ଘାଟିରେ ନିରଙ୍କୁଶ ଭାବେ ବୁଲୁଛନ୍ତି ଲୋକେ: ସେନା ମୁଖ୍ୟ ରାୱତ

ରାମଗଡ଼ : ଜାମ୍ମୁ କାଶ୍ମୀରରେ ସବୁକିଛି ଠିକ୍‍ ଅଛି ବୋଲି ଭାରତୀୟ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ ପୁଣି ଥରେ କହିଛନ୍ତି। ଝାଡ଼ଖଣ୍ଡର ରାମଗଡ଼ଠାରେ ଏକ କାର୍ଯ୍ୟକ୍ରମରେ ବୁଧବାର ଜେନେରାଲ ରାୱତ କହିଛନ୍ତି ଯେ ଘାଟିରେ ଲୋକମାନେ ନିରଙ୍କୁଶ ଭାବେ ବୁଲୁଛନ୍ତି। ଯେଉଁ ଲୋକମାନେ ଦାବି କରୁଛନ୍ତି ଯେ ସେଠାରେ କାଶ୍ମୀର ବନ୍ଦୀ ଅଛନ୍ତି, ସେମାନଙ୍କ ଅସ୍ଥିତ୍ୱ ଆତଙ୍କବାଦ ଉପରେ ନିର୍ଭର କରୁଛି।

ରାମଗଡ଼ରେ ପଞ୍ଜାବ ରେଜିମେଣ୍ଟର ୨୯ ଏବଂ ୩୦ତମ ବାଟାଲିୟନଙ୍କୁ ରାଷ୍ଟ୍ରପତି ପ୍ରତୀକରେ ସମ୍ମାନିତ କରିବା ପରେ ସେନା ମୁଖ୍ୟ କହିଥିଲେ ଯେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ସାମାନ୍ୟ କଟକଣା ଲାଗୁ ହୋଇଥିଲା। ଏବେ ସବୁ ସ୍ୱାଭାବିକ ହୋଇଛି ଓ ଏଥିଯୋଗୁଁ ଜନଜୀବନ ପ୍ରଭାବିତ ହୋଇନାହିଁ। ଲୋକେ ଏବେ ସ୍ୱାଭାବିକ ଭାବେ ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି। ତେବେ ମଙ୍ଗଳବାର ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଘଟିଥିବା ଭୂମିକମ୍ପ ଯୋଗୁଁ ଲୋକଙ୍କୁ କେତେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଛି। ରିକ୍ଟର ସ୍କେଲରେ ୫.୮ ତୀବ୍ରତାର ଏହି ଭୂମିକମ୍ପରେ ୨୬ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୩୦୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ଜାମ୍ମୁ କାଶ୍ମୀରରେ ମଧ୍ୟ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଜାମ୍ମୁ କାଶ୍ମୀରରେ ଭୂମିକମ୍ପ ଯୋଗୁଁ ଘଟିଥିବା କ୍ଷୟକ୍ଷତିର ଆକଳନ କରାଯାଇନାହିଁ। ଏବେ ପରିସ୍ଥିତି ସ୍ୱାଭାବିକ ରହିଛି।

Comments are closed.