ହାଇଦରାବାଦ ବଳାତ୍କାର ଓ ହତ୍ୟା ମାମଲାରେ ବିବାଦୀୟ ବୟାନ ଦେଇ ଯୁବକ ଗିରଫ

ହାଇଦରାବାଦ : ସାରା ଦେଶରେ ତେଲଙ୍ଗାନାର ହାଇଦରାବାଦରେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାକୁ ନେଇ ବିଦ୍ରୋହ ଦେଖାଦେଇଛି। ସାଧାରଣ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ରାଜନେତା, କଳାକାର, ଶିଳ୍ପପତି ପର୍ୟ୍ୟନ୍ତ ସମସ୍ଥେ ଏହି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ଏହି ସମୟରେ ମହିଳାଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ ବିବାଦୀୟ ବୟାନ ଦେଇ ମଙ୍ଗଳବାର ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଗିରଫ ବ୍ୟକ୍ତି ଜଣଙ୍କ ତେଲେଙ୍ଗାନାର ନିଜାମାବାଦର ଜଣେ ୨୨ବର୍ଷୀୟ ଯୁବକ।
ସୂଚନା ଅନୁସାରେ, ନଭେମ୍ବର ୩୦ରେ ଗିରଫ ବ୍ୟକ୍ତି ଜଣଙ୍କ ପୀଡିତାଙ୍କର ନାମ ସହିତ ଏକ ଫଟୋ ଏବଂ ତାଙ୍କୁ ନେଇ ବିବାଦୀୟ ବୟାନ ଦେବାସହ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ଯାହା ଆଇନ ଆଖିରେ ଦଣ୍ଡନୀୟ ଅପରାଧ। ତେଣୁ ସାଇବର କ୍ରାଇମ ପୁଲିସ ମଙ୍ଗଳବାର ଯୁବକଙ୍କୁ ଗିରଫ କରିଛି।

ଆଇନ ଅନୁସାରେ, ଯେଉଁ ମହିଳା ବଳାତ୍କାରର ଶିକାର ହୋଇଥାନ୍ତି ସେମାନଙ୍କ ନାମ, ଠିକଣା ଏବଂ ଫଟୋ ସମ୍ପୂର୍ଣ୍ଣ ଗୋପନୀୟ ରଖିବା ଉଚିତ। ଯୁବକ ଜଣଙ୍କ ଏହି ନିୟମକୁ ଭଙ୍ଗ କରିବାରୁ ପୁଲିସ ତାଙ୍କୁ ଗିରଫ କରିଛି।

Comments are closed.