ବନ୍ଧୁକମୁନରେ ଭୋଜପୁରୀ ଅଭିନେତ୍ରୀଙ୍କୁ ବଳାତ୍କାର ପରେ ବିବାହ କରିବା ପାଇଁ ଜିଦ୍‌ କଲା ଦୁର୍ବୃତ୍ତ, ପୁଲିସ ଉପରକୁ ଚଳାଇଲା ଗୁଳି

ଲକ୍ଷ୍ମୌ .- ଭୋଜପୁରୀ ଚଳଚ୍ଚିତ୍ରରେ ଅଭିନୟ କରୁଥିବା ଜଣେ ଅଭିନେତ୍ରୀଙ୍କୁ ବନ୍ଧୁକମୁନରେ ବନ୍ଦୀ କରିବା ସହ ବିବାହ ପାଇଁ ଜିଦ୍‌ ଧରିଥିବା ଦୁର୍ବୃତ୍ତକୁ ପୁଲିସ ଗିରଫ କରିଛି । ଏହି ସମୟରେ ଅଭିନେତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇଥିବା ପୁଲିସକର୍ମୀ ଓ ପୁଲିୟ ଅଧୀକ୍ଷକଙ୍କୁ(ଏସ୍‌ପି) ଦୁର୍ବୃତ୍ତ ଗୁଳି ଚଳାଇଥିଲା । ଉତ୍ତର ପ୍ରଦେଶର ରବର୍ଟଗଞ୍ଜ ଅଞ୍ଚଳରେ ଏହି ଘଟଣା ଘଟିଛି । ଦୁର୍ବୃତ୍ତ ଜଣଙ୍କ ଜାଉନପୁରର ପଙ୍କଜ ଯାଦବ ବୋଲି ଜଣା ପଡିଛି । ବନ୍ଧୁକ ମୁନରେ ଦୁର୍ବୃତ ପଙ୍କଜ ଅଭିନେତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି ।

ଏକ ଭୋଜପୁରୀ ଚଳଚ୍ଚିତ୍ର ସୁଟିଂ ପାଇଁ ମୁମ୍ବଇରୁ ଅଭିନେତ୍ରୀଙ୍କ ସହ ପୁରା ଟିମ୍‌ ଆସିଥିଲେ । ସେମାନେ ରବର୍ଟଗଞ୍ଜର ଏକ ହୋଟେଲରେ ରହୁଥିଲେ । ଦୁର୍ବତ୍ତପଙ୍କଜ ଲୁଚି କରି ଅଭିନେତ୍ରୀଙ୍କ କୋଠରୀରେ ପ୍ରବେଶ କରିଥିଲେ । ଏହାପରେ ବନ୍ଧୁକମୁନରେ ବଳାତ୍କାର ଉଦ୍ୟମ କରିବା ସହ ତାଙ୍କୁ ବିବାହ କରିବାକୁ କହିଥିଲେ । ପରେ ଅଭିନେତ୍ରୀ ଚିତ୍କାର କରିବାରୁ ଜଣେ ସ୍ଥାନୀୟ ଯୁବକ ତାଙ୍କୁ ରକ୍ଷା କରିବା ପାଇଁ ଯାଇଥିଲେ ।ହେଲେ ପଙ୍କଜ ତାଙ୍କୁ ଗୁଳି କରିଥିଲା। ଯୁବକର ଅଣ୍ଟାରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାର ସୂଚନା ପାଇବା ପରେ ପୁଲିସ ସେଠାରେ ପହଞ୍ଚିଥିଲା । ଏସ୍‌ପିଙ୍କ ସହ କିଛି ପୁଲିସକର୍ମୀ ତାଙ୍କ ସହ ସେହି ସ୍ଥାନରେ ପହଞ୍ଚିଥିଲେ । ସେମାନେ ବନ୍ଧୁକ ଛାଡିବା ପାଇଁ ପଙ୍କଜକୁ ବାଧ୍ୟ କରିଥିଲେ । ପଙ୍କଜ ଖଟ ଉପରେ ବନ୍ଧୁକ ଥୋଇଥିଲା । ଏସ୍‌ପି ସଲମାନ ତାଜ ପାଟିଲ ଖଟର ବେଡ୍‌ସିଟ୍‌କୁ ଟାଣି ଦେଇଥିଲେ । ବନ୍ଧୁକ ତଳେ ପଡିଯାଇଥିଲା । ଦୁର୍ବୃତ୍ତ ପଙ୍କଜ ବନ୍ଧୁକ ତଳୁ ଉଠାଇ ଗୁଳି ଚଳାଇଥିଲା । ଗୁଳି ଏସ୍‌ପିଙ୍କ କାନ ପାଖ ଦେଇ ଚାଲି ଯାଇଥିଲା । ଗୁଳି ଶଦ୍ଦ ଶୁଣି ଅନ୍ୟ ପୁଲିସ କର୍ମୀ ସେଠାରେ ପହଞ୍ଚିବା ସହ ପଙ୍କଜକୁ ମାଡି ବସିଥିଲେ ।ତାକୁ ଉତ୍ତମ ମଧ୍ୟମ ଦେବା ସହ ଥାନାକୁ ଆଣିଥିଲେ ।
ପଙ୍କଜ ନାମରେ ପୁଲିସ ହତ୍ୟା ଉଦ୍ୟମ ଧାରା ୩୦୭, ବଳାତ୍କାର ଧାରା ୩୭୬ , ଜଣଙ୍କୁ ବନ୍ଦୀ ରଖିବା ଧାରା ୩୪୨ରେ ମାମଲା ରୁଜୁ କରିଛି ।

Comments are closed.