ପାଣ୍ଡ୍ୟା ଓ ରାହୁଲଙ୍କ ନିଃସର୍ତ୍ତ କ୍ଷମାପ୍ରାର୍ଥନା; ବୋର୍ଡ ସଦସ୍ୟଙ୍କ ଏସ୍‌ଜିଏମ୍ ଦାବି

0

ନୂଆଦିଲ୍ଲୀ : ନିକଟରେ ଏକ ଟିଭି କାର୍ଯ୍ୟକ୍ରମରେ ମହିଳାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ଦୁଇ ଆନ୍ତର୍ଜାତିକ କ୍ରିକେଟର ହାର୍ଦିକ ପାଣ୍ଡ୍ୟା ଓ କେ.ଏଲ୍‌. ରାହୁଲ। ଫଳତଃ ଉଭୟଙ୍କୁ ସମସ୍ତ ପ୍ରକାର କ୍ରିକେଟ୍‌ରୁ ନିଲମ୍ବନ କରିଛି ବିସିସିଆଇ। ସୋମବାର ଉଭୟ ପାଣ୍ଡ୍ୟା ଓ କେ.ଏଲ୍‌. ରାହୁଲ ବିସିସିଆଇ ନିକଟରେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି। ଏହାସହ ବିସିସିଆଇ ପ୍ରଶାସନ କମିଟି (ସିଓଏ)ର ଅଧ୍ୟକ୍ଷ ବିନୋଦ ରାୟ କହିଛନ୍ତି ଯେ ହାର୍ଦିକ ପାଣ୍ଡ୍ୟା ଓ କେ.ଏଲ୍‌. ରାହୁଲଙ୍କ କ୍ରିକେଟ ଜୀବନ ଅନ୍ତଃ କରିବା ପରିବର୍ତ୍ତେ ବିସିସିଆଇ ଉଭୟ ଖେଳାଳିଙ୍କୁ ସଠିକ୍ ରାସ୍ତାକୁ ଆଣିବା ଆବଶ୍ୟକ।
ଚାରିଆଡ଼ୁ ସମାଲୋଚନା ହେବା ସହ ନିଲମ୍ବନ ହେବା ଯୋଗୁଁ ହାର୍ଦିକ ପାଣ୍ଡ୍ୟା ଓ କେ.ଏଲ୍‌. ରାହୁଲ ଏବେ ପ୍ରବଳ ଚାପରେ ପଡ଼ି ଯାଇଛନ୍ତି। ଦୁହେଁ ଅ​‌େ​‌ଷ୍ଟ୍ରଲିଆ ବିପକ୍ଷ ଚଳିତ ଦିନିକିଆ ସିରିଜ୍ ସହ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ସୀମିତ ଓଭର ସିରିଜ୍ ପାଇଁ ଭାରତୀୟ ଦଳରେ ଥିଲେ। ତେବେ ଉଭୟଙ୍କୁ ନିଲମ୍ବନ କରାଯିବା ସହ ସ୍ବଦେଶ ପଠାଇ ଦିଆଯାଇଛି। ଫଳରେ ଉଭୟଙ୍କ କ୍ରିକେଟ ଜୀବନ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ପାଣ୍ଡ୍ୟା ଓ ରାହୁଲ ବିସିସିଆଇ ନିକଟରେ ଲିଖିତ ଭାବେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି। ​‌େ​‌ତବେ ମାମଲାକୁ ଆହୁରି ଗଣ୍ଡଗୋଳିଅା କରି ଦେଇଛନ୍ତି ବିସିସିଆଇର ସଦସ୍ୟମାନେ। ପାଣ୍ଡ୍ୟା ଓ ରାହୁଲଙ୍କ ବିଷୟରେ ନିର୍ଣ୍ଣୟ ନେବା ପାଇଁ ୧୦ଟି ରାଜ୍ୟ କ୍ରିକେଟ ଆସୋସିଏସନ୍ ମିଳିତ ଭାବେ ବିସିସିଆଇର ସ୍ବତନ୍ତ୍ର ସାଧାରଣ ବୈଠକ (ଏସ୍‌ଜିଏମ୍) ଡାକିବାକୁ ଦାବି କରିଛନ୍ତି। ପାଣ୍ଡ୍ୟା ଓ ରାହୁଲଙ୍କ ମାମଲାର ତଦନ୍ତ ପାଇଁ ଏହି ବୈଠକରେ ଜଣେ ଅମ୍ବୁଡ୍‌ସମ୍ୟାନ୍ ନିଯୁକ୍ତି ପାଇଁ ସେମାନେ ଦାବି କରିଛନ୍ତି। ‘କଫି ୱିତ୍ କରନ୍‌’ କାର୍ଯ୍ୟକ୍ରମରେ ଭାଗ ନେଇଥିବା ହାର୍ଦିକ ପାଣ୍ଡ୍ୟା ଓ କେ.