ଦଳିତ ଦମ୍ପତିଙ୍କୁ ଆକ୍ରମଣ, ଉଦ୍ଧାର କରିବାକୁ ଯାଇ ୪ ପୁଲିସ ଲହୁଲୁହାଣ

0

ଫୁଲବାଣୀ : ଦୁର୍ଘଟଣାକୁ କେନ୍ଦ୍ର କରି ଫୁଲବାଣୀ ସଦର ଥାନା ଅନ୍ତର୍ଗତ କେରେଡି ପଞ୍ଚାୟତର ଡାଙ୍ଗୁଲୁ ଗାଁରେ ତୁମୁଳ କାଣ୍ଡ ସୃଷ୍ଟି ହୋଇଛି। ପୂର୍ବରୁ ଘଟିଥିବା ଏକ ବାଇକ ଦୁର୍ଘଟଣାରେ ଗାଁର ଜଣେ ଯୁବକର ମୃତ୍ୟୁକୁ ନେଇ ପୁଲିସ-ଗ୍ରାମବାସୀ ଏବଂ ଗୋଟିଏ ଦଳିତ ପରିବାର ମଧ୍ୟରେ ଛକାପଞ୍ଝା ଗତ ପନ୍ଦର ଦିନ ଧରି ଲାଗି ରହିବା ପରେ ଆଜି ତାହା ବିସ୍ଫୋରକ ରୂପ ନେଇଛି। ଦଳିତ ପରିବାରର ଦମ୍ପତିଙ୍କୁ ଗ୍ରାମବାସୀ ମାଡ ମାରି ଘରେ ବନ୍ଦ କରି ରଖିଥିଲେ। ଉଦ୍ଧାର କରିବାକୁ ଯାଇ ୪ ପୁଲିସ ଲହୁଲୁହାଣ ହେବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି। ଆକ୍ରମଣର ଶିକାର ଦଳିତ ଦମ୍ପତିଙ୍କୁ ଉଦ୍ଧାର କରିବାକୁ ଯାଇ ପୁଲିସ ଲୋକଙ୍କ ରୋଷର ଶିକାର ହେବା ସହ ବିବିଧ ମାଡ ଗ୍ରାମବାସୀଙ୍କଠାରୁ ଖାଇଛନ୍ତି। କୌଣସି ମତେ ଦଳିତ ଦମ୍ପତିଙ୍କୁ ପୁଲିସ ଉଦ୍ଧାର କରି ସଦର ଥାନାକୁ ଆଣିଛନ୍ତି। ପରେ ଜିଲା ମେଡିକାଲରେ ଚିକିତ୍ସିତ ହୋଇଛନ୍ତି ଆହତ ପୁଲିସ ଅଧିକାରୀ କର୍ମଚାରୀ ଓ ଦଳିତ ପରିବାର। ଗାଁରେ ଉତ୍ତେଜନା ଲାଗି ରହଛି। ପୁଲିସ ସତର୍କ ଦୃଷ୍ଟି ରଖିଛି। ଖବର ପାଇ ବିଧାୟକ ଦୁଗୁନୀ କହଁର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। ଗାଁ ଲୋକେ ଦଳିତ ପରିବାରକୁ ପାଞ୍ଚଲକ୍ଷ ଟଙ୍କା ଜୋରିମାନା କରିଥିବା ଅଭିଯୋଗ ହୋଇଛି।
ପୁଲିସ ସୂଚନା ଅନୁସାରେ ଚଳିତ ମାସ ୩ ତାରିଖରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ମାସିରିପଡା ଛକରେ ଏକ ବାଇକ ଦୁର୍ଘର୍ଟଣାରେ ସଦର ଥାନା ଅନ୍ତର୍ଗତ ଡାଙ୍ଗୁଲୁ ଗାଁର ସୋମନାଥ ଭୁକ୍ତା (୨୧)ଙ୍କର ଚିକିତ୍ସାଧିନ ଅବସ୍ଥାରେ କଟକ ବଡ ମେଡିକାଲରେ ମୃତ୍ୟୁ ହୋଇଥିଲା। ଦୁଇ ସାଙ୍ଗ ସୋମନାଥ ଓ କାହ୍ନୁଚରଣ ବାରିକ ଗାଁକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା। ତେବେ କାହ୍ନୁଚରଣ ସୋମନାଥକୁ ହତ୍ୟା କରିଥିବା ଅଭିଯୋଗ କରି ଗତ ୫ ତାରିଖଠାରୁ କାହ୍ନୁଚରଣଙ୍କ ବାପା ସନ୍ତୋଷ ବାରିକ ଓ ମା’ କୁମୁଦିନିଙ୍କ ସମେତ ତାଙ୍କ ପରିବାରକୁ ଗ୍ରାମବାସୀ ସାମାଜିକ ବାସନ୍ଦ କରାଯାଇଥିଲା। ନିଆଁ ପାଣି ସବୁ ବନ୍ଦ କରି ଦିଆଯାଇଥିଲା। କାହ୍ନୁ ଭୁବନେଶ୍ୱରରେ ପାଠ ପଢୁଛି। ବାସନ୍ଦ ଖବର ପାଇ ଘରକୁ ଫେରି ଆସିଥିଲେ ହେଁ ଗାଁକୁ ଆସିନଥିଲେ । ଏପରିକି ବଡବାପା, ଭାଇ ଏବଂ ପୁତୁରା ସହିତ କଥା ହେବାରୁ କାହ୍ନୁଙ୍କୁ ୫ ହଜାର ଟଙ୍କା ଜୋରିମାନା କରିଥିଲେ ଏବଂ ଭୟରେ ସେ ଟଙ୍କା ପଇଠ ମଧ୍ୟ କରିଥିଲେ ଗ୍ରାମ କମିଟିକୁ। ଏହାପରେ ଫୁଲବାଣୀରେ ରହି ପୁଲିସର ସହାୟତା ନେଇଥିଲେ। ସଦର ପୁଲିସ ନିର୍ଦେଶରେ ଫିରିଙ୍ଗିଆ ଥାନାରେ ଗାଡି ସହିତ ଆତ୍ମସମର୍ପଣ କରିଥିଲେ କାହ୍ନୁ। ତିନିଦିନ ପୂର୍ବରୁ ଗ୍ରାମର ଶତାଧିକ ମହିଳା ସ୍ଥାନୀୟ ଏସପି ଅଫିସକୁ ଧସେଇ ପଶି ପର୍ଟିକୋ ସାମ୍ନାରେ ଧାରଣାରେ ବସିବା ସହିତ କାହ୍ନୁକୁ ଗିରଫ କରିବାକୁ ଅଡି ବସିଥିଲେ। ଚାପଗ୍ରସ୍ତ ପୁଲିସ ଶେଷରେ କାହ୍ନୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଏବଂ କୋର୍ଟ ଜାମିନ ମଞ୍ଜୁର କରିଥିଲେ। ପରେ ସଦର ପୁଲିସ ଏହି ଦଳିତ ପରିବାର ଓ ଗ୍ରାମବାସୀଙ୍କୁ ଥାନାକୁ ଡକାଇ ବୁଝାମଣା କରିବା ପରେ ଗତକାଲି ରାତିରେ ଦଳିତ ଦମ୍ପତି ସନ୍ତୋଷ ବାରିକ ଓ କୁମୁଦିନି ବେହେରା ଗାଁକୁ ଯାଇଥିଲେ। ତେବେ ଗତକାଲି ରାତିରେ ହିଁ ଦମ୍ପତିଙ୍କୁ ଗ୍ରାମର କିଛି ଲୋକ ଦୁର୍ବ୍ୟବହାର କରିଥିଲେ ।
ଆଜି ସକାଳେ ଦମ୍ପତିଙ୍କୁ ଗ୍ରାମବାସୀ ପ୍ରବଳ ମାଡ ମାରିବା ସହିତ ସେମାନଙ୍କୁ ଘରେ ବନ୍ଦ କରି ବାହାରୁ କବାଟ ବନ୍ଦ କରି ରଖିଥିଲେ।
ସୂଚନା ପାଇ ଏସପି ପ୍ରତୀକ ସିଂଙ୍କ ନିର୍ଦେଶ କ୍ରମେ ଟାଉନ ଥାନା ଅଧିକାରୀ ରେବତୀ ଶବରଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ଗାଁକୁ ଯାଇ ପିଡିତ ଦଳିତ ପରିବାରକୁ ଉଦ୍ଧାର କରିବାକୁ ପ୍ରୟାସ କରିବା ବେଳେ ତୁମୁଳକାଣ୍ଡ ହୋଇଥିଲା। ପୁଲିସ ଉପରକୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଇନିସପେକ୍ଟର ରେବତୀ ଶବର କହିଛନ୍ତି। ଟେକାପଥର ମାଡ ସହିତ ପ୍ରବଳ ଗୋଇଠା ଓ ବିଧା ମାରିଥିଲେ। ଏଥିରେ ଇନସ୍ପେକ୍ଟର ରେବତୀ ଶବରଙ୍କ ସମେତ ଏଏସଆଇ ଅରୁନ୍ଧତୀ ସାହାଣୀ ଏବଂ ଅନ୍ୟ ଦୁଇଜଣ କନେଷ୍ଟବଳ ଆହତ ହୋଇଥିଲେ। ସାହାଣୀଙ୍କ ଶରୀରର ଅନେକ ସ୍ଥାନରେ ଆଘାତ ଲାଗିଛି। ବହୁ କଷ୍ଟରେ ଦମ୍ପତିଙ୍କୁ ଗ୍ରାମବାସୀଙ୍କଠାରୁ ଉଦ୍ଧାର କରି ସଦର ଥାନାକୁ ଆଣିଥିଲା ପୁଲିସ। ପରେ ସ୍ଥାନୀୟ ଜିଲା ମୁଖ୍ୟ ଚିକିତ୍ସାଳୟରେ ପୁଲିସ ଓ ସମସ୍ତ ଆହତଙ୍କୁ ଚିକିତ୍ସା କରାଯାଇଛି। ସଦର ଥାନା ଅଧିକାରୀ ରାଧାକାନ୍ତ ସାହୁ ଦୀର୍ଘ ସମୟ ଧରି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ସଦର ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁ ସଦର ଥାନାରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଅତିରିକ୍ତ ଫୋର୍ସ ଆବଶ୍ୟକ ହେଲେ ମୁତୟନ କରାଯିବ ବୋଲି କହିଛନ୍ତି ବରିଷ୍ଠ ପୁଲିସ ଅଧିକାରୀ। ଗାଁରେ ଉତ୍ତେଜନା ଲାଗିରହିଛି, ପରିସ୍ଥିତି ଉପରେ କଡା ନଜର ରଖାଯାଇଛି ଏବଂ ଯେଉଁମାନେ ଆଇନକୁ ହାତକୁ ନେଇଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି ପ୍ରତୀକ ସିଂ। ଦଳିତ ପରିବାର ନ୍ୟାୟ ଭିକ୍ଷା କରିଥିବା ବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଦାବି କରିଛନ୍ତି।

Leave A Reply