ପୁଲିସ ପାଇଁ ଜେରା ପାଲଟିଛି ମୁଣ୍ଡବ୍ୟଥା

0

ପାଟନା: ବିହାର ଆଶ୍ରୟ ଗୃହରେ ୨ ଯୁବତୀଙ୍କ ମୃତ୍ୟୁ ସମ୍ପର୍କିତ ତଦନ୍ତ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସାଧାରଣତଃ ତଦନ୍ତ ସମୟରେ ଅଭିଯୁକ୍ତ ଭୟଭୀତ ହେଉଥିବାବେଳେ ଆଶ୍ରୟ ଗୃହ ମାମଲାରେ ଏହାର ଠିକ୍‍ ଓଲଟା ଦୃଶ୍ୟମାନ ହେଉଛି। ତଦନ୍ତକାରୀ ଦଳର କେଉଁ ପ୍ରଶ୍ନରେ କେଉଁ ରାଜନେତା, ସଚିବ ଅଥବା ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ନାମ ଆସିଯିବ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ତଦନ୍ତକାରୀ ଦଳ। ଏହି ମାମଲାରେ ଆଶ୍ରୟ କେନ୍ଦ୍ରର ସଞ୍ଚାଳିକା ମନୀଷା ଦୟାଲ ନାମକ ଜଣେ ହାଇପ୍ରୋଫାଇଲ ମହିଳାଙ୍କୁ ପୁଲିସ ଗିରଫ କରିବା ପରେ ପରିସ୍ଥିତି ଭିନ୍ନ ମୋଡ଼ ନେଇଛି।
ମଙ୍ଗଳବାର ଅନୁଷ୍ଠିତ ଏହି ପଚରାଉଚରା ସମୟରେ ପ୍ରଥମେ ମନିଷା ପୁଲିସ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ଚୁପ୍‍ ରହୁଥିଲେ। ଏହି ସମୟରେ ଜନୈକା ମହିଳା ପୁଲିସ ଅଧିକାରୀ ମନିଷାଙ୍କୁ ଚୁପ୍‍ ନରହି ମୁହଁ ଖୋଲିବାକୁ ତାଗିଦ୍‍ କରିବା ପରେ ହଠାତ୍‍ ମନିଷାଙ୍କ ବ୍ୟକ୍ତିତ୍ୱରେ ପରିବର୍ତ୍ତନ ଦେଖାଦେଇ ଥିଲା। ମନିଷା ହଠାତ୍‍ ଛିଡ଼ା ହୋଇ ଉକ୍ତ ମହିଳା ପୁଲିସ ଅଧିକାରୀଙ୍କ ଆଡ଼କୁ ଅନାଇ ମୁହଁ ଖୋଲିବାର ପରିଣାମ ସମ୍ପର୍କରେ ଚେତାବନୀ ଦେଇଥିଲେ। “ବେଶି ପ୍ରଶ୍ନ ପଚାର ନାହିଁ, ମୁହଁ ଖୋଲିଲେ କେହିଁ ବଞ୍ଚିବେ ନାହିଁ’ ବୋଲି ସ୍ପଷ୍ଟ ଭାଷାରେ ଚେତାବନୀ ଦେଇଥିଲେ। “ମୁଁ ଜାଣିଛି କିଏ କଣ, ସମସ୍ତଙ୍କ ବିଷୟରେ ମଧ୍ୟ ମୁଁ ଜାଣିଛି’ ବୋଲି ସେ କହିଥିଲେ। ଆହୁରି ଅନେକ କିଛି କହିବାକୁ ଯାଉଥିଲେ ମନିଷା। ହେଲେ ସେଠାରେ ଉପସ୍ଥିତ ତଥା ଏହି ଘଟଣାରେ ଗିରଫ ହୋଇଥିବା ଅନ୍ୟତମ ଅଭିଯୁକ୍ତ ଚିରନ୍ତନ ମନିଷାଙ୍କୁ ଚୁପ୍‍ ରହିବାକୁ ଗୁହାରି କରିଥିଲେ।
ଆଶ୍ରା ଆଶ୍ରୟ ଗୃହରେ ଦୁଇ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁକୁ କେନ୍ଦ୍ର କରି ପୁଲିସ ମନିଷା ଓ ଚିରନ୍ତନଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି। ଏହି ଘଟଣାରେ ସମାଜ କଲ୍ୟାଣ ବିଭାଗ, ସ୍ଥାନୀୟ ନେତା ଓ କେତେକ ପ୍ରଭାବଶାଳୀ ସଚିବଙ୍କ ସମ୍ପୃକ୍ତିକୁ ନେଇ ପୁଲିସ ପାଖରେ ସୁରାକ ରହିଛି। ତେବେ ରାଜନୈତିକ ଅସ୍ଥିରତାକୁ ଦୃଷ୍ଟିରେ ରଖି ପୁଲିସ ଠୋସ ପ୍ରମାଣକୁ ଅପେକ୍ଷା କରିଛି। ଏହି ସମସ୍ତ ଉଚ୍ଚ ପଦାଧିକାରୀଙ୍କ ତାର ମନିଷାଙ୍କ ଦ୍ୱାରା ଯୋଡ଼ି ହୋଇରହିଛି।
