୮୫ ଟପିଲା, ଶତକ ମୁହାଁ ପିଆଜ

ଭୁବନେଶ୍ବର : ଅସମ୍ଭାଳ ହେଲାଣି ପିଆଜ ଦର। ଲଗାମହୀନ ହୋଇଯାଇଛି ବଜାର ମୂଲ୍ୟ। ପ୍ରତ୍ୟେକ ଦିନ ବଢୁଛି ଦର। ବିଗତ କିଛି ଦିନ ହେବ ୬୦ ଟଙ୍କା ଉପରେ ବିକ୍ରି ହେଉଥିବା ପିଆଜ ମୂଲ୍ୟ ଏବେ କିଲୋ ପିଛା ୮୫ ଟଙ୍କା ଅତିକ୍ରମ କରିଛି। ପିଆଜର ଅତ୍ୟଧିକ ଦର ବୃଦ୍ଧିରେ ଖାଉଟି ଏବେ ଅତିଷ୍ଠ। ନୂଆ ପିଆଜ ଆସୁଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହେଉ ନ ଥିବାରୁ ବଜାରରେ ଦର ବୃଦ୍ଧି ହୋଇଛି। ଅନ୍ୟପକ୍ଷରେ ମହାରାଷ୍ଟ୍ର ନାସିକ୍‌ରେ ରହିଥିବା ପୁରୁଣା ପିଆଜ ଶେଷ ହୋଇଆସୁଛି। ଏବେ ନାସିକରୁ ରାଜଧାନୀକୁ ପିଆଜ ଆମଦାନୀ ବନ୍ଦ ହୋଇଯାଇଛି। ଏବେ ​କେବଳ ଆନ୍ଧ୍ର ହିଁ ଶେଷ ଭରସା। ତେବେ ସେଠାରୁ ଦୈନିକ କମ୍‌ ଗାଡି ପିଆଜ ଆସୁଥିବା ଯୋଗୁ ଖାଉଟିଙ୍କ ଚାହିଦା ପୂରଣ ହେଇପାରୁନାହିଁ। ଏଭଳିସ୍ଥଳେ ପିଆଜ କିଲୋ ୮୫ ଟଙ୍କା ଛୁଇଁବାର ବହୁ ପୂର୍ବରୁ ସତର୍କ ରହିଥିବା ରାଜ୍ୟର ଯୋଗାଣ ବିଭାଗ ଏ କ୍ଷେତ୍ରରେ ବିଫଳ ହୋଇଥିବା କୁହାଯାଉଛି। ଏବେ ନାସିକ୍‌ରୁ ଆସିବାକୁ ଥିବା ପିଆଜର ଆଶାରେ ବ୍ୟବସାୟୀ ଆଉ ଖାଉଟି। ପିଆଜ କିଲୋ ପିଛା​‌​‌ ଦୁଇ ଦିନ​ରେ ୧୫ ଟଙ୍କା ବୃଦ୍ଧି ଘଟିବା ଏବେ ଖାଉଟିଙ୍କୁ ଚିନ୍ତାରେ ପକାଇଛି। ଦର ଯେଉଁଭଳି ବଢିଛି ରାତି ପାହିଲେ ପୁଣି ପିଆଜ କିଲୋ କେ​ତେ ହେବ ତାହାକୁ ନେଇ ଖାଉଟି ଆଶଙ୍କା ରହିଥିବା ଜଣାଯାଇଛି। ବଜାରରେ ଆକାଶଛୁଆଁ ହୋଇଛି ପିଆଜ ଦର।
ରାଜ୍ୟର ପାଇକାରୀ ପେଣ୍ଠସ୍ଥଳ କଟକ ଛତ୍ରବଜାର ଏବଂ ଭୁବନେଶ୍ବରର ଆଇଗିଣିଆକୁ ପିଆଜ ଆମଦାନୀ ଧୀରେ ଧୀରେ କମିବାରେ ଲାଗିଛି। ମହାରାଷ୍ଟ୍ର ନାସିକ୍‌​‌ରେ ପୁରୁଣା ପିଆଜ ଶେଷ ହୋଇଗଲାଣି। ସେଠାରେ କିଛି ମାତ୍ରାରେ ନୂଆ ଫସଲ ବାହାରିଛି। ହେଲେ ବର୍ତ୍ତମାନ ସ୍ଥିତିରେ ସେସବୁ ଏଠାକୁ ଆସିଲେ ୩-୪ ଦିନରେ ତାହା ଶଢିପଚିଯିବ। କ୍ଷତି ଭୟରେ ସେଠାରୁ ପିଆଜ ଆମଦାନୀ ହେଉନାହିଁ। ସେଥିପାଇଁ ଆଇଗିଣିଆକୁ ପୂର୍ବରୁ ଦୈନିକ ୧୦-୧୨ ଗାଡି ପିଆଜ ଆସୁଥିବାବେଳେ ଶୁକ୍ରବାର ମାତ୍ର ୫ ଗାଡି ଅର୍ଥାତ୍‌ ୧୧୦-୧୨୦ ଟନ୍‌ ପିଆଜ ଆସିଛି। କୌତୂହଳର ବିଷୟ ହେଉଛି ଆଜି ଛତ୍ରବଜାରକୁ ​ଗୋଟିଏ ସମ୍ପୂର୍ଣ୍ଣ ଗାଡି ପିଆଜ ମଧ୍ୟ ଆସିନାହିଁ। ​ଛତ୍ରବଜାରକୁ ପୂର୍ବରୁ ଦୈନିକ ୭-୮ ଗାଡି ପିଆଜ ଆସୁଥିବା​‌ବେଳେ ​ସେଠାକୁ ଆଜି ମାତ୍ର ୧୫ ଟନ୍ ପିଆଜ ଆସିଛି। ଯାହା ଫଳରେ ଏଭଳି ଅଭାବ ସ୍ଥିତି​ରେ ଦର କ’ଣ ହେବ ତାହା କହିବା ମୁସ୍କିଲ।
