ସ୍ତ୍ରୀ ଆଗରେ ସ୍ୱାମୀଙ୍କୁ ହତ୍ୟା

ଫୁଲବାଣୀ :  କନ୍ଧମାଳ ଜିଲା ସାରଙ୍ଗଗଡ ଥାନା ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ଆଗରେ ତା ସ୍ୱାମୀକୁ ହତ୍ୟା କରାଯାଇଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁୟାୟୀ, ସାରଙ୍ଗଗଡ ବନେଗାଁର ପିପଲ ସାହିର ଯୋଗେଶ୍ୱର ପ୍ରଧାନ(୫୦) ଆଜି ନିଜ ଘର ବାରଣ୍ଡାରେ ବସିଥିବା ବେଳେ ଗ୍ରାମର କିଛି ଲୋକ ଆସି ତାଙ୍କ ସହ ପାଟିତୁଣ୍ଡ ଆରମ୍ଭ କରିଥିଲେ। ପୂର୍ବ ଶତ୍ରୁତାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଏହି ସମୟରେ ଯୋଗେଶ୍ୱର ଘର ଭିତରକୁ ଦୌଡ଼ି ପଳାଇବା ବେଳେ ଗଣ୍ଡଗୋଳକାରୀଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଯୋଗେଶ୍ୱରଙ୍କ ଛାତିକୁ ପ୍ରଥମେ ଦୁଇ ମୁଥ ମାରିଥିଲେ। ସେ ତଳେ ପଡ଼ିଯିବା ପରେ ଗଣ୍ଡଗୋଳକାରୀମାନେ ତାଙ୍କ ବେକ ଉପରେ ଛିଡା ହୋଇପଡ଼ିଥିଲେ। ସେଠାରେ ଉପସ୍ଥିତ ଥିବା ଯୋଗେଶ୍ୱରଙ୍କ ସ୍ତ୍ରୀ ମାଳତୀ ପ୍ରଧାନ ଯେତେ ନେହୁରା ହୋଇଥିଲେ ମଧ୍ୟ ଗଣ୍ଡଗୋଳକାରୀମାନେ ତାଙ୍କୁ ଛାଡ଼ି ନଥିଲେ। ଏପରିକି ହତ୍ୟକାରୀମାନେ ମାଳତୀଙ୍କୁ ମଧ୍ୟ ମାରିଦେବେ ବୋଲି ଧମକ ଦେଇଥିଲେ। କିଛି ସମୟ ପରେ ପରିବାରର ଅନ୍ୟ ସଦସ୍ୟ ସହ ସାହିବାସିନ୍ଦା ସେଠାରେ ରୁଣ୍ଢ ହୋଇଯିବାରୁ ଗଣ୍ଡଗୋଳକାରୀମାନେ ଦୌଡ଼ି ପଳାଇଥିଲେ। ଏ ନେଇ ମୃତ ଯୋଗେଶ୍ୱରଙ୍କ ପୁଅ ସମିଲନ ପ୍ରଧାନ ସାରଙ୍ଗଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ପିପଲ ସାହିରେ ପହଞ୍ଚି ତଦନ୍ତ ଚଳାଇଛି।

Comments are closed.