କାଲିଠୁ ପଞ୍ଚୁକ – ଆକର୍ଷଣୀୟ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ

ପୁରୀ: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ପଞ୍ଚୁକ ବ୍ରତ। ପବିତ୍ର କାର୍ତ୍ତିକ ମାସର ବଡ ଏକାଦଶୀ ତିଥିରେ ଏହି ବ୍ରତ ପାଳନ ଆରମ୍ଭ ହେଉଥିବା ବେଳେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଦେବୋତ୍ଥାପନ ଯାତ୍ରାର ମଧ୍ୟ ଆୟୋଜନ କରାଯାଇଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ଦେବୋତ୍ଥାପନ ଯାତ୍ରା ଅନ୍ୟତମ। ଆଷାଢ ଶୁକ୍ଲ ଏକାଦଶୀ ତିଥିରେ ଶୟନ କରିଥିବା ଶ୍ରୀହରି କାର୍ତ୍ତିକ ଶୁକ୍ଲ ଏକାଦଶୀ ତିଥିରେ ନିଦ୍ରା ତ୍ୟାଗ କରିଥାନ୍ତି। ଏହି ଦିନ ମଧ୍ୟ ଚତୁଃମାସିଆ ବ୍ରତ ସମାପନ ହେବ।

ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚ ଦିନକୁ ବକ ପଞ୍ଚକ ବା ଭିଷ୍ମ ପଞ୍ଚକ ବ୍ରତ ଭାବେ ପାଳନ କରାଯାଏ। ଶ୍ରୀକ୍ଷେତ୍ରରେ ରହି ଏହି ବ୍ରତ ପାଳନ କରିବା ଲାଗି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ପୁରୀରେ ପହଞ୍ଚିବାରେ ଲାଗିଛନ୍ତି। ବ୍ରତଧାରୀମାନେ ପ୍ରତ୍ୟହ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣୀ ସମେତ ମହୋଦଧିରେ ବୁଡ ପକାଇବାକୁ ଥିବାରୁ ଏହିସବୁ ସ୍ଥାନ ମାନଙ୍କରେ ପୌରସଂସ୍ଥା ପକ୍ଷରୁ ଅତିଉଜ୍ଜ୍ୱଳ ଆଲୋକମାନ ଖଞ୍ଜାଯାଇଛି। ଯାନବାହାନ ନିୟନ୍ତ୍ରଣ ଲାଗି ସହରରେ ସ୍ୱତନ୍ତ୍ର ଟ୍ରାଫିକ୍‍ ବନ୍ଦୋବସ୍ତ କରାଯାଇଛି। ପଞ୍ଚୁକ ଅବସରରେ ଶ୍ରୀମନ୍ଦିରରେ ୫ ଦିନ ଲାଗି ଶ୍ରୀଜୀଉମାନଙ୍କୁ ବିଭିନ୍ନ ଆକର୍ଷଣୀୟ ବେଶରେ ସଜ୍ଜିତ କରାଯିବ। ପଞ୍ଚୁକ ସମୟରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବଡଦେଉଳ ପରିସରରେ ସ୍ୱତନ୍ତ୍ର ପୋଲିସ ବନ୍ଦୋବସ୍ତ କରାଯାଇଛି।

ଅନ୍ୟପକ୍ଷରେ ଦେବୋତ୍ଥାପନ ଏକାଦଶୀ ଅବସରରେ ଆସନ୍ତାକାଲି ଠାରୁ ଶୁଦ୍ଧକାଳ ଆରମ୍ଭ ହେବ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଆଷାଢ ଶୁକ୍ଲ ଏକାଦଶୀ ଠାରୁ ହରିଙ୍କ ଶୟନ ଲାଗି ଏବେ କାଳ ଅଶୁଦ୍ଧି ଚାଲିଛି। ଆସନ୍ତାକାଲି ଠାରୁ ଲୋକେ ବିବାହ, ବ୍ରତ, ଗୃହ ପ୍ରତିଷ୍ଠା, ନାମକରଣ, ଦିକ୍ଷା ଗ୍ରହଣ, ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଆଦି ସମସ୍ତ ପ୍ରକାର ଶୁଭ କାର୍ଯ୍ୟ କରିପାରିବେ।

Comments are closed.