୫୬ ପାକ୍‌ ବନ୍ଦୀଙ୍କୁ ମୁକ୍ତ କରି ସ୍ୱଦେଶ ପଠାଇବ ଭାରତ!

0

ନୂଆଦିଲ୍ଲୀ : ଭାରତର ବିଭିନ୍ନ ଜେଲରେ ବନ୍ଦୀ ଥିବା ୫୬ ପାକିସ୍ତାନୀ କଏଦୀଙ୍କୁ ମୁକ୍ତ କରି ସ୍ୱଦେଶ ପଠାଇବାକୁ କେନ୍ଦ୍ର ସରକର ନିଷ୍ପତ୍ତି ନେଇଛନ୍ତି । ଏନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଶୁକ୍ରବାର ଏକ ସତ୍ୟପାଠ ଦାଖଲ କରିଛନ୍ତି । ଏହି ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ଦେଶର ବିଭିନ୍ନ ଜେଲରେ ବନ୍ଦୀଥିବା ୫୬ ପାକିସ୍ତାନୀଙ୍କ ବିରୋଧରେ କୌଣସି ମାମଲା ମିଳିନାହିଁ । ତେଣୁ ସରକାର ଏହି ବନ୍ଦୀଙ୍କୁ ମୁକ୍ତ କରି ସ୍ୱଦେଶ ପଠାଇବାକୁ ଚାହୁଁଛି ।

ଏହା ପୂର୍ବରୁ ମାନବିକତା ଆଧାରରେ ପାକିସ୍ତାନ ଏବଂ ଭାରତ ମହିଳା ଏବଂ ବୃଦ୍ଧ ବନ୍ଦୀଙ୍କୁ ମୁକ୍ତ କରିବା ପ୍ରସ୍ତାବରେ ରାଜି ହୋଇଥିଲେ । ରିପୋର୍ଟ ଅନୁସାରେ ଏହି ପ୍ରସ୍ତାବକୁ ନେଇ ଦୁଇ ଦେଶର ଅଧିକାରୀଙ୍କ ମଧ୍ୟରେ ବୈଠକ ହୋଇଥିଲା । ବୈଠକରେ ୩ ଶ୍ରେଣୀର କଏଦୀ ମହିଳା, ବୃଦ୍ଧବୃଦ୍ଧା ଏବଂ ଦିବ୍ୟାଙ୍ଗକୁ ମୁକ୍ତ କରିବାକୁ ଆଲୋଚନା ହୋଇଥିଲା । ପ୍ରକାଶ ଯେ ୭୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ବୃଦ୍ଧ ବୋଲି ଧରାଯାଏ ।

ପାକିସ୍ତାନ ଗୃହ ମନ୍ତ୍ରଣାଳୟ ଦ୍ୱାରା ୨୦୧୭ରେ ଜାରି ଏକ ରିପୋର୍ଟ ଅନୁସାରେ ସେଠାକାର ଜେଲରେ ପାଖାପାଖି ୯୯୬ ବିଦେଶୀ ବନ୍ଦୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୫୨୭ ଜଣ ଭାରତୀୟ ବନ୍ଦୀ। ପାକିସ୍ତାନ ଜେଲରେ ବନ୍ଦ ଭାରତୀୟ କଏଦୀଙ୍କ ନାମରେ ଆତଙ୍କୀ କାର୍ଯ୍ୟକଳାପରେ ସଂପୃକ୍ତି, ହତ୍ୟା, ଡ୍ରଗ୍ସ ଚୋରା ଚାଲଣ, ବେଆଇନ ଭାବେ ପାକିସ୍ତାନ ସୀମାରେ ପ୍ରବେଶ ଭଳି ଅଭିଯୋଗ ରହିଛି । ପାକିସ୍ତାନ ଜେଲରେ ଥିବା ଭାରତୀୟ କଏଦୀଙ୍କ ମଧ୍ୟରୁ ମତ୍ସ୍ୟଜୀବୀଙ୍କ ସଂଖ୍ୟା ବହୁ ଅଧିକ ରହିଛି ।

ଉଲ୍ଲେଖ ଯେ ଆରବ ସାଗରରେ ଭାରତ ଓ ପାକିସ୍ତାନ ଜଳ ସୀମା ସଠିକ୍‌ ଭାବେ ନିର୍ଦ୍ଧାରିତ ହୋଇନାହିଁ । ଏଥିଯୋଗୁଁ ଅନେକ ସମୟରେ ଦୁଇ ଦେଶର ମତ୍ସ୍ୟଜୀବୀ ପରସ୍ପରର ସାମୁଦ୍ରିକ ଅଞ୍ଚଳରେ ପ୍ରବେଶ କରି ତଟରକ୍ଷୀ ବାହନୀ ଦ୍ୱାରା ଗିରଫ ହୋଇଥାନ୍ତି ।

Leave A Reply