ପାକିସ୍ତାନ ଆତଙ୍କବାଦୀ ରାଷ୍ଟ୍ର ଘୋଷିତ

0

ପ୍ୟାରିସ୍‌ : ପାକିସ୍ତାନ ଆତଙ୍କବାଦୀ ପ୍ରାୟୋଜକ ରାଷ୍ଟ୍ର ଘୋଷିତ ହୋଇଛି । ଆତଙ୍କବାଦୀଙ୍କୁ ପ୍ରଶୟ ଦେବା ପାକିସ୍ତାନକୁ ମହଙ୍ଗା ପଡିଛି । ସୂଚନା ଅନୁସାରେ ଫ୍ରାନ୍ସର ପ୍ୟାରିସ୍‌ଠାରେ ଚାଲିଥିବା ମିଳିତ ଜାତସଂଘର ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ) ବୈଠକରେ ପାକିସ୍ତାନକୁ ‘ଗ୍ରେ ଲିଷ୍ଟ’ (ନିଷେଧ ତାଲିକାରେ) ସାମିଲ କରିବାକୁ ନିଷ୍ପତ୍ତି ହୋଇଛି । ଅର୍ଥାତ ପାକିସ୍ତାନକୁ ଆତଙ୍କବାଦୀ ରାଷ୍ଟ୍ର ବୋଲି ଘୋଷଣା କରାଯାଇଛି । ଆତଙ୍କବାଦ ରୋକିବାରେ ବିଫଳ ଓ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ରାଷ୍ଟ୍ରଙ୍କୁ ‘ଗ୍ରେ ଲିଷ୍ଟ’ରେ ସାମିଲ କରାଯାଇଥାଏ । ଏହି ତାଲିକାରେ ଅନ୍ତର୍ଭୁକ୍ତ ହେବା ପରେ ପାକିସ୍ତାନ ଉପରେ ଆର୍ଥିକ ପ୍ରତିବନ୍ଧକ ଲାଗିଯିବ । ଏହାଦ୍ୱାରା ପାକିସ୍ତାନର ଅର୍ଥନୀତି ଅଧିକ ଦୁର୍ବଳ ହୋଇପଡ଼ିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

ପାକିସ୍ତାନ ବିରୋଧରେ ଆର୍ଥିକ ପ୍ରତିବନ୍ଧକ ଲଗାଇବାକୁ ଆମେରିକାର ପ୍ରସ୍ତାବ ବିରୋଧରେ ଚୀନ, ସାଉଦି ଆରବ ଓ ତୁର୍କି ଭୋଟ ଦେବେ ବୋଲି ପାକିସ୍ତାନ ଦାବି କରି ଆସୁଥିଲା । ମାତ୍ର ଆତଙ୍କବାଦ ପ୍ରସଙ୍ଗରେ ଚୀନ ଓ ସାଉଦି ଆରବ ପାକିସ୍ତାନର ହାତ ଛାଡ଼ି ଦେଇଛନ୍ତି । ଚୀନ ଓ ସାଉଦି ଆରବ ଏହି ପ୍ରସ୍ତାବ ବିରୋଧରେ ଯାଇନାହାନ୍ତି । ଫଳରେ ଆମେରିକା, ବ୍ରିଟେନ, ଜର୍ମାନୀ ଏବଂ ଫ୍ରାନ୍ସ ପକ୍ଷରୁ ଅଣାଯାଇଥିବା ଏହି ପ୍ରସ୍ତାବ ଏଫଏଟିଏଫରେ ନିଦ୍ୱର୍ନ୍ଦ୍ୱରେ ପାରିତ ହୋଇଛି । ମିଳିତ ଜାତିସଂଘ ଏଫଏଟିଏଫର ପ୍ୟାରିସ ବୈଠକରେ ଶେଷ ପର୍ଯ୍ୟନ୍ତ ତୁର୍କି ପାକିସ୍ତାନକୁ ସମର୍ଥନ ଦେଇଥିଲା । ମାତ୍ର ଏଫଏଟିଏଫର ୩୭ ସଦସ୍ୟ ମଧ୍ୟରୁ ୩୬ ଜଣ ପାକିସ୍ତାନକୁ ଆତଙ୍କବାଦ ପାଇଁ ଦଣ୍ଡିତ କରିବାକୁ ଚାହିଁଥିଲେ ।