ଦେଶର ଅଧିକାଂଶ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ଚଳିତବର୍ଷ ପିଆଜ ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ପାଇକାରୀ ପେଣ୍ଠସ୍ଥଳଗୁଡିକରେ ଦର ଉଚ୍ଚା ରହିଥିବା ଯୋଗୁ ଘରୋଇ ବଜାରରେ ଦର ଉଚ୍ଚା ରହୁଛି। ଶୁକ୍ରବାର ସକାଳେ ରାଜଧାନୀର ହାଟ ବଜାରଗୁଡିକରେ ପିଆଜ କିଲୋ ପିଛା ୮୦ ଟଙ୍କାରେ ବିକ୍ରି ହୋଇଥିବାବେଳେ ହଠାତ୍‌ ସନ୍ଧ୍ୟା ବେଳକୁ ଦର ୮୫ ଟଙ୍କା ଟପିଯାଇଥିଲା। ଆଇଗିଣିଆଠାରେ ଗୁରୁବାର ପିଆଜ ଦର କ୍ବିଣ୍ଟାଲ ପିଛା ୬୦୦୦ରୁ ୬୨୦୦ ଟଙ୍କା ରହିଥିବାବେଳେ ଶୁକ୍ରବାର ସନ୍ଧ୍ୟାରେ ଏହା ୬୫୦୦-୭୦୦୦ ଟଙ୍କାକୁ ବୃଦ୍ଧି ଘଟିଛି। ଦୁଇ ଦିନ ତ​ଳେ ସେଠାରେ ପିଆଜ କ୍ବିଣ୍ଟାଲ ପିଛା ୫୪୦୦ରୁ ୫୮୦୦ ଟଙ୍କା ରହିଥିଲା। ପାଇକାରୀ ବଜାରରେ ଏଭଳି ହଠାତ୍‌ ଦର ବୃଦ୍ଧିର ସିଧାସଳଖ ପ୍ରଭାବ ଖୁଚୁରା ବଜାର ଉପରେ ପଡିଛି। ଯାହା ଫଳରେ ଖୋଲା ବଜାରରେ ପିଆଜ କିଲୋ ପିଛା ୭୦ ଟଙ୍କାରୁ ୮୦-୮୫ ଟଙ୍କାକୁ ବୃଦ୍ଧି ଘଟିଛି। ଏ ସମ୍ପର୍କରେ କୁବେରପୁରୀ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ଶକ୍ତି ଶଙ୍କର ମିଶ୍ର କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶରେ ଆଜି ପିଆଜ ଦର ବେଶ ଉଚ୍ଚା ରହିଛି।ଏହି ପିଆଜରେ ଅଧିକ ଷଢା ଓ ପଚା ବାହାରୁଥିବା ଯୋଗୁ ବ୍ୟବସାୟୀ କ୍ଷତି ସହୁଛନ୍ତି। ତେଣୁ ଦର ଅଧିକ ହେଉଛି। ଅନ୍ୟ ପକ୍ଷରେ ଏହା ଉପର ମତ ରଖି ଛତ୍ରବଜାର ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ, ଏଠାକୁ ଆମଦାନୀ କମିବାରେ ଲାଗିଛି। ନାସିକ୍‌ରୁ ନୂଆ ପିଆଜ ଆସିଲେ ସ୍ଥିତି ବଦଳିବ। ସେଥିପାଇଁ ପ୍ରାୟ ଡିସେମ୍ବର ୮-୧୦ ଯାଏ ଅପେକ୍ଷା କରିବାକୁ ହେବ। ବର୍ତ୍ତମାନ ଆନ୍ଧ୍ରପ୍ରଦେଶରୁ କିଣା ଯାହା ପଡୁଛି ସେଥିରେ ପିଆଜ ନଷ୍ଟ ହେଉଥିବା ​ଯୋଗୁ ବ୍ୟବସାୟୀ ଢେର କ୍ଷତି ସହୁଛନ୍ତି।
ପିଆଜର ଏଭଳି ଉଚ୍ଚ ଦର ପରିସ୍ଥିତିରେ ରାଜ୍ୟ ସରକାର ବଜାର ଉପରେ କଡା ନଜର ରଖିଥିବା ଯୋଗାଣ ବିଭାଗର ମାର୍କେଟିଂ ଅଧିକାରୀ ଦୀପକ କୁମାର ଶତପଥୀ କହିଛନ୍ତି। ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇ ଦିଆଯାଇଉଛି। ଚଳିତମାସ ୧୧ ତାରିଖଠାରୁ ରାଜ୍ୟରେ ୨୨୯ଟି ସୁଲଭ ମୂଲ୍ୟ ଦୋକାନ ଜରିଆରେ ପିଆଜ ବିକ୍ରି କରାଯାଉଛି। ପାଇକାରୀ ମଣ୍ଡି ସହ ହାଟ ବଜାରରେ ପିଆଜର ଷ୍ଟକ ନିଆଯାଉଛି। ତେବେ ମହାରାଷ୍ଟ୍ର ଆଉ ଆନ୍ଧ୍ରପ୍ରଦେଶ ଭଳି ପେଣ୍ଠସ୍ଥଳରେ ଦର ବୃଦ୍ଧି କିଣା ମୂଲ୍ୟ ବଢାଇଦେଇଛି।

Comments are closed.