ଚଳିତ ସପ୍ତାହରେ ନିଆଯାଇପାରେ ପଦକ୍ଷେପ

0

ନୂଆଦିଲ୍ଲୀ : ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପ୍ରଭାବରେ ଘରୋଇ ବଜାରରେ ଦିନକୁ ଦିନ ବଢି ବଢି ଚାଲିଥିବା ପେଟ୍ରୋଲ ଏବଂ ଡିଜେଲ ଦର ଏବେ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି। ୯ମ ଦିନ ପାଇଁ ଆଜି ଘରୋଇ ବଜାରରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଧାରା ଜାରି ରହିଛି। ସୋମବାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଲିଟର ପିଛା ୩୩ରୁ ୩୪ ପଇସା ବୃଦ୍ଧି ଘଟିଥିବାବେଳେ ଆଜି ପେଟ୍ରୋଲ ୩୦ ପଇସା ଏବଂ ଡିଜେଲ ୨୮ ପଇସା ବଢିଛି। ଏହା ଫଳରେ ରାଜଧାନୀ ନୂଆଦିଲ୍ଲୀଠାରେ ପେଟ୍ରୋଲ ଲିଟର ପିଛା ୭୬ ଟଙ୍କା ୮୭ ପଇସା ଏବଂ ଡିଜେଲ ୬୮ ଟଙ୍କା ୦୮ ପଇସାରେ ପହଞ୍ଚିଛି। ଫଳରେ ଦେଶରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ଏହା ପୁନର୍ବାର ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଛି। ମୁମ୍ବଇରେ ପେଟ୍ରୋଲ ଲିଟର ପିଛା ୮୪ ଯଙ୍କା ୭୦ ପଇସା ହୋଇଛି।
ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଅହେତୁକ ବୃଦ୍ଧି ପରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୫ ଟଙ୍କା ୬୪ ପଇସା ଏବଂ ଡିଜେଲ ୭୨ ଟଙ୍କା ୯୩ ପଇସା ଛୁଇଁଛି। ବର୍ତ୍ତମାନ ସରକାର ତୈଳ ଦରବୃଦ୍ଧି ଜନିତ ଚାପ ହ୍ରାସ କରିବା ପାଇଁ ଚଳିତ ସପ୍ତାହରେ କୌଣସି ପଦକ୍ଷେପ ଗ୍ରହଣ କରିବା ନେଇ ଆଜି ଚର୍ଚ୍ଚା ହେଉଛି। କେବଳ ଉତ୍ପାଦ ଶୁଳ୍କ ହ୍ରାସ ଭଳି ଗୋଟିଏ ପଦକ୍ଷେପକୁ ଅନୁସରଣ ନ କରି ସରକାର ଅନ୍ୟ ବିକଳ୍କ ପଦକ୍ଷେପ ଉପରେ ବିଚାର କରୁଥିବା ଜଣେ ବିଭାଗୀୟ ବରିଷ୍ଠ ଅଧିକାରୀ କହିଛନ୍ତି। ପେଟ୍ରୋଲ ଏବଂ ଡିଜେଲଦର ଘରୋଇ ବଜାରରେ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଥିଲେ ସୁଦ୍ଧା ସରକାର ବର୍ତ୍ତମାନ ତୈଳର ଉତ୍ପାଦ ଶୁଳ୍କରେ ହ୍ରାସ ଘଟାଇବା ସପକ୍ଷରେ ନ ଥିବା ଜଣାଯାଇଛି। ତଥାପି ସରକାର ଭେନିଜୁଏଲାରେ ରାଜନୈତିକ ଅନିଶ୍ଚିତତା ଜନିତ ସମସ୍ୟାର ସମାଧାନ ହୋଇଯିବା ଏବଂ ଆମେରିକାର ଶେଲ୍‍ ଅଏଲ ବିଶ୍ୱ ବଜାରରେ ତୈଳ ଦର ହ୍ରାସ ଜନିତ ଚାପକୁ ସହଜ କରାଇବା ନେଇ ଆଶାବାଦୀ ରହିଛନ୍ତି। ତେବେ ତୈଳ ଦର ବୃଦ୍ଧି ସରକାରଙ୍କ ପାଇଁ ଏକ ସଙ୍କଟଜନକ ସ୍ଥିତି ସୃଷ୍ଟି କରିଛି। ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ସମ୍ପ୍ରତ୍ତି ପେଟ୍ରୋଲିୟମ୍‍ ମନ୍ତ୍ରାଳୟ ସହ ପରାମର୍ଶ କରୁଥିବା ଅଧିକାରୀ ଜଣକ କହିଛନ୍ତି। ବିଗତ କ୍ରମାଗତ ୯ ଦିନ ଧରି ହୋଇଥିବା ଦର ବୃଦ୍ଧି ଯୋଗୁ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨ଟଙ୍କା ୨୪ ପଇସା ଏବଂ ଡିଜେଲ ଲିଟର ପିଛା ୨ଟଙ୍କା ୧୫ ପଇସା ବଢିଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୦ ଡଲାର ଛୁଇଁଥିଲା, ଯାହାକି ୨୦୧୪ ନଭେମ୍ବରଠାରୁ ସର୍ବାଧିକ। ସମ୍ପ୍ରତି କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଲିଟର ପିଛା ଉତ୍ପାଦ ଶୁଳ୍କ ବାବଦରେ ୧୯ ଟଙ୍କା ୪୮ ପଇସା ଏବଂ ଡିଜେଲ ଲିଟର ପିଛା ୧୫ ଟଙ୍କା ୩୩ ପଇସା ନେଉଛନ୍ତି।

Leave A Reply