ପେଟ୍ରୋଲ ଦର ଆକାଶଛୁଆଁ

0

କ୍ରମାଗତ ନବମ ଦିନ ପାଇଁ ପେଟ୍ରୋଲ୍‍ ଓ ଡିଜେଲ୍‍ ଦରରେ ବୃଦ୍ଧି ଘଟିଛି। ମଙ୍ଗଳବାର ଏହି ମୂଲ୍ୟ ଆଉ ୩୦ ପଇସା ବୃଦ୍ଧି ପାଇଛି। ଫଳରେ ନୂଆଦିଲ୍ଲୀଠାରେ ପେଟ୍ରୋଲ୍‍ ମୂଲ୍ୟ ୭୬ଟଙ୍କା ୮୭ ପଇସା ଏବଂ ମୁମ୍ବଇରେ ୮୪ଟଙ୍କା ୭୦ ପଇସାରେ ପହଞ୍ଚିଛି। ପେଟ୍ରୋଲ ମୂଲ୍ୟରେ ଏହା ସର୍ବକାଳୀନ ସର୍ବାଧିକ ବୃଦ୍ଧି ବୋଲି କୁହାଯାଉଛି। ୨୦୧୩ ସେପ୍ଟେମ୍ବର ୧୪ରେ ପେଟ୍ରୋଲ ମୂଲ୍ୟ ଦିଲ୍ଲୀରେ ୭୬ ଟଙ୍କା ୦୬ ପଇସା ହୋଇଥିଲା, ଯାହାକି ବିଗତ ୧୬ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ବୋଲି କୁହାଯାଉଥିଲା।
ସେହିଭଳି ମଙ୍ଗଳବାର ଡିଜେଲ୍‍ ମୂଲ୍ୟରେ ମଧ୍ୟ ୨୬ରୁ ୨୮ ପଇସା ବୃଦ୍ଧି ହୋଇଛି। ଭାରତୀୟ ତୈଳ ନିଗମ ଲିମିଟେଡ୍‍ (ଆଇଓସିଏଲ୍‍) ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଡିଜେଲ୍‍ ମୂଲ୍ୟ ଦିଲ୍ଲୀରେ ୬୮ଟଙ୍କା ୦୮ ପଇସା ଏବଂ ମୁମ୍ବଇରେ ୭୨ଟଙ୍କା ୪୮ ପଇସା ରହିଛି। ସେହିଭଳି ପେଟ୍ରୋଲ୍‍ ଓ ଡିଜେଲ୍‍ ମୂଲ୍ୟ ଯଥାକ୍ରମେ କୋଲକତାରେ ୭୯ଟଙ୍କା ୫୩ ପଇସା ଓ ୭୦ଟଙ୍କା ୬୩ ପଇସା ଏବଂ ଚେନ୍ନାଇରେ ୭୯ଟଙ୍କା ୭୯ ପଇସା ଓ ୭୧ ଟଙ୍କା ୮୭ ପଇସା ରହିଛି।
ମୂଲ୍ୟବୃଦ୍ଧିର କାରଣ:
ପେଟ୍ରୋଲ ଖୁଚୁରା ବିକ୍ରି ମୂଲ୍ୟର ୫୦% ଏବଂ ଡିଜେଲ୍‍ ଖୁଚୁରା ବିକ୍ରି ମୂଲ୍ୟର ୪୦% ଉତ୍ପାଦନ ଶୁଳ୍କ ଏବଂ ଡିଲରଙ୍କ କମିସନ୍‍ ବାବଦକୁ ଚାଲିଯାଇଥାଏ। ପେଟ୍ରୋଲ୍‍ ଏବଂ ଡିଜେଲ୍‍ର ମୋଟ ମୂଲ୍ୟ ମଧ୍ୟରୁ ଯଥାକ୍ରମେ ୪.୮% ଓ ୩.୮% ଡିଲର କମିସନ ରହୁଥିବା ବେଳେ ଭାଟ୍‍ ୨୧.୩% ଓ ୧୪.୭%, ଉତ୍ପାଦନ ଶୁଳ୍କ ୨୫.୯% ଓ ୨୩% ଏବଂ ଡିଲରଙ୍କ ପାଇଁ ଧାର୍ଯ୍ୟ ମୂଲ୍ୟ ୪୮.୧% ଓ ୫୮.୬% ରହିଥାଏ। ବିଭିନ୍ନ ରାଜ୍ୟରେ ଶୁଳ୍କ ହାର ଭିନ୍ନ ଭିନ୍ନ ହୋଇଥିବାରୁ ଏଗୁଡିକରେ ପେଟ୍ରୋଲ ଏବଂ ଡିଜେଲ୍‍ ମୂଲ୍ୟରେ ମଧ୍ୟ ଭିନ୍ନତା ଲକ୍ଷ୍ୟ କରାଯାଏ।
