ସେନା ଶାସନ ଆଡ଼କୁ ପାକିସ୍ତାନ!

ଭାରତ ସତର୍କ ରହିବା ଆବଶ୍ୟକ

ପାକିସ୍ତାନର ବିପର୍ଯ୍ୟସ୍ତ ଅର୍ଥନୀତିକୁ ସଜାଡ଼ିବା ପାଇଁ ଶେଷରେ ସେଠାକାର ସେନାବାହିନୀ ଅଣ୍ଟା ଭିଡ଼ିଛି। ପାକ୍‍ ସେନା ମୁଖ୍ୟ କମର ଜାଭେଦ୍‍ ବାଜ୍‍ୱା ପାକିସ୍ତାନର ବିଭିନ୍ନ ଶିଳ୍ପସଂସ୍ଥାର ମୁଖିଆଙ୍କ ସହିତ ଆଲୋଚନା କରିଛନ୍ତି। ବୈଦେଶିକ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁଯାୟୀ, ଏହି ଆଲୋଚନା ଅନୌପଚାରିକ ବୋଲି କୁହାଯାଉଥିଲେ ମଧ୍ୟ ରାୱଲପିଣ୍ଡି ଓ କରାଚିରେ ବାଜ୍‍ୱା ଏବଂ ଶିଳ୍ପ ସଂସ୍ଥାର ଅଧିକାରୀଙ୍କ ମଧ୍ୟରେ ଅନୁଷ୍ଠିତ ଘନଘନ ବୈଠକ ଦୃଷ୍ଟିରୁ କିଛି ଏକ ବଡ଼ ଧରଣର ପରିବର୍ତ୍ତନର ଆଭାସ ମିଳୁଛି। ଏପରିକି ବାଜ୍‍ୱା ଅର୍ଥନୈତିକ ବ୍ୟାପାର ବିଭାଗର ବରିଷ୍ଠ ସରକାରୀ ଅଧିକାରୀଙ୍କ ସହିତ ମଧ୍ୟ ଆଲୋଚନା କରିଥିବା ସୂଚନା ମିଳିଛି।
ଉଲ୍ଲେଖ ନିଷ୍ପ୍ରୟୋଜନ ଯେ ପାକିସ୍ତାନ ଏବେ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶ ଛୁଆଁ ହୋଇଥିବାବେଳେ ଇମ୍ରାନ୍‍ ଖାନ୍‍ ସରକାର ଖର୍ଚ୍ଚ କାଟ ଓ ବିଳାସପୂର୍ଣ୍ଣ ସାମଗ୍ରୀ ଆମଦାନୀ ବନ୍ଦ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ପାକିସ୍ତାନର ବିତ୍ତୀୟ ନିଅଣ୍ଟ ଜିଡିପିର ୮.୯%କୁ ବୃଦ୍ଧି ପାଇଥିବାବେଳେ ଅଭିବୃଦ୍ଧି ହାର ୨.୪% ହେବ ବୋଲି ଅନୁମାନ କରାଯାଇଛି। ପାକିସ୍ତାନ ବର୍ଷେ ମଧ୍ୟରେ ୭,୫୦,୯୦୦ କୋଟି ଟଙ୍କା(ପାକିସ୍ତାନୀ ମୁଦ୍ରାରେ) ଋଣ ଆଣିଛି। ବିପୁଳ ପରିମାଣର ଆମଦାନୀ ଯୋଗୁଁ ବୈଦେଶିକ ମୁଦ୍ରାଭଣ୍ଡାରରେ ଗଚ୍ଛିତ ଅର୍ଥ ପରିମାଣ କ୍ରମଶଃ ହ୍ରାସ ପାଇ ଚାଲିଛି। ବିଗତ ୧୦ ବର୍ଷ ଭିତରେ ପ୍ରଥମ ଥର ପାଇଁ ଚଳିତ ଆର୍ଥିକ ବର୍ଷରେ ପାକିସ୍ତାନର ପ୍ରତିରକ୍ଷା ବଜେଟ୍‍ ଗତ ବର୍ଷ ତୁଳନାରେ ଅପରିବର୍ତ୍ତିତ ରହିଛି। ଜାମ୍ମୁ-କାଶ୍ମୀର ପ୍ରସଙ୍ଗ ଏବଂ ଆଫ୍‍ଗାନିସ୍ତାନ ପଟୁ ଥିବା ଆତଙ୍କବାଦୀ ଆକ୍ରମଣ ଆଶଙ୍କା ପୃଷ୍ଠଭୂମିରେ ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧି ନ ପାଇବା ପାକିସ୍ତାନ ସେନବାହିନୀ ପାଇଁ ଚିନ୍ତାଜନକ। ଏହି ପରିପ୍ରେକ୍ଷୀରେ ଦେଶର ଅର୍ଥନୈତିକ ସ୍ଥିତି ସୁଧାରିବା ସବୁଠାରୁ ବଡ଼ ଆହ୍ୱାନ ଭାବେ ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାନ୍‍ଙ୍କ ଆଗରେ ଦେଖାଦେଇଛି। ତେବେ ଏଥିରେ ସେନା ହସ୍ତକ୍ଷେପ ଘଟଣା ଏକ ଭିନ୍ନ ଦିଗକୁ ସଙ୍କେତ କରୁଛି।
