୩ୟ ଟେଷ୍ଟ: ପାକିସ୍ତାନ ୧୦୭ ରନରେ ପରାସ୍ତ

0

ଜୋହାନ୍ସବର୍ଗ : ଏଠାରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଘରୋଇ ଦକ୍ଷିଣ ଆଫ୍ରିକା ୧୦୭ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ତିନିଟିକିଆ ସିରିଜକୁ ୩-୦ରେ ପୋଛିନେଇଛି। ୩୮୧ ରନ୍‌ର ବିଜୟଲକ୍ଷ୍ୟକୁ ପିଛା କରୁଥିବା ପାକିସ୍ତାନ ଦ୍ବିତୀୟ ଇନିଂସରେ ୨୭୩ ରନରେ ଅଲଆଉଟ ହୋଇଛି। ଦ୍ବିତୀୟ ଇନିଂସରେ ଶତକ ହାସଲ କରିଥିବା ଦକ୍ଷିଣ ଆଫ୍ରିକାର ୱିକେଟରକ୍ଷକ କ୍ବିଣ୍ଟନ ଡି’ କକ୍‌ ’ପ୍ଲେୟାର ଅଫ୍‌ ଦି ମ୍ୟାଚ’ ଓ ଫାଷ୍ଟ ବୋଲର ଡୁଆନ୍‌ ଅଲିଭିୟର ’ପ୍ଲେୟାର ଅଫ୍‌ ଦି ସିରିଜ’ ବିବେଚିତ ହୋଇଛନ୍ତି। ଆସନ୍ତା ୧୯ରୁ ଦୁଇ ଦଳ ମଧ୍ୟରେ ପାଞ୍ଚଟିକିଆ ଦିନିକିଆ ସିରିଜ ଆରମ୍ଭ ହେବ।
୩୮୧ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପାକିସ୍ତାନ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟରେ ୧୫୩ ରନ କରିଥିଲା। ଚତୁର୍ଥ ଦିନରେ ଆସାଦ ସଫିକ୍‌ ଓ ବାବର ଆଜମ ୬ଷ୍ଠ ୱିକେଟ ପାଇଁ ୫୮ ରନ ଯୋଗକରିବାପରେ ବାବର ବ୍ୟକ୍ତିଗତ ୨୧ ରନ କରି ଅଲିଭିୟରଙ୍କ ବଲରେ ଦିନର ପ୍ରଥମ ଖେଳାଳିଭାବେ ଆଉଟ ହୋଇଥିଲେ। ପରବର୍ତ୍ତୀ ବଲରେ ପାକ୍‌ ଅଧିନାୟକ ସର୍ଫରାଜ ଅହମ୍ମଦ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ୧୩ ରନ ବ୍ୟବଧାନରେ ଆସାଦ ସଫିକ୍‌ ସର୍ବାଧିକ ୬୫ ରନ କରି ୬ଷ୍ଠ ଖେଳାଳିଭାବେ ଆଉଟ ହୋଇଥିଲେ।
ମଧ୍ୟକ୍ରମରେ ସଦାବ୍‌ ଖାନ୍‌ ଅପରାଜିତ ୪୭ ଓ ହାସନ ଅଲ୍ଲୀ ୨୨ ରନ କରିଥିବାବେଳେ ମଧ୍ୟାହ୍ନ ଭୋଜନ ପୂର୍ବରୁ ପାକିସ୍ତାନ ଦ୍ବିତୀୟ ଇନିଂସରେ ୨୭୩ ରନରେ ଅଲଆଉଟ ହୋଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଡୁଆନ୍‌ ଅଲିଭିୟର ଓ କାଗିସୋ ରାବାଡା ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବାବେଳେ ଡେଲ୍‌ ଷ୍ଟେନ୍‌ଙ୍କୁ ୨ଟି ୱିକେଟ ମିଳିଥିଲା।

Leave A Reply