ଆଡ଼ୱାଣୀଙ୍କୁ ୨୨ତମ ବିଶ୍ବ ବିଲିୟାର୍ଡସ ଟାଇଟଲ

0

ମାଣ୍ଡାଲୟ (ମିଆଁମାର): ବିଶ୍ବରେ ବିଲିୟାର୍ଡସ ଓ ସ୍ନୁକର କ୍ରୀଡ଼ାରେ କିମ୍ବଦନ୍ତୀ ପାଲଟି ଯାଇଥିବା ଭାରତର ପଙ୍କଜ ଆଡ଼ୱାଣୀ ତାଙ୍କ କୃତିତ୍ବପୂର୍ଣ୍ଣ ଗାଥାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି। ବାଙ୍ଗାଲୋରର ଏହି ଖେଳାଳି ରେକର୍ଡ ୨୨ତମ ଥର ପାଇଁ ବିଶ୍ବ ବିଲିୟାର୍ଡସ ଚମ୍ପିଆନ୍ ହୋଇଛନ୍ତି। ଏଠାରେ ରବିବାର ସମାପ୍ତ ହୋଇଥିବା ଆଇବିଏସ୍‌ଏଫ୍ ବିଶ୍ବ ବିଲିୟାର୍ଡସ ଚମ୍ପିଆନ୍‌ସିପ୍‌ରେ ଆଡ଼ୱାଣୀ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛନ୍ତି। ବିଲିୟାର୍ଡସର ନୂଅା ଫର୍ମାଟ ବା ୧୫୦-ଅପ୍ ଫର୍ମାଟ୍‌ରେ ଗତ ୬ ବର୍ଷରେ ଏହା ଆଡ଼ୱାଣୀଙ୍କ ୫ମ ବିଶ୍ବ ଚମ୍ପିଆନ୍‌ସିପ୍ ଟାଇଟଲ। ପୁଣି ଏହି ଚମ୍ପିଆନ୍‌ସିପ୍‌କୁ ଆଡ଼ୱାଣୀ କ୍ରମାଗତ ୪ର୍ଥ ବର୍ଷ ପାଇଁ ଜିତି ପାରିଛନ୍ତି।
୩୪ ବର୍ଷ ବୟସ୍କ ପଙ୍କଜ ଆଡ଼ୱାଣୀ ଫାଇନାଲରେ ସ୍ଥାନୀୟ ମିଆଁମାରର ଖେଳାଳି ନେ ଥ୍ବେ ଉଙ୍କୁ ସହଜରେ ୬-୨ ଫ୍ରେମ୍‌ରେ ପରାସ୍ତ କରିଛନ୍ତି। ମଧ୍ୟାନ୍ତର ସୁଦ୍ଧା ଆଡ଼ୱାଣୀ ୩-୦ରେ ଆଗୁଆ ଥିଲେ। ଏହି ୩ଟି ଫ୍ରେମ୍‌ରେ ୧୪୫, ୮୯ ଓ ୧୨୭ ପଏଣ୍ଟର ବ୍ରେକ୍ ହାସଲ କରିଥିଲେ। ପରବର୍ତ୍ତୀ ୨ଟି ଫ୍ରେମ୍‌ରେ ନେ ଥ୍ବେ ଉ ୬୩ ଓ ୬୨ ପଏଣ୍ଟର ବ୍ରେକ୍‌ ହାସଲକରି ଏହାକୁ ଜିତି ନେଇଥିଲେ। ହେଲେ ପରବର୍ତ୍ତୀ ୪ଟିଯାକ ଫ୍ରେମ୍‌ରେ ଆଡ଼ୱାଣୀ ବିଜୟୀହୋଇ ଟାଇଟଲ ହାସଲ କରିଥିଲେ। ସୂଚନାଯୋଗ୍ୟ; ଗତବର୍ଷ ଫାଇନାଲରେ ମଧ୍ୟ ମିଆଁମାରର ନେ ଥ୍ବେ ଉଙ୍କୁ ଆଡ଼ୱାଣୀ ପରାସ୍ତକରି ବିଶ୍ବ ବିଲିୟାର୍ଡସ ଚମ୍ପିଆନ୍ ହୋଇଥିଲେ। ଏହି ମୁକାବିଲାକୁ ଆଡ଼ୱାଣୀ ୬-୨: ୧୫୦ (୧୪୫)-୪, ୧୫୧ (୮୯)-୬୬, ୧୫୦ (୧୨୭)-୫୦ (୫୦), ୭-୧୫୦ (୬୩, ୬୨), ୧୫୧ (୫୦)-୬୯ (୫୦), ୧୫୦ (୧୫୦)-୦, ୧୩୩ (୬୪)-୧୫୦ (୧୦୫), ୧୫୦ (୭୪)-୭୫ (୬୩) ଫ୍ରେମ୍‌ରେ ଜିତିଥିଲେ। ଏହାକୁ ମିଶାଇ ଆଡ଼ୱାଣୀ ଉଭୟ ବିଲିୟାର୍ଡସ ଓ ସ୍ନୁକରରେ ବିଶ୍ବର ସଫଳତମ ଖେଳାଳି ହୋଇ ପାରିଛନ୍ତି। ୨୦୦୫​‌‌ରେ ମାଲ୍‌ଟାଠାରେ ବେଙ୍ଗାଲୁରୁ ବାସିନ୍ଦା ପଙ୍କଜ ଆଡ଼ୱାଣୀ ଜୀବନର ପ୍ରଥମ ବିଶ୍ବ ବିଲିୟାର୍ଡସ ଚମ୍ପିଆନ୍‌ସିପ୍ ଟାଇଟଲ ଜିତିଥିଲେ। ଏହାପରେ ପଙ୍କଜ ଆଉ ୨୧ଟି ବିଶ୍ବ ବିଲିୟାର୍ଡସ ଚମ୍ପିଆନ୍‌ସିପ୍ ଟାଇଟଲ ଜିତିଛନ୍ତି। ପଙ୍କଜ ୨୦୦୬ରେ ରାଜୀବ ଗାନ୍ଧି ଖେଳରତ୍ନ ଓ ୨୦୧୮ରେ ପଦ୍ମଭୂଷଣ ପୁରସ୍କାର ପାଇଥିଲେ।

Leave A Reply