ କାଳବିଳମ୍ବ କରୁଥିବା ନେଇ ସୌମ୍ୟକାନ୍ତ ଅଭିଯୋଗ କରିଛନ୍ତି। ଆଜି ଏସଂପର୍କରେ ସେ ପିପିଲି ବିଡିଓଙ୍କୁ ପଚାରିବାରେ କୌଣସି ସନ୍ତୋଷ ଜନକ ଉତ୍ତର ପାଇନଥିଲେ। ଯାହାକୁ ନେଇ ବିଜେପି କର୍ମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ତୁରନ୍ତ ସୌମ୍ୟକାନ୍ତଙ୍କୁ ସରପଞ୍ଚ ଦାୟିତ୍ୱ ପ୍ରଦାନ କରିବା ଦାବିରେ ଶତାଧିକ ବିଜେପି କର୍ମୀ ଆଜି ଅପରାହ୍ନ ସାଢେ୨ଟା ଠାରୁ ବିଡିଓ ଶ୍ୟାମସୁନ୍ଦର ଟୁଡୁଙ୍କୁ ପିପିଲି ବ୍ଲକ ପରିସର ସମ୍ମିଳନୀକକ୍ଷ ଠାରେ ଘେରାଓ କରି ରଖିଥିଲେ। ସ୍ଥାନୀୟ ବିଜେପି ନେତା ଆଶ୍ରୀତ ପଟ୍ଟନାୟକ, ପୁରୀ ଜିଲା ବିଜେପି ଉପସଭାପତି ଜନ୍ମେଜୟ ଜେନା ଓ ସୌମ୍ୟକାନ୍ତଙ୍କ ନେତୃତ୍ୱରେ ବିଜେପି କର୍ମୀ ଓ ସମର୍ଥକ ମାନେ ବିଡିଓଙ୍କୁ ଘେରାଓ କରି ଧାରଣାରେ ବସି ରହିଥଲେ। ସୌମ୍ୟକାନ୍ତଙ୍କୁ ସରପଞ୍ଚ ଭାବେ ଦାୟିତ୍ୱ ପ୍ରଦାନ କରାନଯିବା ପର୍ଯ୍ୟନ୍ତ ବିଡିଓଙ୍କୁ ଛାଡିଦେବୁନି ବୋଲି ବିଭିନ୍ନ ନାରାବାଜି ଦେଇ ବିଜେପି କର୍ମୀମାନେ ଧାରଣାରେ ବସି ରହିଥିଲେ। ଖବର ପାଇ ପିପିଲି ଆଇଆଇସି ଶରତ କୁମାର ସାହୁ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏସଂପର୍କରେ ସ୍ଥାନୀୟ ବିଜେପି ନେତୃବୃନ୍ଦଙ୍କ ସହ ପୁଲିସ ଉପସ୍ଥିତିରେ ବିଡିଓ ଦୀର୍ଘସମୟ ଧରି ଆଲୋଚନା କରିଥିଲେ। ତେବେ ଅଦାଲତଙ୍କ ନିର୍ଦ୍ଦେଶକୁ ଆସନ୍ତା କାଲି କାର୍ଯ୍ୟକାରୀ କରାଯିବ ବୋଲି ଆଇଆଇସି ଶ୍ରୀ ସାହୁଙ୍କ ମାଧ୍ୟମରେ ବିଡିଓ ପ୍ରତିଶୃତି ଦେବା ପରେ ରାତ୍ର ସାଢେ ୮ଟାରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Leave A Reply