ଏଲ୍‌. ରାହୁଲ ଏକାଧିକ ମହିଳାଙ୍କ ସହ ସମ୍ପର୍କ ଏବଂ ସେମାନଙ୍କ ପିତାମାତାଙ୍କ ବିଷୟରେ ଏହା ବିଷୟରେ ଆଲୋଚନା କରୁଥିଲେ ବୋଲି କହିଥିଲେ। ଏହାକୁ ଚାରିଆଡ଼େ ତୀବ୍ର ସମାଲୋଚନା କରା ଯାଇଥିଲା। ଏପରିକି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ତାଙ୍କ ଦଳର ଦୁଇ ସାଥୀ ଖେଳାଳିଙ୍କ ମନ୍ତବ୍ୟକୁ ଅନୁପଯୁକ୍ତ ‌େ‌ବାଲି କହିଥିଲେ। ପରେ ଉଭୟଙ୍କୁ ନିଲମ୍ବନ କରା ଯାଇଥିଲା। ଏହାସହ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରା ଯାଇଥିଲା। ସୋମବାର ପାଣ୍ଡ୍ୟା ଓ ରାହୁଲ ବିସିସିଆଇକୁ ସେମାନଙ୍କ ଜବାବ ପଠାଇବା ସହ ସେମାନଙ୍କ କାର୍ଯ୍ୟ ପାଇଁ ଅନୁତାପ କରି ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି। ଏହାକୁ ପାଇବା ପରେ ବିସିସିଆଇର ସିଇଓ ରାହୁଲ ଜୋହରିଙ୍କୁ ବିସିିସିଆଇ ସମ୍ବିଧାନ ଅନୁସା​‌େ​‌ର ତଦନ୍ତ କରିବାକୁ ବିନୋଦ ରାୟ ନିର୍ଦେଶ ଦେଇଛନ୍ତି।
ଏଣେ ସିଓଏର ଅନ୍ୟ ସଦସ୍ୟା ଡାଏନା ଏଡୁଲ୍‌ଜି ଅଭିଯୋଗ କରିଛନ୍ତି ଯେ ହାର୍ଦିକ ପାଣ୍ଡ୍ୟା ଓ କେ.ଏଲ୍‌. ରାହୁଲଙ୍କୁ ନିର୍ଦୋଷ ପ୍ରମାଣିତ କରିବା ପାଇଁ ମସୁଧା ଚାଲିଛି। ଏହାକୁ ବିନୋଦ ରାୟ ଖଣ୍ଡନ କରିବା ସହ ସ୍ପଷ୍ଟ କରିଛନ୍ତି ଯେ ଏହି ଦୁଇ ଆନ୍ତର୍ଜାତିକ କ୍ରିକେଟରଙ୍କ ଖେଳ ଜୀବନର ଅନ୍ତଃ ଘଟାଇବା କଦାପି ମାମଲାର ସଠିକ୍ ସମାଧାନ ନୁହେଁ। ଏକ ଆନ୍ତର୍ଜାତିକ ଗସ୍ତ ମଧ୍ୟରୁ ଉଭୟଙ୍କୁ ସ୍ବଦେଶ ଡକାଇ ଆଣିବା ଯୋଗୁଁ ଦୁହେଁ ବହୁତ ଲଜ୍ଜା ଅନୁଭବ କରିଛନ୍ତି। ଏଣେ ଜାନୁୟାରୀ ୧୭ରେ ବିସିସିଆଇ ସିଇଓ ରାହୁଲ ଜୋହରି ଏହି ଦୁଇ କ୍ରିକେଟରଙ୍କ ବିରୋଧରେ କରୁଥିବା ତଦନ୍ତର ଶୁଣାଣି କରିବେ। ଏହି ଶୁଣାଣିରେ ବିସିସିଆଇ ନିଯୁକ୍ତ ଅମ୍ବୁଡ୍‌ସମ୍ୟାନ୍ ଉପସ୍ଥିତ ରହିବା ଜରୁରୀ ବୋଲି ୧୦ଟି ରାଜ୍ୟ କ୍ରିକେଟ ଆସୋସିଏସନ୍ ମନେ କରିଛନ୍ତି। ତେଣୁ ଏସ୍‌ଜିଏମ୍ ଡାକିବା ଲାଗି ଏହି ୧୦ଟି ରାଜ୍ୟ କ୍ରିକେଟ ଆସୋସିଏସନ୍ ପକ୍ଷରୁ ଲିଖିତ ଦାବି ବିସିସିଆଇର ଅସ୍ଥାୟୀ ସଭାପତି ସି.କେ. ଖାନ୍ନାଙ୍କର ହସ୍ତଗତ ହୋଇଛି। ତେଣୁ ୨୧ ଦିନର ନୋଟିସ୍ ଦେଇ ବିସିସିଆଇର ଏସ୍‌ଜିଏମ୍ ଡାକିବା ଲାଗି ଅସ୍ଥାୟୀ ସମ୍ପାଦକ ଅମିତାଭ ଚୌଧୁରୀଙ୍କୁ ସି.କେ. ଖାନ୍ନା ନିର୍ଦେଶ ଦେଇପାରନ୍ତି। ତେବେ ଏହି ବୈଠକ ପୂର୍ବରୁ ଯଦି ରାହୁଲ ଜୋହରି ତାଙ୍କ ତଦନ୍ତ ସମାପ୍ତ କରିଦିଅନ୍ତି; ତେବେ ବିସିସିଆଇ ସଦସ୍ୟଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା କ’ଣ ହେବ; ତାହା ଦେଖିବାକୁ ବାକିରହିଲା।

Leave A Reply