ଦେବଗଡ଼, ଝାରସୁଗୁଡ଼ା ଖୋଲା ମଳମୁକ୍ତ ଜିଲା

0

ଦେବଗଡ଼, ଝାରସୁଗୁଡ଼ା ଖୋଲା ମଳମୁକ୍ତ ଜିଲା
ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ଦୁଇଟି ଜିଲା ଦେବଗଡ଼ ଓ ଝାରସୁଗୁଡ଼ା ଜିଲାକୁ ଓଡ଼ିଏଫ(ଖୋଲା ମଳମୁକ୍ତ ଜିଲା) ଭାବେ ଘୋଷଣା କରାଯାଇଛି। ଜୁଲାଇ ଶେଷ ସୁଦ୍ଧା ଆଉ ୪ଟି ଜିଲାକୁ ଓଡ଼ିଏଫ ଘୋଷଣା କରାଯିବାର ଲକ୍ଷ୍ୟ ରହିଛି। ଏସବୁ ଜିଲା ଭିତରେ ରହିଛି ବାଲେଶ୍ୱର, ଗଜପତି, ସମ୍ବଲପୁର ଓ ସୋନପୁର। ଏବେ ଏସବୁ ଜିଲାରେ ୭୪ପ୍ରତିଶତ ପରିବାରରେ ପାଇଖାନା ନିର୍ମାଣ ସରିଛି। ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଗ୍ରାମାଞ୍ଚଳରେ ପାଇଖାନା ନିର୍ମାଣ ଉପରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ସାମ୍ବାଦିକମାନଙ୍କୁ ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀ ଏହି ସୂଚନା ଦେଇଛନ୍ତି। ୨୦୧୪ରେ ଗ୍ରାମାଞ୍ଚଳ ପରିବାରଗୁଡ଼ିକରେ ପାଇଖାନା ୧୦ ପ୍ରତିଶତ ଥିବାବେଳେ ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଏବେ ତାହା ୫୫ପ୍ରତିଶତ ଅତିକ୍ରମ କରିଛି। ବର୍ତ୍ତମାନ ୪୫,୦୩,୧୨୮ ପରିବାର(ମୋଟ ପରିବାରର ୫୫ପ୍ରତିଶତ)ରେ ପାଇଖାନା ରହିଛି।
ଉପରୋକ୍ତ ୬ଟି ଜିଲାକୁ ବାଦ ଦେଲେ ଅନ୍ୟ ୪ଟି ଜିଲା ଜଗତସିଂହପୁର, ରାୟଗଡ଼ା, କନ୍ଧମାଳ ଓ ସୁନ୍ଦରଗଡ଼ରେ ୬୦ପ୍ରତିଶତ ପରିବାରରେ ପାଇଖାନା ନିର୍ମାଣ ସରିଛି। ଅନ୍ୟ ୧୫ଟି ଜିଲାରେ ୫୦ପ୍ରତିଶତ ନିର୍ମାଣ ଶେଷ ହୋଇଛି। ପ୍ରାୟ ୩୭୦୦ ଗ୍ରାମରେ ୧୦୦ ପ୍ରତିଶତ ପରିବାରରେ ପାଇଖାନା ନିର୍ମାଣ ହୋଇଛି। ବର୍ତ୍ତମାନ ପ୍ରାୟ ୧୪୦୦ ସ୍ୱେଚ୍ଛାଗ୍ରହୀ ଗ୍ରାମାଞ୍ଚଳ ସ୍ତରରେ ନିୟୋଜିତ ଅଛନ୍ତି। ସେମାନଙ୍କ ସହିତ ପ୍ରାୟ ୧ଲକ୍ଷ ଶ୍ରମିକ ପାଇଖାନାର ବ୍ୟବହାର ଏବଂ ନିରାପଦ ପରିମଳକୁ ପ୍ରୋତ୍ସାହିତ କରିବା ପାଇଁ ନିୟୋଜିତ ହୋଇଛନ୍ତି। ଏହି କାର୍ୟ୍ୟକ୍ରମରେ ପ୍ରତି ପରିବାରକୁ ପାଇଖାନା ନିର୍ମାଣ ପାଇଁ ୧୨ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯାଉଛି। ଉକ୍ତ ଯୋଜନାକୁ କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ପାଣ୍ଠି ଯୋଗାଉଛନ୍ତି।

Leave A Reply