ଓଜେଇଇ ପରୀକ୍ଷା ଫଳ ପ୍ରକାଶିତ

0

ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କଲେ ମନ୍ତ୍ରୀ

ଭୁବନେଶ୍ୱର: ଶୁକ୍ରବାର ଅପରାହ୍ଣରେ ଓଡ଼ିଶା ଯୁଗ୍ମ ପ୍ରବେଶିକା(ଓଜେଇ)ପରୀକ୍ଷା-୨୦୧୮ର ଫଳ ପ୍ରକାଶ ପାଇଛି। ଚଳିତବର୍ଷ ୧୨ଟି ବିଭାଗରେ ପରୀକ୍ଷା ଦେଇଥିବା ୪୨,୨୮୮ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୨,୨୮୩ଜଣଙ୍କୁ ରାଙ୍କ କାର୍ଡ ମିଳିଛି। ମାତ୍ର ୫ଜଣ ଛାତ୍ରଛାତ୍ରୀ ରାଙ୍କ କାର୍ଡରୁ ବାଦ ପଡ଼ିଛନ୍ତି। ସଚିବାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଉଷା ଦେବୀ ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ଘୋଷଣା କରିଥିଲେ। ଏହି ଅବସରରେ ସେ ପରୀକ୍ଷାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
ଏଥର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷାର ସମସ୍ତ ପାଠ୍ୟକ୍ରମ ପାଇଁ ୪୮,୩୧୮ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୬,୦୩୦ ଜଣ ପରୀକ୍ଷା ଦେଇନଥିବା ବେଳେ ୪୨,୨୮୩ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗତ ୧୩ ତାରିଖରେ ରାଜ୍ୟର ୨୦ଟି ସହରର ୮୧ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରାଯାଇଥିଲା।
ଶୁଭ୍ରଜିତ ପଣ୍ଡା-ଏମବିଏ, ବିପ୍ଳବ ସାମନ୍ତରାୟ-ଏମସିଏ, ଶୁଭମ-ଫାର୍ମାସୀ, ତନୁଶ୍ରୀ ବେହେରା-ଇଣ୍ଟିଗ୍ରେଟେଡ ଏମବିଏ, ବୁସ୍ରା ଖତୁନ-ଲାଟେରାଲ ଏଣ୍ଟ୍ରି ଟେକ୍ନିକାଲ, ଜାହିଦ ଅଖତାର-ଲାଟେରାଲ ଏଣ୍ଟ୍ରି ଏମସିଏ, ବିକାଶ କେଶରୀ ମାଝି-ଲାଟେରାଲ ଏଣ୍ଟ୍ରି ଫାର୍ମାସୀ, କ୍ଷୀତିଶ ପଟ୍ଟନାୟକ-ବିଏସସି ଲାଟେରାଲ ଏଣ୍ଟ୍ରି, ସୌମ୍ୟବ୍ରତ ବାନାର୍ଜୀ-ଏମଟେକ୍‍, ବିଦିଶା ବିଶ୍ୱାସ-ଏମଫାର୍ମା, ଶତ୍ରୁଷ୍ଣ କୁମାର ମହାପାତ୍ର-ଏମଆର୍କ ଓ ଅଙ୍କିତା ପଣ୍ଡା-ଏମପ୍ଲାନର ଟପ୍ପର ହୋଇଛନ୍ତି।
କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ବିଭିନ୍ନ ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜରେ ଏମବିଏ, ଏମସିଏ, ବିଫାର୍ମ, ଇଣ୍ଟିଗ୍ରେଟେଡ ଏମବିଏ, ଲାଟେରାଲ ଏଣ୍ଟ୍ରି -ବିଟେକ, ଲାଟେରାଲ ଏଣ୍ଟ୍ରିଏମସିଏ, ଲାଟେରାଲ ଏଣ୍ଟ୍ରି ଫାର୍ମାସୀ, ଲାଟେରାଲ ଏଣ୍ଟ୍ରି ବିଏସସି, ଏମଟେକ, ଏମପ୍ଲାନ, ଏମଫାର୍ମା ଓ ଏମଆର୍କ ଆଦି ୧୨ଟି ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ। ପରୀକ୍ଷାର୍ଥୀ ଙ୍ଗଙ୍ଗଙ୍ଗ.କ୍ଟହରର.ଦ୍ଭସମ.ସଦ୍ଭ/ ଙ୍ଗଙ୍ଗଙ୍ଗ.କ୍ଟୟସଗ୍ଦଷବହରର.ମକ୍ଟଜ୍ଞ ୱେବସାଇଟକୁ ଯାଇ ଫଳ ଜାଣିପାରିବେ ବୋଲି ସୂଚନା ଦିଆଯାଇଛି।
ଗତବର୍ଷ ୫୫,୬୩୦ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରେ ୧୧,୦୩୩ ଜଣ ହୋମିଓପାଥି ଏବଂ ଆୟୁର୍ବେଦିକ ପାଠ୍ୟକ୍ରମ ପାଇଁ ପରୀକ୍ଷା ଦେଇଥିଲେ। ଏଥର ଓଜେଇରୁ ହୋମିଓପାଥି ଏବଂ ଆୟୁର୍ବେଦିକ ପରୀକ୍ଷା ବାଦ ପଡ଼ିବା ଫଳରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଥିବା ବିଭାଗୀୟ ସଚିବ ସଞ୍ଜୟକୁମାର ସିଂହ କହିଛନ୍ତି। ଏଥର ହୋମିଓପାଥି ଏବଂ ଆୟୁର୍ବେଦକ ପାଠ୍ୟକ୍ରମ ପାଇଁ ନିଟ୍‍ ପରୀକ୍ଷା କରୁଛି। ଫଳ ପ୍ରକାଶନ ସମୟରେ ଓଜେଇ ଅଧ୍ୟକ୍ଷ ମନୀଷ ତ୍ରିପାଠୀ ଉପସ୍ଥିତ ଥିଲେ।
ରବି ପ୍ରିୟ ଦାଶ

Leave A Reply