ଏ କଥା ଆଉ ଅଛପା ନାହିଁ ଯେ ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାନ୍‍ କେବଳ ନାମକୁ ମାତ୍ର ପ୍ରଧାନମନ୍ତ୍ରୀ ପଦରେ ଅଛନ୍ତି। ସେନାର ଇସାରାରେ ହିଁ ପାକିସ୍ତାନ ସରକାର ଚାଲୁଛି। ୧୯୪୭ ପରଠାରୁ ୩୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଶାସନ କ୍ଷମତାକୁ ହାତରେ ରଖିଥିବା ପାକିସ୍ତାନ ସେନା ଗଣତାନ୍ତ୍ରିକ ସରକାରରେ ମଧ୍ୟ ପ୍ରତିରକ୍ଷା ଓ ବୈଦେଶିକ ନୀତି ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସିଛି। ତେବେ ଅର୍ଥନୀତିରେ ସେନାର ହସ୍ତକ୍ଷେପ ଘଟଣା ପ୍ରଥମ। ବାଜ୍‍ୱା କହିଛନ୍ତି ଯେ ଦେଶର ନିରାପତ୍ତା ଏହାର ଅର୍ଥନୀତି ସହିତ ଜଡ଼ିତ ଅଛି। ତେଣୁ ଅର୍ଥନୀତିକୁ ଦୃଢ଼ କରିବାକୁ ଗୁରୁତ୍ୱ ଦିଆଯାଉଛି। ଇମ୍ରାନ୍‍ ଖାନ୍‍ ମଧ୍ୟ ଏହାକୁ ସକାରାତ୍ମକ ଭାବେ ଗ୍ରହଣ କରି କହିଛନ୍ତି ଯେ ପାକିସ୍ତାନରେ ସେନା ଏକ ମର୍ଯ୍ୟାଦାସମ୍ପନ୍ନ ଅନୁଷ୍ଠାନ। ସରକାର ପଛରେ ସେନା ଛିଡ଼ା ହେବା ଗୌରବର ବିଷୟ।
ଆନ୍ତର୍ଜାତିକ ଅର୍ଥନୈତିକ ଓ କୂଟନୈତିକ ବିଶାରଦମାନେ କିନ୍ତୁ ଏହି ଘଟଣାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ସେମାନଙ୍କ ମତରେ ପାକିସ୍ତାନ ସେନା ଓ ଆଇଏସ୍‍ଆଇ ଦେଶର ଅର୍ଥନୀତିକୁ ନିଜ ହାତକୁ ନେବାର ପ୍ରୟାସ ଆରମ୍ଭ କରିଛନ୍ତି। କାରଣ ପାକିସ୍ତାନର ଘରୋଇ ଶିଳ୍ପ କ୍ଷେତ୍ରରେ ସେନାର ଏକ ବଡ଼ ଅଂଶୀଦାରୀ ରହିଛି। ସରକାରୀ-ଘରୋଇ ସହଭାଗିତାରେ ଗଠିତ ‘ଫୌଜି ଫାଉଣ୍ଡେସନ୍‍’ ହେଉଛି ଦେଶର ଦ୍ୱିତୀୟ ସର୍ବବୃହତ ବ୍ୟାବସାୟିକ ସଂସ୍ଥା। ଜାତୀୟ ବିକାଶ ପରିଷଦରେ ବାଜ୍‍ୱାଙ୍କ ସମେତ ଆଇଏସ୍‍ଆଇର ଜଣେ ସଦସ୍ୟ ନିଯୁକ୍ତି ପାଇଛନ୍ତି। ତେଣୁ ଦେଶର ଅର୍ଥନୀତି ନିର୍ଦ୍ଧାରଣରେ ପାକିସ୍ତାନ ସେନା ଓ ଆଇଏସ୍‍ଆଇ ଭବିଷ୍ୟତରେ ନିର୍ଣ୍ଣାୟକ ଭୂୂମିକା ଗ୍ରହଣ କରିବେ। ଅନ୍ୟ ମତାନୁସାରେ ଇମ୍ରାନ୍‍ ଖାନ୍‍ଙ୍କ ଲୋକପ୍ରିୟତା ଇତିମଧ୍ୟରେ ହ୍ରାସ ପାଇଛି। ପ୍ରଧାନମନ୍ତ୍ରୀ ଭାବରେ ଗତ ବର୍ଷ ଇମ୍ରାନ୍‍ଙ୍କ ଲୋକପ୍ରିୟତା ରେଟିଂ ୬୪ ଥିବା ବେଳେ ଚଳିତ ବର୍ଷ ସେଥିରେ ୧୮ ପଏଣ୍ଟ ହ୍ରାସ ପାଇ ୪୬କୁ ଖସି ଆସିଛି। ସେହି ଅନୁଯାୟୀ ଦେଶର ଅର୍ଥନୀତି ଉପରେ ମଧ୍ୟ ଘରୋଇ ନିବେଶକଙ୍କ ଆସ୍ଥା ହ୍ରାସ ପାଇ ଚାଲିଛି। ତେଣୁ ନିବେଶକ ଓ ଘରୋଇ ଶିଳ୍ପ ସଂସ୍ଥାଙ୍କ ବିଶ୍ୱାସ ଓ ଭରସା ଫେରାଇ ଆଣିବା ପାଇଁ ବାଜ୍‍ୱା ଉଦ୍ୟମ ଆରମ୍ଭ କରିଛନ୍ତି।
ସଂସଦରେ ଇମ୍ରାନ୍‍ ଖାନ୍‍ଙ୍କ ପ୍ରତି ଅନାସ୍ଥା ଭୋଟର ଆଶଙ୍କା ଯଦିଓ ନାହିଁ, ସେନା ପୁଣି ଥରେ ଦେଶର ଶାସନ କ୍ଷମତା ହାତକୁ ନେବାର ସମ୍ଭାବନାକୁ ଅସ୍ୱୀକାର କରିହେବ ନାହିଁ। ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ବିଶ୍ୱସ୍ତରରେ କୂଟନୈତିକ ପରାଜୟ ଓ ଅର୍ଥନୈତିକ ଦୁଃସ୍ଥିତିକୁ ଆଳ କରି ବାଜ୍‍ୱା ପାକିସ୍ତାନରେ ସେନା ଶାସନର ଇତିହାସକୁ ଦୋହରାଇବା ଅସମ୍ଭବ ନୁହେଁ। ବାଜ୍‍ୱାଙ୍କ କାର୍ଯ୍ୟକାଳ ଆଉ ତିନି ବର୍ଷ ବୃଦ୍ଧି ପାଇବା ସହିତ ତାଙ୍କ କ୍ଷମତା ମଧ୍ୟ ବଢ଼ିଥିବା କୁହାଯାଉଛି। ବିଗତ ଦିନରେ ହ୍ୱାଇଟ୍‍ ହାଉସରେ ଡୋନାଲ୍ଡ ଟ୍ରମ୍ପ-ଇମ୍ରାନ୍‍ ଖାନ୍‍ ଆଲୋଚନାରୁ ଆରମ୍ଭ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଦେଶିକ ଓ ଘରୋଇ ପ୍ରସଙ୍ଗରେ ବାଜ୍‍ୱାଙ୍କ ଉପସ୍ଥିତି ଏ ଦିଗକୁ ଇଙ୍ଗିତ କରୁଛି। ଇତିମଧ୍ୟରେ ଇମ୍ରାନ୍‍ ଖାନ୍‍ ମଧ୍ୟ ପାକିସ୍ତାନର କୂଟନୀତି ଓ ଆତଙ୍କବାଦ ନିରୋଧ ନୀତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ପାକିସ୍ତାନବାସୀଙ୍କ ପାଇଁ ଏବେ ଜାମ୍ମୁ-କାଶ୍ମୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହି ପ୍ରସଙ୍ଗରେ ପାକିସ୍ତାନରେ ସୃଷ୍ଟି ହୋଇଥିବା ଇମ୍ରାନ୍‍ ବିରୋଧୀ ଅସନ୍ତୋଷ ଓ ଆକ୍ରୋଶକୁ ଆଧାର କରି ବାଜ୍‍ୱା ନିଜ ହାତକୁ ଶାସନ କ୍ଷମତା ଆଣିବା କଷ୍ଟସାଧ୍ୟ ହେବ ନାହିଁ। ଯଦି ପାକିସ୍ତାନରେ ପୁଣି ଥରେ ରାଷ୍ଟ୍ରପତି ଶାସନ ଜାରି ହୁଏ ତେବେ ସବୁଠାରୁ ଅଧିକ ବିପଦ ଭାରତ ପ୍ରତି ରହିଛି। ତେଣୁ ଏ ଦିଗରେ ଭାରତ ବେଳହୁଁ ସତର୍କ ରହିବା ଆବଶ୍ୟକ।