ସିତାଂଶୁ କର ପିଆଇବିର ନୂତନ ମହାନିର୍ଦେଶକ

0

ନୂଆଦିଲ୍ଲୀ  : ଭାରତୀୟ ସୂଚନା ସେବାର ବରିଷ୍ଠ ଓଡ଼ିଆ ଅଧିକାରୀ ସିତାଂଶୁ କର ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ମହାନିର୍ଦ୍ଦେଶକ ତଥା କେନ୍ଦ୍ର ସରକାରଙ୍କ ୨୭ତମ ପ୍ରଧାନ ମୁଖପାତ୍ର ରୂପେ  କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଫ୍ରାଙ୍କ୍‌ ନରୋନାଙ୍କ ସ୍ଥାନରେ ୧୯୮୩ ବ୍ୟାଚର ଅଧିକାରୀ ଶ୍ରୀ କରଙ୍କୁ ଏହି ଦାୟିତ୍ୱ ମିଳିଛି। ଦୀର୍ଘ ୩୫ ବର୍ଷ ଧରି ଶ୍ରୀ କର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ମିଡିଆ ବିଭାଗରେ ପ୍ରମୁଖ ପଦପଦବୀରେ ସଫଳତାର ସହ କାର୍ଯ୍ୟକରି ଆସିଛନ୍ତି। ପତ୍ର ସୂଚନା କାର୍ଯ୍ୟାଳୟର ନୂତନ କାର୍ଯ୍ୟଭାର ଗ୍ରହଣ ପୂର୍ବରୁ ସେ ଆକାଶବାଣୀ ସମାଚାର ନିର୍ଦ୍ଦେଶାଳୟର ମହାନିର୍ଦ୍ଦେଶକ ରହିଥିଲେ।
ଶ୍ରୀ ସିତାଂଶୁ କର ପ୍ରଥମେ କଟକରୁ ବାଲ୍ୟଶିକ୍ଷା ସାରି ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ମାଧ୍ୟମିକ ଶିକ୍ଷା ଶେଷ କରିଥିଲେ। ଏହାପରେ କଟକ ଖ୍ରୀଷ୍ଟ କଲେଜରେ ପଢ଼ିଥିଲେ। ତା ପରେ ବିଜେବି କଲେଜ ଭୁବନେଶ୍ୱରରୁ ରାଜନୀତି ବିଜ୍ଞାନ ସହ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଚୀନ୍‌ ଓ ଜାପାନ ଭାଷାରେ ଏମଫିଲ୍‌ ଡିଗ୍ରୀ ହାସଲ କରିଥିଲେ। ଶ୍ରୀ କର ଲାଲବାହଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍‌ ଆଡମିନିଷ୍ଟ୍ରେସନ, ମସୋରୀରେ ଫାଉଣ୍ଡେସନ ପାଠ୍ୟକ୍ରମ ଏବଂ ନୂଆଦିଲ୍ଲୀସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନରେ ଅନୁଶୀଳନ ପାଠ୍ୟକ୍ରମ ଶେଷକରି ଆକାଶବାଣୀର ସମ୍ବାଦ ପ୍ରସାରଣ ସେବା ବିଭାଗରେ ଯୋଗଦେଇଥିଲେ। ଶ୍ରୀ କର ପତ୍ର ସୂଚନା କାର୍ଯ୍ୟାଳୟରେ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ, ଗ୍ରାମ୍ୟ ଉନ୍ନୟନ, ମାନବ ସମ୍ବଳ ବିକାଶ, ବିଜ୍ଞାନ ଓ ପ୍ରଯୁକ୍ତି ସେବା, ଆଣବିକ ଶକ୍ତି ଓ ମହାକାଶ ବିଜ୍ଞାନ ମନ୍ତ୍ରଣାଳୟର ପ୍ରଚାର ଓ ପ୍ରସାର ଦାୟିତ୍ୱରେ ରହିଥିଲେ। ୨୦୦୫ ଅଗଷ୍ଟରେ ସେ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରଧାନ ମୁଖପାତ୍ର ଭାବେ ଏହାର ଜନସମ୍ପର୍କ ନିର୍ଦ୍ଦେଶାଳୟରେ ଯୋଗଦେଇଥିଲେ। ସାହିତ୍ୟ, ଅଧ୍ୟପନା, ଫଟୋଗ୍ରାଫି ଭଳି କ୍ଷେତ୍ରରେ ଶ୍ରୀ କରଙ୍କର ସ୍ୱତନ୍ତ୍ର ରୁଚି ରହିଛି।

Leave A Reply