୬ ବର୍ଷ ବୟସର ବାଳକ ଫେରାଇଲା ଟଙ୍କା ବ୍ୟାଗ

ବାପାଙ୍କ ରାସ୍ତାରେ ପୁଅ

ଫୁଲବାଣୀ :  ରାସ୍ତାରୁ ପାଇଥିବା ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଟଙ୍କା ବ୍ୟାଗକୁ ଗୋଡ଼ାଇ ଗୋଡ଼ାଇ ଯାଇ ଫେରାଇଛନ୍ତି ଜଣେ ୬ ବର୍ଷ ବୟସର ବାଳକ। ବାପା-ମା’ଙ୍କ ପ୍ରେରଣାରେ ସେ ଏଭଳି କରିଥିବା ପ୍ରକାଶ କରିଛନ୍ତି। ସଂପୃକ୍ତ ବାଳକର ବାପା ପେଶାରେ ଜଣେ ଗାଡିଚାଳକ ହୋଇଥିଲେ ମଧ୍ୟ ପରୋପକାର ଓ ସମାଜସେବା ତାଙ୍କର ନିଶା। ବାପାଙ୍କ ପଥରେ ପୁଅ ଚାଲିବା ଆରମ୍ଭ କରିଥିବା ଘଟଣା ସମଗ୍ର  ଟିକାବାଲିରେ ଚର୍ଚ୍ଚାର ବିଷୟ ହୋଇଛି।
ଟିକାବାଲି ଖଦାଳସାହିର ହିରୋ ନାୟକ ଓ ପୁଷ୍ପା ନାୟକଙ୍କ ସାନ ପୁଅ ୬ ବର୍ଷୀୟ ରୋହିତ ନାୟକ ଗତକାଲି ନିଜ ବାପାଙ୍କ ଗାଡ଼ିରେ ବଜାରକୁ ଜିନିଷ କିଣିବା ପାଇଁ ଆସିଥିଲା। ବାପା ଦୋକାନକୁ ଯାଇ ଜିନିଷ କିଣୁଥିବା ବେଳେ ରୋହିତ ଗାଡ଼ିରେ ବସିଥିଲା।। ସେହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସାଇକଲରୁ ଏକ ବ୍ୟାଗ୍‍ ଖସି ଯାଇଥିଲା। ଯାହାକି ରୋହିତ ଆଖିରେ ପଡିଥିଲା, କିନ୍ତୁ ଶିକ୍ଷକ ଜଣକ ଜାଣିପାରିନଥିଲେ। ରୋହିତ ତତ୍କାଳ ଗାଡ଼ିରୁ ଓହ୍ଲାଇ ଉକ୍ତ ବ୍ୟାଗ୍‍କୁ ଗୋଟାଇବା ସହ ଦୌଡି ଯାଇ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଦେଇଥିଲେ। ଅବସରପ୍ରାପ୍ତ ଶିକ୍ଷକ ଜଣକ ହଠାତ୍‍ ବ୍ୟାଗ୍‍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବା ସହିତ ପିଲାଟିର ଏଭଳି ପରୋପକାରୀ କାମରେ ବେଶ ଉଲ୍ଲସିତ ହୋଇପଡିଥିଲେ। ପିଲାଟିର ନାମ, ଗ୍ରାମ ଓ ଠିକଣା ପଚାରିବା ସମୟରେ ଚାହୁଁ ଚାହୁଁ ସେଠାରେ ଲୋକେ ରୁଣ୍ଡ ହୋଇଯାଇଥଲା। ବ୍ୟାଗ୍‍ରେ ୯୫ ହଜାର ଟଙ୍କାର ଥଲା।
ଜି.ଉଦୟଗିରି ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ରଞ୍ଜିତ୍‍ ଦିଗାଲ ଆଜି ଭୁବନେଶ୍ୱର ଯିିବାର ଥିଲା। ସେ ଜି.ଉଦୟଗିରି ବ୍ୟାଙ୍କରୁ ୯୫ ହଜାର ଟଙ୍କା ଉଠାଇଥିଲେ। ଟିକାବାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ଜଣେ ସମ୍ପର୍କୀୟ ଭର୍ତ୍ତିିର୍ ହୋଇଥିବାରୁ ତାଙ୍କୁ ଦେଖା କରିବା ପାଇଁ ଟିକାବାଲି ଆସିଥିଲେ। ସେଠାରୁ ଟିକାବାଲି ବଜାରକୁ କିଛି ଜିନିଷ ନେବା ପାଇଁ ଏକ ସାଇକଲ୍‍ ଦ୍ୱାରା ଆସୁଥିବା ବେଳେ ତାଙ୍କର ଟଙ୍କା ବ୍ୟାଗ୍‍ ଖସିପଡ଼ିଥିଲେ ମଧ୍ୟ ସେ ଜାଣି ପାରିନଥିଲେ। ୬ ବର୍ଷର ବାଳକ ରୋହିତଙ୍କର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ପୁଅର ଏଭଳି କାର୍ଯ୍ୟକୁ ନେଇ ବାପା ଓ ମା’ ମଧ୍ୟ ବେଶ୍‍ ଗର୍ବିତ ବୋଲି ପ୍ରକାଶ କରିଛନ୍ତି। ଅବସରପ୍ରାପ୍ତ ଶିକ୍ଷକ ରୋହିତଙ୍କ ଘରେ ପହଞ୍ଚିି ତାଙ୍କୁ ୧୦୦୦ ଟଙ୍କା ପୁରସ୍କାର ସହିତ କିଛି ମିଠା ଓ ବିସ୍କୁଟ୍‍ ମଧ୍ୟ ପ୍ରଦାନ କରି ଆଶୀର୍ବାଦ ଦେଇଥିଲେ। ଟିକାବାଲିର ହିରୋ ନାୟକ ପେଶାରେ ଜଣେ ଗାଡ଼ି ଚାଳକ ହୋଇଥିଲେ ମଧ୍ୟ ନିଶାରେ ସେ ଜଣେ ସମାଜସେବୀ। ବିଶେଷ କରି ଦିନ ହେଉକି ରାତି ହେଉ , ବର୍ଷା ହେଉ କି ଖରା ହେଉ ଯଦି କୌଣସି ଅଞ୍ଚଳରେ କୌଣସି ପ୍ରକାର ଦୁର୍ଘଟଣା ହେଉ କିମ୍ବା କିଛି ଅସୁବିଧାରେ କିଏ ପଡ଼ିଥିବା ଖବର ପାଇବା ମାତ୍ରେ ତାଙ୍କର ବନ୍ଧୁ ନୀଳ ମାଧବ ପାତ୍ର ଓ ଚିକୁନ୍‍ ଭୋଇଙ୍କୁ ଧରି ସେ ସେହି ସ୍ଥାନରେ ପହଁଚିଥାନ୍ତି। ଏପରିକି ଅନେକ ସମୟରେ ପୁଲିସ୍‍ ଓ ଦମକଳ ବାହିନୀ ମଧ୍ୟ ଏହି ମାନଙ୍କର ସହଯୋଗ ନେଇଥାନ୍ତି।

Comments are closed.