ଚୀନ ଓ ସାଉଦି ଆରବ ହାତ ଛାଡ଼ି ଦେବା ପରେ ପାକିସ୍ତାନ ଦଣ୍ଡିତ ହେବା ସୁନିଶ୍ଚିତ ହୋଇଯାଇଥିଲା । ବୈଠକରେ ମାତ୍ର ଗୋଟିଏ ସଦସ୍ୟର ବିରୋଧ କୌଣସି ଫରକ ପକାଇନଥିଲା । ଶେଷରେ ପାକିସ୍ତାନକୁ ମିଳିତ ଜାତିସଂଘର ଏଫଏଟିଏଫ ଦ୍ୱାରା ନିଷେଧ ତାଲିକା ‘ଗ୍ରେ ଲିଷ୍ଟ’ରେ ସାମିଲ କରାଯାଇଛି । ଏହାଦ୍ୱାରା ଅନ୍ୟରାଷ୍ଟ୍ରର ନିବେଶକ ପାକିସ୍ତାନରେ ନିବେଶ କରିବା ପୂର୍ବରୁ ଅନେଥ ଥର ଯାଞ୍ଚ କରିବେ । ଆନ୍ତର୍ଜାତିକ ଓ ବହୁ ଦେଶୀୟ କମ୍ପାନୀ ସେଠାରେ ଶାଖା ଖୋଲିବେ ନାହିଁ । ପାକିସ୍ତାନକୁ ଆନ୍ତର୍ଜାତିକ ସମୂହରୁ ମିଳୁଥିବା ସହୟତା ବି ବନ୍ଦ ହୋଇଯିବ ।

ସୂଚନା ଅନୁସାରେ ପାକିସ୍ତାନକୁ ପ୍ରଥମେ ୩ ମାସ ପାଇଁ ‘ଗ୍ରେ ଲିଷ୍ଟ’ରେ ସମାଲି କରାଯାଇଛି । ୩ ମାସ ପରେ ଜୁନରେ ଆୟୋଜିତ ହେବାକୁ ଥିବା ଏଫଏଟିଏଫ ବୈଠକରେ ଆତଙ୍କବାଦ ବିରୋଧରେ ପାକିସ୍ତାନ କିଭଳି କାର୍ଯ୍ୟାନୁଷ୍ଠାନ ନେଇଛି, ପାକିସ୍ତାନ ଭୂମିରୁ ପରିଚାଳିତ ହେଉଥିବା ନିଷେଧ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା, ଜୈସ-ଇ-ମହମ୍ମଦ ଭଳି ସଂଗଠନ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ତାହାର ସମୀକ୍ଷା କରାଯିବ । ଏହି ବୈଠକରେ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାକିସ୍ତାନ ଏକ ଆକ୍ସନ ପ୍ଲାନ ଉପସ୍ଥାପନ କରିବ । ଏହାପରେ ପାକିସ୍ତାନକୁ ଏହି ତାଲିକାରେ ରଖାଯିବ କି ନାହିଁ, ତାର ନିଷ୍ପତ୍ତି ନିଆଯିବ । ସମ୍ପ୍ରତି ପାକିସ୍ତାନକୁ ଆତଙ୍କବାଦ ରାଷ୍ଟ୍ର ଘୋଷଣା କରାଯାଇଛି ଓ ‘ଗ୍ରେ ଲିଷ୍ଟ’ରେ ସାମିଲ କରାଯାଇଛି ।

ଗୁରୁବାର ପାକିସ୍ତାନ ବିଦେଶ ମନ୍ତ୍ରୀ ଖ୍ୱାଜା ଆସିଫ ଟ୍ୱିଟ୍‌ କରିଥିଲେ ଯେ ଆମ ପ୍ରଚେଷ୍ଟା ରଙ୍ଗ ଆଣିଛି । ପାକିସ୍ତାନ ବିରୋଧରେ ଆମେରିକା ଆଣିଥିବା ପ୍ରସ୍ତାବ ବିରୋଧରେ ସର୍ବସମ୍ମତି ହୋଇନାହିଁ। ହେଲେ ଆଜିର ବୈଠକରେ ପାକିସ୍ତାନର ସବୁ ପ୍ରକାର ଚେଷ୍ଟା ବିଫଳ ହୋଇଛି । ଆତଙ୍କବାଦ ପ୍ରସଙ୍ଗରେ ଚୀନ ଓ ସାଉଦି ଆରବ ବି ପାକିସ୍ତାନର ସାଥ ଦେଇନାହାନ୍ତି । ଏଫଏଟିଏଫର ‘ଗ୍ରେ ଲିଷ୍ଟ’ରେ ସାମିଲ ହେବା ପରେ ପାକିସ୍ତାନର ଆର୍ଥିକ ବ୍ୟବସ୍ଥା ଅଧିକ ଦୁର୍ବଳ ହୋଇପଡ଼ିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

Leave A Reply