ମନିଷାଙ୍କୁ ପୁଲିସର ପଚରାଉଚରା ଚାଲିଥିବାବେଳେ ଏହାର ପ୍ରଭାବ ବରିଷ୍ଠ ଅଧିକାରୀ, ସ୍ଥାନୀୟ ନେତା, ଏପରିକି ସଚିବ ସ୍ତରରେ ପଡ଼ିଛି। ମନିଷା କେଉଁକେଉଁ ବ୍ୟକ୍ତିଙ୍କ ନାମ ନେଉଛନ୍ତି ଏହାକୁ ନେଇ ମନିଷାଙ୍କଠାରୁ ଅଧିକ ପ୍ରଶ୍ନ ତଦନ୍ତକାରୀ ପୁଲିସକୁ ଦେବାକୁ ପଡ଼ୁଛି।
ଅପରପକ୍ଷରେ ବ୍ରଜେଶ ଠାକୁରଙ୍କ ସହ ମନିଷାଙ୍କ ସମ୍ପର୍କକୁ ନେଇ ସୁରାକ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଏଭଳି ହେଲେ ଆଗାମୀ ଦିନରେ କେବଳ ପୁଲିସ କାହିଁକି ସିବିଆଇ ତଦନ୍ତରେ ମନିଷାଙ୍କୁ ଜେରା କରାଯିବାର ସମ୍ଭାବନା ରହିଛି। ସିବିଆଇ ହେପାଜତକୁ ମନିଷା ଆସିଲେ ବିହାର ରାଜନୀତିରେ ବଡ଼ ଧରଣର କମ୍ପନ ସୃଷ୍ଟି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।
କିଏ ଏହି ମନିଷା:
ବିବାହର କିଛି ବର୍ଷ ପରେ ଏକ ଏନଜିଓରେ କାର୍ଯ୍ୟ ଆରମ୍ଭ କରିଥିଲେ ମନିଷା ଦୟାଲ। ଏନଜିଓରେ କାମ କରୁଥିବା ସମୟରେ ନେତାଙ୍କଠାରୁ ଆରମ୍ଭ କରି ସାମ୍ବାଦିକଙ୍କ ସହ ବେଶ୍‍ ଘନିଷ୍ଠ ସମ୍ପର୍କ ଗଢି ତୋଲିଥିଲେ ମନିଷା। ବିଳାସପୂର୍ଣ୍ଣ ଜୀବନଶୈଳୀ ମାୟାରେ ଶେଷରେ ମନିଷା ସ୍ୱାମୀ ଜୀବନ ବର୍ମାଙ୍କ ସହ ସମ୍ପର୍କ ଭାଙ୍ଗି ନିଜ ପିଲାଙ୍କୁ ନେଇ ଅଲଗା ରହୁଥିଲେ। ଅଳ୍ପ ଦିନ ମଧ୍ୟରେ ସାମାଜିକ ଓ ରାଜନୈତିକ ପ୍ରଭାବ ବୃଦ୍ଧି କରିବା ସହ ମନିଷା ଏନଜିଓ ଚାକିରି ଛାଡ଼ି ୨୦୧୬ରେ ଅନୁମାୟା ହ୍ୟୁମାନ ରିସୋର୍ସ ଫାଉଣ୍ଡେସନ ଖୋଲିଥିଲେ। ମନିଷାଙ୍କ ରାଜନୈତିକ ପ୍ରଭାବ ଏତେ ବିସ୍ତୃତ ଥିଲା ଯେ ମାତ୍ର ଦୁଇ ବର୍ଷ ମଧ୍ୟରେ ତାଙ୍କ ଏନଜିଓ ଏକାଧିକ ବଡ଼ କାର୍ଯ୍ୟକ୍ରମରେ ନିଜ ଭାଗିଦାରୀ ବୃଦ୍ଧି କରି ପାରିଥିଲା। ପେଜ-୩ ସୋସାଇଟିର ଏକ ଚର୍ଚ୍ଚିର୍ତ ଚେହେରା ଭାବେ ମନିଷା ଖ୍ୟାତି ଅର୍ଜନ କରିବା ସହ ରାଜ୍ୟର ବଡ଼ ଅଧିକାରୀଙ୍କ ପତ୍ନୀଙ୍କ ସହ ତାଙ୍କ ସମ୍ପର୍କ ନିବିଡ଼ ହେବାରେ ଲାଗିଲା। ୨୦୧୭ରେ କର୍ପୋରେଟର କ୍ରିକେଟ ଲିଗର ଆୟୋଜନ ଅନୁମାୟା ହ୍ୟୁମାନ ରିସୋର୍ସ ଫାଉଣ୍ଡେସନ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ଏହାର ସଫଳତା ପରେ ମନିଷା ଫୁଟବଲ ଲିଗ ମଧ୍ୟ ଆୟୋଜନ କରିଥିଲେ। ବର୍ଷକୁ ୭୦ଲକ୍ଷ ଟଙ୍କାର ବଜେଟ ନେଇ ଅନୁମାୟା ହ୍ୟୁମାନ ରିସୋର୍ସର୍ ଫାଉଣ୍ଡେସନ ଚାଲିଥିଲା। ପାଟନାର ନେପାଳୀ ନଗର ସ୍ଥିତ ଆଶ୍ରା ହୋମର ସଞ୍ଚାଳିକା ମନିଷାଙ୍କ ଉତ୍‍ଥାନ ଯେତେ ରହସ୍ୟମୟ ତାଙ୍କ ସହ ରାଜ୍ୟର ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପର୍କ ମଧ୍ୟ ସେତେ ରହସ୍ୟାବୃତ୍ତ। ଏଭଳି ପରିସ୍ଥିତିରେ ପୁଲିସ କ’ଣ ପଚାରିବ ଓ କି ତଦନ୍ତ କରିବ ଏହା ଏବେ ଚିନ୍ତାର ବିଷୟ।

Leave A Reply