ମନ୍ତ୍ରୀ ମାନିଲେ – ବିଚାରପତି ଅଭାବ ଶୋଚନୀୟ

ନୂଆଦିଲ୍ଲୀ: ଭାରତର ବିଭିନ୍ନ ନ୍ୟାୟାଳୟରେ ବିଚାରପତିମାନଙ୍କ ଘୋର ଅଭାବ ଥିବା କେନ୍ଦ୍ର ସରକାର ସ୍ୱୀକାର କରିଛନ୍ତି। ଲୋକସଭାରେ ଦୁଇଟି ଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ ମନ୍ତ୍ରୀ ଏହା ସ୍ପଷ୍ଟ କରିଛନ୍ତି। କେରଳରୁ କଂଗ୍ରେସ ସାଂସଦ ଅଦୁର ପ୍ରକାଶ ଏବଂ ତାମିଲନାଡୁ ସାଂସଦ ମାଣିକମ ଟାଗୋର ବି ବିଚାରପତି ଅଭାବ ସମସ୍ୟା ନେଇ ପ୍ରଶ୍ନ କରିଥିଲେ। ଉଚ୍ଚ ନ୍ୟାୟାଳୟଗୁଡିକରେ ବିଚାର ନ ହୋଇ ମାମଲା ପଡିରହିଥିବାରୁ ସରକାର ବିଚାରପତି ପଦବୀ କେବେ ପୂରଣ କରିବେ ଏବଂ ପ୍ରଧାନ ବିଚାରପତି ଏ ନେଇ ପ୍ରସ୍ତାବ ଦେଇଛନ୍ତି କି ନାହିଁ, ସାଂସଦ ଦ୍ୱୟ ପ୍ରଶ୍ନ କରିଥିଲେ।

ଆଇନ ଓ ନ୍ୟାୟ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଥିଲେ, ସୁପ୍ରିମକୋର୍ଟରେ ସମସ୍ତ ୩୧ଟି ବିଚାରପତି ପଦବୀ ପୂରଣ ହୋଇଛି କିନ୍ତୁ ଉଚ୍ଚ ନ୍ୟାୟାଳୟ ଗୁଡିକରେ ଚଳିତ ଜୁଲାଇ ସୁଦ୍ଧା ୪୦୩ଟି ବିଚାରପତି ପଦବୀ ଫାଙ୍କା ରହିଛି। ସେହିପରି ସୁପ୍ରିମକୋର୍ଟରେ ୫୯ ହଜାର ୩୩୧ଟି ମାମଲା ବିଚାର ନ ହୋଇ ପଡିରହିଥିବା ବେଳେ ଉଚ୍ଚ ନ୍ୟାୟାଳୟଗୁଡ଼ିକରେ ୪୩ ଲକ୍ଷ ୫୫ ହଜାର ମାମଲା ବିଚାର ନ ହୋଇ ପଡିରହିଛି।

Comments are closed.