ଆଜି ପବିତ୍ର ଘୋଷଯାତ୍ରା

ପୁରୀ : ଶ୍ରୀକ୍ଷେତ୍ରକୁ ଛୁଟିଛି ଭକ୍ତଙ୍କ ସୁଅ। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦାରୁବ୍ରହ୍ମଙ୍କୁ ଅପେକ୍ଷା କରିଛନ୍ତି ସୁସଜ୍ଜିତ ତିନିରଥ। ନବଦିନ ବ୍ୟାପି ଘୋଷଯାତ୍ରା କରିବାକୁ ପ୍ରସ୍ତୁତ ହୋଇଛନ୍ତି ମହାପ୍ରଭୁ। ସମଗ୍ର ପୁରୀ ସହର ପୁଲିସ ଛାଉଣିରେ ପରିଣତ ହୋଇଛି। ଜଳ, ସ୍ଥଳ ଓ ଆକାଶ ପଥରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉତ୍ସବମୁଖର ହୋଇଉଠିଛି ପୁରୁଷୋତ୍ତମ କ୍ଷେତ୍ର। ଗୁରୁବାର ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମହାମିଳନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ପରଂବ୍ରହ୍ମଙ୍କୁ ଅପେକ୍ଷା କରିଛନ୍ତି ଶରଧାବାଲି ଏବଂ ଆଡ଼ପମଣ୍ଡପ। ରେଳଗାଡି ଏବଂ ବସ୍‌ ଯୋଗେ ହଜାର ହଜାର ଶ୍ରଦ୍ଧାଳୁ ରଥଯାତ୍ରା ଦେଖିବାକୁ ଆସୁଛନ୍ତି। ସାଧୁସନ୍ଥ ଏବଂ ଭକ୍ତଙ୍କ ସମାଗମରେ ଉଛୁଳି ଉଠୁଛି ବଡ଼ଦାଣ୍ଡ। ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ ରଥଗୁଡିକୁ ଆକର୍ଷଣୀୟ ଫୁଲରେ ସଜ୍ଜିତ କରାଯାଇଛି। ପ୍ରଭୁଙ୍କ ଶ୍ରୀମୁଖ ଖଣ୍ଡୁଆ, ବାହୁଟକଣ୍ଟ ଏବଂ ସେନାପଟା ଲାଗି ନୀତି ଅନୁଷ୍ଠିତ ହୋଇଛି।
ଗୁରୁବାର ସକାଳ ୬ଟାରେ ମଙ୍ଗଳଆଳତି ପରେ ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳପୂଜା, ବେଶ, ଗୋପାଳବଲ୍ଲଭ ଏବଂ ସକାଳଧୂପ ଶେଷ ହେଲା ପରେ ରଥ ପ୍ରତିଷ୍ଠା କରାଯିବ। ଖେଚୁଡି ଭୋଗଖାଇ ଭାଇଭଉଣୀଙ୍କ ସହ ରଥଯାତ୍ରାକୁ ବାହାରିବେ କାଳିଆ ଠାକୁର। ମଙ୍ଗଳାର୍ପଣ ପରେ ଦିନ ୯ଟା ୩୦ରୁ ପହଣ୍ଡି ଆରମ୍ଭ ହେବ। ଶ୍ରୀମସ୍ତକରେ ଆକର୍ଷଣୀୟ ଟାହିଆ ପିନ୍ଧି ସେବକ ଓ ଭକ୍ତଙ୍କ ଗହଣରେ ଝୁଲି ଝୁଲି ରଥକୁ ବିଜେ କରିବେ ଦାରୁବ୍ରହ୍ମ। ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ପହଣ୍ଡି ଶେଷହେବା କାର୍ଯ୍ୟକ୍ରମ ରହିଛି। ଏହାପରେ ମଦନମୋହନ ବିଜେ କରିବେ। ରଥ ଉପରେ ତିନିଠାକୁରଙ୍କୁ ଚିତାଲାଗି କରାଯିବା ସହ ବେଶ ଅନୁଷ୍ଠିତ ହେବ। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଦିନ ୨ଟାରୁ ୩ଟା ମଧ୍ୟରେ ରଥଉପରେ ଛେରାପହଁରା କରିବେ। ଏହାପରେ ଚାରମାଳ ଫିଟାଯାଇ ଘୋଡା ଏବଂ ସାରଥି ଲଗାଯିବ। ଅପରାହ୍ଣ ୪ଟା ସୁଦ୍ଧା ରଥଟଣା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରାୟ ୧୦ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମୁକାବିଲା ପାଇଁ ସଜାଗ ହୋଇ ରହିଛନ୍ତି ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ଼। କ୍ଲୋଜସର୍କିଟ୍‌ କ୍ୟାମେରା ମାଧ୍ୟମରେ ଲୋକଙ୍କ ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ଉତ୍କଣ୍ଠାର ସହ ମହାପ୍ରଭୁଙ୍କୁ ଅପେକ୍ଷା କରିଛନ୍ତି ରଥ, ପଥ ଓ ଭକ୍ତ। ଶ୍ରୀଗୁଣ୍ଡିଚା ଯାତ୍ରା ନୀତିକାନ୍ତି ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି।

Comments are closed.