ପାଟକୁରା ନିର୍ବାଚନ : ୬୭% ମତଦାନ

 କେନ୍ଦ୍ରାପଡ଼ା/ ପାଟକୁରା : ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଶାନ୍ତ ଶୃଙ୍ଖଳାର ସହ  ମତଦାନ ଶେଷ ହୋଇଛି। ଶନିବାର ଅପରାହ୍ଣ ୫ଟା ସୁଦ୍ଧା ୬୭% ମତଦାନ ହୋଇଥିବା ଜଣାପଡିଛି । ଅପରାହ୍ଣ ୬ଟା ସୁଦ୍ଧା ଭୋଟଗ୍ରହଣ ପାଇଁ ବ୍ୟବସ୍ଥା ରହିଛି। ୬ଟା ସୁଦ୍ଧା ଯେଉଁମାନେ ଭୋଟ ଦେଇପାରି ନ ଥିବେ ସେମାନଙ୍କୁ ଟୋକନ୍‍ ଦିଆଯାଇ ଭୋଟଗ୍ରହଣ କେନ୍ଦ୍ର ପରିସରରେ ଅପେକ୍ଷା କରିବାକୁ ପଡିିବ। ଆବଶ୍ୟକ ସ୍ଥଳେ ରାତି ୮ଟା ପର୍ଯ୍ୟନ୍ତ ମଧ୍ୟ ଭୋଟ ଗ୍ରହଣ କରାଯିବ ବୋଲି ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ଆଜି ଜଅଁରା ବାରିମୂଳ ୧୩୧ ନମ୍ବର ବୁଥ,ବିଲବଳରାମପୁର ୧୨୮ ନମ୍ବର ବୁଥ, ତେହେଡା ୧୫୯ ନମ୍ବର ଓ ୧୧୮ନମ୍ବର ବୁଥ୍‍ରେ ଇଭିଏମ୍‍ ଖରାପ ଥିବାରୁ ଭୋଟଗ୍ରହଣ କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା। ଫଳରେ ଭୋଟରମାନେ ଦୀର୍ଘସମୟ ଧରି ଲାଇନରେ ଛିଡା ହେବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ତିକନପୁର ଗ୍ରାମର ଭୋଟଗ୍ରହଣ କେନ୍ଦ୍ରରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିବା ପାଟକୁରା ଥାନାକୁ ଖବର ଆସିଛି। କରିଲୋପାଟଣାର ୩୦୭ ନମ୍ବର ବୁଥରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡିଛି। ଗତକାଲି ଏକ ଟିଭି ଚ୍ୟାନେଲର ଜଣେ ମହିଳା ସାମ୍ବାଦିକ ମାର୍ଶାଘାଇ ଅଞ୍ଚଳରେ ଖବର ସଂଗ୍ରହ କରୁଥିବା ବେଳେ ଗୋଟିଏ ରାଜନୈତିକ ଗୋଷ୍ଠୀ ତାଙ୍କ ଡ୍ରାଇଭରକୁ ମାଡମାରିବା ସହିତ ତାଙ୍କୁ ଅସଦ୍‍ବ୍ୟବହାର କରିଥିଲେ। ଏହାର ପ୍ରତିବାଦରେ କରିଲୋପାଟଣା ଗ୍ରାମବାସୀ ଦୀର୍ଘସମୟ ଧରି ରାସ୍ତା ଅବରୋଧ କରିଥିଲେ। କରିଲୋପାଟଣାର ୩୦୭ ନମ୍ବର ବୁଥ୍‍ରେ ଚିରକୁଟିକୁ କେନ୍ଦ୍ରକରି ସେହି ଭୋଟଗ୍ରହଣ କେନ୍ଦ୍ରର ଗୋଟିଏ ଦଳର ଏଜେଣ୍ଟ ଏବଂ ପ୍ରିଜାଇଡିଂ ଅଫିସରଙ୍କ ମଧ୍ୟରେ ବାକ୍‍ବିତଣ୍ଡା ହେବାରୁ ବହୁ ସମୟଧରି ଭୋଟଗ୍ରହଣ କାର୍ଯ୍ୟ ବନ୍ଦ ରହିଥିଲା। ଅଳ୍ପ କେତୋଟି ସ୍ଥାନରେ ଇଭିଏମ୍‍ ଅଚଳ ହୋଇଥିବା ବେଳେ କେତେକ ସ୍ଥାନରେ ଗଣ୍ଡଗୋଳ ଘଟିଥିଲା। ତେଣୁ ସେଠାରେ ଭୋଟ ଗହଣ ବିଳମ୍ବ ହୋଇଥିଲା।
ଗରଦପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଂଚାୟତ କିଣିଲୋ ଗ୍ରାମର ୩୦୭ ନମ୍ବର ବୁଥ୍‍ରେ ଭୋଟଗ୍ରହଣର ମାତ୍ର ଅଳ୍ପସମୟ ପରେ ଜଣେ ବୟସ୍କ ଭୋଟରଙ୍କ ପାଇଁ ଅନ୍ୟଜଣେ ଭୋଟଦେବା ପାଇଁ ଚାହିଁଥିଲେ। କିନ୍ତୁ ଏହାକୁ ପ୍ରିଜାଡିଂ ଅଫିସର ମନା କରିଥିଲେ। ତେଣୁ ଏକ ଦଳର ପୋଲିଂ ଏଜେଣ୍ଟ ଓ ତାଙ୍କ ସମର୍ଥକ ଭୋଟକେନ୍ଦ୍ରର ଦ୍ୱାରରେ ଧାରଣା ଦେଇଥିଲେ। ଖବରପାଇ ମାଜିଷ୍ଟ୍ରେଟ୍‍ ଦାୟିତ୍ୱରେ ଥିବା ଗରଦପୁର ତହସିଲଦାର ଉମାକାନ୍ତ ବିଶ୍ୱାଳ, ପୁଲିସ ଡିଏସ୍‍ପି ରାଜୀବଲୋଚନ ପଣ୍ଡା ଓ ଯଦୁନାଥ ଜେନା ସେଠାରେ ପହଂଚି ଧାରଣାକାରୀମାନଙ୍କୁ ବୁଝାସୁଝା କରିବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏହି କେନ୍ଦ୍ରରେ ଦୁଇଘଣ୍ଟା ବିଳମ୍ବରେ ମତଦାନ ହୋଇଥିଲା। ମହମ୍ମୁଦା ଗ୍ରାମର ୩୦୯ନମ୍ବର ବୁଥ୍‍ରେ କୁନିଆ ସାହୁ ଉପସ୍ଥିତ ଥିଲେ ମଧ୍ୟ ତାଙ୍କ ଭୋଟ ଅନ୍ୟଜଣେ ଦେବାରୁ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ବେଡାରୀ ପଂଚାୟତର ହରିଦାସପୁର ବୁଥରେ ଗ୍ରାମର ରଞ୍ଜନ କୁମାର ଦାସ(୨୨)ଙ୍କ ନାମ ଭୋଟର ତାଲିକାରେ ନ ଥିବାରୁ ସେ ଭୋଟ ଦେଇପାରି ନ ଥିଲେ। ପାଟକୁରା ପଂଚାୟତ ଅନ୍ତର୍ଗତ ଜଗଦ୍ଦଳପୁର ଗ୍ରାମର ବୁଥ୍‍ରେ ସନ୍ଧ୍ୟା୬ଟା ପରେ ମଧ୍ୟ ଭୋଟର୍‍ମାନେ ଲମ୍ବାଲାଇନ୍‍ରେ ରହିଥିବାରୁ ସେଠାରେ ସାଢେ ୬ଟା ପର୍ଯ୍ୟନ୍ତ ମତଦାନ କରାଯାଇଥିଲା।
ଗରଦପୁର ବ୍ଲକ ଅନ୍ତର୍ଗତ ବଜ୍ରବାଣ, ଗରଦପୁରର ଜଗନ୍ନାଥ ନୋଡାଲ ସ୍କୁଲ, ପଦ୍ମପୁର ସ୍କୁଲ, ମରିଲୋ ସ୍କୁଲ ଓ ନାଗଣପୁର ସ୍କୁଲରେ କରାଯାଇଥିବା ବୁଥ୍‍ରେ ଇଭିଏମ୍‍ରେ ସମସ୍ୟା ଦେଖାଦେବାରୁ ସେଠାରେ ନୂତନ ମେସିନ୍‍ ଲଗାଯାଇ ଭୋଟଗ୍ରହଣ କରାଯାଇଥିଲା। ତିକନପୁର ଭୋଟଗ୍ରହଣ କେନ୍ଦ୍ର ନିକଟରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ବଚସା ଓ ମାରପିଟ୍‍ ହୋଇଥିଲା। ଏଥିରେ ଜଣେ କର୍ମୀଙ୍କ ମୁଣ୍ଡ ଫାଟିଯାଇଥିଲା। ଫଳରେ ପରିସ୍ଥିତିକୁ ସମ୍ଭାଳିବା ଲାଗି ତିକନପୁର ଛକରେ ପୁଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡିଥିଲା। ବ୍ରହ୍ମପୁର ଗ୍ରାମର ୨୭୧ ନମ୍ବର ବୁଥ୍‍ରେ ଭୋଟରଙ୍କ ଅଭିଯୋଗ ପରେ ଭଲ ଲାଇଟ୍‍ ବ୍ୟବସ୍ଥା କରାଯାଇଥିଲା।

Comments are closed.