ସୋହେଲା ଯୁବକଙ୍କ ସହ ପାକିସ୍ତାନର ସମ୍ପର୍କ

0

ବରଗଡ଼: ବରଗଡ଼ ଜିଲ୍ଳା ସୋହେଲା ଅଞ୍ଚଳରୁ ଗିରଫ ଜଣେ ଯୁବକଙ୍କ ସହ ପାକିସ୍ତାନ ସଂଯୋଗ ସମ୍ପର୍କ ଏବେ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଗିରଫ ଯୁବକଙ୍କ ନାମ ମହମ୍ମଦ ଅନୀଶ ଏବଂ ଛତିଶଗଡ଼ ପୁଲିସ ସେ ବ୍ୟବହାର କରୁଥିବା ଏକ ଟାଟା ସଫାରି ଗାଡ଼ି (ସିଜି ୦୪ ଏଫ୍‍କେ ୦୦୯୨) ସହ ୮୦୦ ବୋତଲ କଫ୍‍ ସିରପ୍‍ ଜବତ କରିଛି।
ତେବେ ଗୁରୁ୍‍ତ୍ୱପୂର୍ଣ୍ଣ ଘଟଣାଟି ହେଉଛି ପାକିସ୍ତାନର ମୂଳ ବାସିନ୍ଦା ଓ ସେ ଟୁରିଷ୍ଟ ଭିସାରେ ଆସି ରାୟପୁରରେ ଡ଼୍ରଗ୍‍ ଲାଇସେନ୍ସ ନେଇ ନିଶା କାରବାର କରୁଥିବା ପ୍ରକାଶ କମ୍ବଳ ନାମକ ଜଣେ ବ୍ୟକ୍ତିଙ୍କ ସହ ଏହି ଅନୀଶଙ୍କର ଘନିଷ୍ଠ ସମ୍ପର୍କ ରହିଥିବା ପୁଲିସ ଅନୁସନ୍ଧାନରୁ ଜଣାପଡ଼ିଛି।
ଗିରଫ ଯୁବକଙ୍କ ସହ ଆତଙ୍କବାଦୀ ସମ୍ପର୍କ ଥିବା କୁହାଯାଉଥିଲେ ହେଁ ବର୍ତ୍ତମାନ ସୁଦ୍ଧା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ମହମ୍ମଦ ଅନୀଶ ନିୟମିତ ଭାବରେ ରାୟପୁରରୁ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ କଫ୍‍ସିରପ୍‍ ଓ ନିଶା ସାମଗ୍ରୀ ଆଣି ଓଡ଼ିଶାରେ ବିକ୍ରି କରୁଥିଲେ। ତାଙ୍କୁ ଗିରଫ କରିବା ପରେ ଏହି ସମ୍ପର୍କର ଗୁମର ଖୋଲିଛି ଏବଂ ପୁଲିସ ପାକିସ୍ତାନରୁ ଆସିଥିବା ପ୍ରକାଶ କମ୍ବଳଙ୍କୁ ମଧ୍ୟ ଗିରଫ କରିଛି। ରାୟପୁରରେ ବସବାସ କରୁଥିବା ପ୍ରକାଶ କମ୍ବଳ ଏବେ ବି ଟୁରିଷ୍ଟ ଭିସାରେ ଅଛନ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ସେଠାରେ ସେ ଡ଼୍ରଗ୍‍ ଲାଇସେନ୍ସ ମଧ୍ୟ ହାତେଇଥିବା ସୂଚନା ମିଳିଛି। ଇତି ମଧ୍ୟରେ ତାଙ୍କର ଡ଼୍ରଗ୍‍ ଲାଇସେନ୍ସ ଅବଧି ଶେଷ ହୋଇଛି। ସମ୍ପୃକ୍ତ ଯୁବକଙ୍କ ପରିବାର ଏବେ ବି ପାକିସ୍ତାନରେ ବସବାସ କରୁଛନ୍ତି ଏବଂ ସେ ନିୟମିତ ପାକିସ୍ତାନ ଯାତାୟତ କରୁଥିବା ମଧ୍ୟ ପୁଲିସ ସୂଚନା ଦେଇଛି। ନିଶା ବ୍ୟବସାୟ କରୁଥିବା ପାକିସ୍ତାନୀଙ୍କ ସହ ସୋହେଲାର ଯୁବକଙ୍କ ସମ୍ପୃକ୍ତି ଜଣା ପଡ଼ିବା ପରେ ବରଗଡ଼ ଜିଲା ପୁଲିସ ପ୍ରଶାସନ ତତ୍ପର ହୋଇ ଉଠିଛି। ସମ୍ପୃକ୍ତ ଯୁବକଙ୍କର ଆତଙ୍କବାଦୀ ସଙ୍ଗଠନ ସହ ସମ୍ପୃକ୍ତି ଅଛି କି ନାହିଁଁ ସେ ସମ୍ପର୍କରେ ପୁଲିସ ଗୋପନରେ ଅନୁସନ୍ଧାନ କରୁଛି। ପ୍ରକାଶ ପୂର୍ବରୁ ଦିଲ୍ଲୀରେ ମଧ୍ୟ ଗିରଫ ହୋଇଥିଲେ ଓ ପରେ ସେଠାରୁ ପଳାଇ ଆସି ଛତିଶଗଡ଼ରେ ନିଶା କାରବାର କରୁଥିବା ଜଣାପଡ଼ିଛି।

Leave A Reply