ବାଲିଯାତ୍ରା : ଓରମାସ୍‍ ଷ୍ଟଲ,ତୈଳ ଏବଂ ଗ୍ୟାସ ପାଭିଲିଅନ୍‌ ଉଦ୍‌ଘାଟିତ

କଟକ : ବାଲିଯାତ୍ରା ମହୋତ୍ସବର ଅନ୍ୟତମ ଆକର୍ଷଣ ଓରମାସ ଷ୍ଟଲକୁ ମନ୍ତ୍ରୀ ପ୍ରତାପ ଜେନା ଉଦ୍‍ଘାଟନ କରିଥିଲେ। ଚଳିତବର୍ଷ ଓରମାସରେ ମୋଟ ୪୧୦ଟି ଷ୍ଟଲ ଖୋଲାଯାଇଛି। ଭିନ୍ନକ୍ଷମ ଏବଂ କିନ୍ନର ପାଇଁ ସ୍ୱତନ୍ତ୍ର ୩୦ଟି ଷ୍ଟଲ ରହିଛି। ଏଥିସହିତ ଓରମସାରେ ପ୍ରଦୂଷଣକୁ ରୋକିବା ପାଇଁ ଓରମାସ ପରିସରରେ କାର୍‍ପେଟ ବିଛାଯାଇଛି। ଗହଳିକୁ ଦୃଷ୍ଟିରେ ରଖି ସମସ୍ତ ଉଠା ବ୍ୟବସାୟୀଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଛି। ଷ୍ଟଲ ଉଦ୍‍ଘାଟନ ସମୟରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ବିଧାୟକ ପ୍ରଶାନ୍ତ ବେହେରା, ଜିଲାପାଳ ଭବାନୀଶଙ୍କର ଚୟନୀ, ଗ୍ରାମ୍ୟ ଉନ୍ନୟନର ପ୍ରକଳ୍ପ ନିର୍ଦେଶକ ଅବଦୁଲ ଅଖତର, ଓରମାସର ଯୁଗ୍ମ ନିର୍ଦେଶକ ବିପିନବିହାରୀ ରାଉତ, ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ବାଲିଯାତ୍ରାର ତଳପଡ଼ିଆର ଷ୍ଟଲ ନଂ-ଏ୧ ଏବଂ ଏ୨ରେ ତୈଳ ବିପଣନ ଉ​‌େ​‌ଦ୍ୟାଗ ଏବଂ ଗ୍ୟାସ କମ୍ପାନୀଗୁଡ଼ିକ ମିଳିତଭାବେ ତୈଳ ଓ ଗ୍ୟାସ ପାଭିଲିୟନ ଆୟୋଜିତ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ବିଜେପି ନେତା ପ୍ରକାଶ ଚନ୍ଦ୍ର ବେହେରା, ସାରଦା ପ୍ରଧାନ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ରାଜ୍ୟସ୍ତରୀୟ ସଂଯୋଜକ ଶୁଭଜିତ ଘୋଷ, ଦେବାଶିଷ ପାଲିତ୍‌, ଦୀନବନ୍ଧୁ ସୋରେନ୍‌, ସଞ୍ଜୟ ବର୍ମା, ସଞ୍ଜୟ କୁମାର ଝା, ଧର୍ମେନ୍ଦ୍ର ବେଉରାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ଉଜ୍ବଳା ଯୋଜନା ଅଭିବୃଦ୍ଧିର ସଫଳ ଯାତ୍ରା, ଦକ୍ଷତା ବିକାଶ ପ୍ରତିଷ୍ଠାନ, କୋଣାର୍କଠାରେ ଇଣ୍ଡିଆନ୍‌ ଅଏଲ ଫାଉଣ୍ଡେସନର ବାଖ୍ୟାନ କେନ୍ଦ୍ରର ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ହୋଇଥିଲା।

Comments are closed.