ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ

ଯାଜପୁର : ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ତ୍ରୁଟିପୂର୍ଣ୍ଣ ଚିକିତ୍ସା କାରଣରୁ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ହରିପୁର ଗାଁର ନୀଳମଣି ବରାଳଙ୍କ ଝିଅ ପୂଜାରାଣୀ। ସେ ଆଜି ନିଜର ବାତ ରୋଗର ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଡ଼ାକ୍ତରଖାନାକୁ ଆସିଥିଲେ। ତାଙ୍କୁ ଦିଆଯାଇଥିବା ଇଞ୍ଜେକ୍ସନର ମାତ୍ରା ଅଧିକ ହୋଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାସହିତ ମୃତଦେହ ବ୍ୟବଚ୍ଛେଦ ନ କରି ତାଙ୍କୁ ଜୋର ଜବରଦସ୍ତ ଘରକୁ ପଠାଇ ଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଗ୍ରାମବାସୀ ଏହାର ତଦନ୍ତ କରି ଦୋଷୀ ଵିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି କରି ମୃତଦେହକୁ ଡାକ୍ତର ଖାନାକୁ ଆଣିଥିଲେ। ଅନ୍ୟପଟେ ଡାକ୍ତରଖାନା କର୍ତ୍ତୃପକ୍ଷ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

Comments are closed.