ମ୍ୟାଚ୍‌ ଶୁଭାରମ୍ଭ କଲେ ଶେଖ୍‌ ହସିନା, ମମତା ବାନାର୍ଜୀ

କଲକାତା : କଲକାତାର ଇଡେନ୍‌ ଗାର୍ଡେନ୍‌ସରେ ଶୁକ୍ରବାରରୁ ଆରମ୍ଭ ହୋଇଛି ଐତିହାସିକ ଗୋଲାପି ବଲ୍‌ ଟେଷ୍ଟ ମ୍ୟାଚ୍‌। ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଏହି ମ୍ୟାଚ୍‌ ଶୁଭାରମ୍ଭ କରିଥିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଇଡେନ୍‌ ଗାର୍ଡେନ୍‌ସରେ ଥିବା ଘଣ୍ଟି ବଜାଇ ଶେଖ୍‌ ହସିନା ଓ ମମତା ବାନାର୍ଜୀ ମ୍ୟାଚ୍‌ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ବାଂଲାଦେଶ କ୍ରିକେଟ୍‌ ବୋର୍ଡ ସଭାପତି ନାଜମୁଲ୍‌ ହସନ୍‌, ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପ୍ରମୁଖ ଉପସ୍ଥିତ ଥିଲେ।
ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଶେଖ ହସିନା ଓ ମମତା ବାନାର୍ଜୀ ଉଭୟ ଦଳର ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ଷ୍ଟାଡ଼ିୟମ ଦର୍ଶକରେ ଭରପୁର ରହିଥିବା ବେଳେ ଗୋଲାପି ବଲ୍‌ ଟେଷ୍ଟ ମ୍ୟାଚ୍‌କୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଷ୍ଟାଡ଼ିୟମରେ ଉପସ୍ଥିତ ରହିବେ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ତେବେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ସେ ଷ୍ଟାଡ଼ିୟମରେ ଉପସ୍ଥିତ ରହିପାରିନଥିଲେ। ସେହିପରି ଭାରତୀୟ ସେନାର ପାରାଟ୍ରୁପରମାନେ ଇଡେନ୍‌ ଗାର୍ଡେନ୍‌ସରେ ଓହ୍ଲାଇ ଉଭୟ ଦଳର ଅଧିନାୟକଙ୍କୁ ଗୋଲାପି ବଲ୍‌ ପ୍ରଦାନ କରିବାର କାର୍ଯ୍ୟକ୍ରମ ଥିଲା। ତେ​‌େ​‌ବ ସୁରକ୍ଷାଗତ କାରଣରୁ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରି ଦେଇଥିଲା ବେଙ୍ଗଲ୍‌ କ୍ରିକେଟ୍‌ ଆସୋସିଏସନ୍‌।
ପୂର୍ବତନ କ୍ରିକେଟର୍‌ ଏସ୍‌.ରମେଶ, ସବା କରିମ୍‌, ସୁନୀଲ ଯୋଶୀ, ଅଜିତ ଅଗରକର, ଭେଙ୍କଟେଶ ପ୍ରସାଦ, କପିଳ ଦେବ, ଦିଲ୍ଲୀପ ଭେଙ୍ଗସରକାର, ମହମ୍ମଦ ଆଝାରୁଦ୍ଦିନ, ଶ୍ରୀକାନ୍ତ, ଫାରୁକ ଇଞ୍ଜିନିୟର, ଚନ୍ଦୁ ବୋର୍ଡେ ପ୍ରମୁଖ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ କ୍ରୀଡ଼ାବିତ୍‌ ଅଭିନବ ବିନ୍ଦ୍ରା, ପି. ଗୋପିଚାନ୍ଦ, ପିଭି ସିନ୍ଧୁ, ସାନିଆ ମିର୍ଜା ଓ ମେରି କମ୍‌ ମଧ୍ୟ ଷ୍ଟାଡ଼ିୟମରେ ଉପସ୍ଥିତ ଥିଲେ। ସେହିପରି ପୂର୍ବତନ ବାଂଲାଦେଶ କ୍ରିକେଟର୍‌ ନଇମୁର ରେହମାନ୍‌, ମହମ୍ମଦ ହାସିବୁଲ୍‌ ହୁସେନ୍‌, ସାହାରିୟର୍‌ ହୁସେନ୍‌, କାଜି ବାସର ଓ ମହମ୍ମଦ ଆକ୍ରାମ ଖାନ୍‌ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.