ଏଣିକି ମେଡିକାଲ ନାମଲେଖା ପାଇଁ କେବଳ ‘ନୀଟ୍‌’

ନୂଆଦିଲ୍ଲୀ: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ କେବଳ ଗୋଟିଏ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ତାହା ହେଉଛି ଜାତୀୟ ପ୍ରବେଶିକା ଏବଂ ଯୋଗ୍ୟତା ପରୀକ୍ଷା(ଏନଇଇଟି ବା ନୀଟ୍‌)। ଏହା ବ୍ୟତୀତ ଅନ୍ୟ ସମସ୍ତ ମେଡିକାଲ ପ୍ରବେଶିକା ପରୀକ୍ଷାକୁ ବନ୍ଦ କରାଯିବ। ଫଳରେ ଏଣିକି କେନ୍ଦ୍ରୀୟ ତଥା ରାଜ୍ୟ ସ୍ତରର ମେଡିକାଲ କଲେଜଗୁଡ଼ିକରେ ୟୁଜି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ବିଦ୍ୟାର୍ଥୀମାନଙ୍କୁ ନୀଟ୍‌ରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କ୍ୟାବିନେଟର ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ତେବେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ନାମଲେଖ ପାଇଁ ଭିନ୍ନ ପରୀକ୍ଷା ହେବ କି ନାହିଁ ସେ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ ବୈଠକ ବସିଥିଲା। ଏଥିରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସେଥିରୁ ନୀଟ୍‌ ଅନ୍ୟତମ। ସୂଚନାଯୋଗ୍ୟ, ପ୍ରତିବର୍ଷ ଦେଶର ବିଭିନ୍ନ ସହରରେ ନୀଟ୍‌ ପରୀକ୍ଷା ଆୟୋଜନ କରାଯାଇଥାଏ। ଦେଶର ପ୍ରତିଷ୍ଠିତ ମେଡିକାଲ ଓ ଡେଣ୍ଟାଲ କଲେଜରେ ଏମବିବିଏସ ଏବଂ ଡେଣ୍ଟାଲର ୟୁଜି ଓ ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଏହି ପରୀକ୍ଷା କରାଯାଉଛି। ପ୍ରତିବର୍ଷ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି।

Comments are closed.