କେଉଁଠି ସର୍ବାଧିକ, କେଉଁଠି ସର୍ବନିମ୍ନ:
ମେ’ ୨୧ ସୁଦ୍ଧା କରାଯାଇଥିବା ଆକଳନ ଅନୁଯାୟୀ, ମୁମ୍ବଇରେ ପେଟ୍ରୋଲ ଦର ସବୁଠୁ ମହଙ୍ଗା ହୋଇଥିବା ବେଳେ ହାଇଦ୍ରାବାଦରେ ଡିଜେଲ ମୂଲ୍ୟ ସବୁଠାରୁ ବେଶୀ। କେତେକ ସହରରେ ପେଟ୍ରୋଲ ଏବଂ ଡିଜେଲ୍‍ ମୂଲ୍ୟ ମଧ୍ୟରେ ଖୁବ୍‍ କମ୍‍ ତାରତମ୍ୟ ରହିଛି। ଏହି ସମୟ ମଧ୍ୟରେ ପେଟ୍ରୋଲ ଦର ମୁମ୍ବଇରେ ୮୪ଟଙ୍କା ୪୦ପଇସା, ଭୋପାଳରେ ୮୦ ଟଙ୍କା ୮୯ ପଇସା ଏବଂ ପାଟନାରେ ୮୦ ଟଙ୍କା ୮୨ପଇସାରେ ପହଞ୍ଚିଥିଲା। ସେହିଭଳି ପୋର୍ଟ ବ୍ଲେୟାରରେ ପେଟ୍ରୋଲ ମୂଲ୍ୟ ୬୪ଟଙ୍କା ୯୬ ପଇସା ରହିଛି, ଯାହାକି ସବୁଠାରୁ କମ୍‍ ବୋଲି କୁହାଯାଉଛି। ହାଇଦ୍ରାବାଦରେ ଡିଜେଲ୍‍ ମୂଲ୍ୟ ସବୁଠାରୁ ବେଶୀ ୭୨ଟଙ୍କା ୬୦ ପଇସା ଥିବା ବେଳେ ପୋର୍ଟ ବ୍ଲେୟାରରେ ୬୨ଟଙ୍କା ୬୪ ପଇସା ରହିଛି।
ପେଟ୍ରୋଲ ଦର ବଢିଛି, ଏଲ୍‍ପିଜି ମୂଲ୍ୟ କମିଛି:
ଭାରତରେ ପେଟ୍ରୋଲ ଡିଜେଲ୍‍ ମୂଲ୍ୟ ସର୍ବାଧିକ ସ୍ତରରେ ପହଞ୍ଚିଛି; କିନ୍ତୁ ଦେଶରେ ଏଲ୍‍ପିଜି ସବ୍‍ସିଡି ଯୋଜନା ଲାଗୁ ହେବା ପରେ ଘରୋଇ ରନ୍ଧନ ଗ୍ୟାସ୍‍ ସିଲିଣ୍ଡର ପିଛା ମୂଲ୍ୟ ସବୁଠୁ କମ୍‍ ରହିଛି। ରନ୍ଧନ ଗ୍ୟାସ୍‍ ସିଲିଣ୍ଡର ପିଛା ମୂଲ୍ୟ ଭାରତରେ ୪୯୧ଟଙ୍କା ୨୦ପଇସା ଥିବା ବେଳେ ପାକିସ୍ତାନରେ ସର୍ବାଧିକ ୧୦୨୫ଟଙ୍କା ୫୦ ପଇସା, ନେପାଳରେ ୮୬୫ଟଙ୍କା, ଶ୍ରୀଲଙ୍କାରେ ୬୯୦ଟଙ୍କା ଏବଂ ବାଂଲାଦେଶରେ ୬୩୩ ଟଙ୍କା ୧୦ ପଇସା ରହିଛି। କେବଳ ଶ୍ରୀଲଙ୍କାରେ କିରାସିନି ମୂଲ୍ୟ ସବୁଠାରୁ କମ୍‍ ବୋଲି ଜଣାପଡିଛି।
ପଡୋଶୀ ରାଷ୍ଟ୍ରରେ ପେଟ୍ରୋଲ ମୂଲ୍ୟ:
ମେ’ ୨୧ ସୁଦ୍ଧା ଭାରତର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୭୪ଟଙ୍କା ୬୦ ପଇସା, ଡିଜେଲ୍‍ ମୂଲ୍ୟ ୬୫ ଟଙ୍କା ୯୦ ପଇସା ଏବଂ କିରାସିନି ମୂଲ୍ୟ ୨୪ଟଙ୍କା ୫୦ ପଇସା ରହିଥିଲା। ସେହିଭଳି ପାକିସ୍ତାନରେ ପେଟ୍ରୋଲ ୫୦ଟଙ୍କା ୬୦ ପଇସାରେ, ଡିଜେଲ୍‍ ୫୭ ଟଙ୍କା ଓ କିରାସିନି ୪୬ଟଙ୍କା ୧୦ ପଇସା ରହିଥିଲା। ବାଂଲାଦେଶରେ ପେଟ୍ରୋଲ ମୂଲ୍ୟ ୬୮ଟଙ୍କା ୪୦ ପଇସା ଥିବା ବେଳେ ଡିଜେଲ୍‍ ଏବଂ କିରାସିନି ମୂଲ୍ୟ ୫୧ ଟଙ୍କା ୭୦ ପଇସା ଲେଖାଏଁ ରହିଥିଲା। ଶ୍ରୀଲଙ୍କାରେ ପେଟ୍ରୋଲ ମୂଲ୍ୟ ୪୯ ଟଙ୍କା ୬୦ ପଇସା ଥିବା ବେଳେ ଡିଜେଲ୍‍ ୪୦ଟଙ୍କା ୩୦ ପଇସା ଏବଂ କିରାସିନି ୧୮ଟଙ୍କା ୬୦ ପଇସା ଥିଲା। ଅନ୍ୟପଟେ ନେପାଳରେ କିରାସିନି ମୂଲ୍ୟ ୬୬ଟଙ୍କା ୬୦ ପଇସା, ଏବଂ ଡିଜେଲ୍‍ ଓ କିରାସିନି ମୂଲ୍ୟ ୫୪ଟଙ୍କା ୭୦ ପଇସା ଲେଖାଏଁ ଥିଲା।
ଭାରତରେ ପେଟ୍ରୋଲ୍‍ ମୂଲ୍ୟ ସର୍ବାଧିକ:
ଆମେରିକାକୁ ଛାଡିଦେଲେ ବିଶ୍ୱର ଅନ୍ୟ ସମସ୍ତ ବିକଶିତ ରାଷ୍ଟ୍ରରେ ପେଟ୍ରୋଲିୟମ୍‍ ମୂଲ୍ୟ ସର୍ବାଧିକ ଶୁଳ୍କ ବହନ କରୁଥିବା ସାମଗ୍ରୀ ପାଲଟିଛି। ଏହି ଦେଶଗୁଡିକର ଅଧିକାଂଶ ଲୋକଙ୍କ ଆୟ ଭାରତୀୟଙ୍କ ଆୟଠାରୁ ଖୁବ୍‍ ବେଶୀ ହୋଇଥିବାରୁ ସେମାନଙ୍କ ଉପରେ ପେଟ୍ରୋଲ୍‍ ମୂଲ୍ୟ ବୃଦ୍ଧିର ବିଶେଷ ପ୍ରଭାବ ପଡି ନ ଥାଏ। ବର୍ତ୍ତମାନ ପେଟ୍ରୋଲ ଦରକୁ ଅନୁଧ୍ୟାନ କଲେ ଜଣେ ସାଧାରଣ ଭାରତୀୟ ନାଗରିକଙ୍କର ଦୈନିକ ଆୟର ୨୦% ଏହାକୁ କ୍ରୟ କରିବାରେ ବ୍ୟୟ ହେଉଥିବା ଜଣାଯାଏ।
ବିଭିନ୍ନ ଦେଶରେ ପେଟ୍ରୋଲ ମୂଲ୍ୟ:
ପେଟ୍ରୋଲ୍‍ ମୂଲ୍ୟ ବୃଦ୍ଧି ଦୃଷ୍ଟିକୋଣରୁ ଭାରତ ପଛକୁ କ୍ରମାନ୍ୱୟରେ ଚୀନ, ବ୍ରାଜିଲ, ରୁଷ୍‍, ଫ୍ରାନ୍ସ, ବ୍ରିଟେନ୍‍, ଜର୍ମାନୀ, ଜାପାନ ଏବଂ ଆମେରିକା ରହିଛି।
ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ମୂଳ କାରଣ:
ବିଶ୍ୱବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଏବଂ ଆମେରିକୀୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ କାରଣରୁ ଚଳିତବର୍ଷ ଦେଶର ମେଟ୍ରୋ ସହରଗୁଡିକରେ ପେଟ୍ରୋଲ୍‍ ମୂଲ୍ୟରେ ପ୍ରାୟ ୬ଟଙ୍କା ୮୧ ପଇସାରୁ ୭ଟଙ୍କା ୨୬ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲ୍‍ ମୂଲ୍ୟ ୮ଟଙ୍କା ୩୩ ପଇସାରୁ ୯ଟଙ୍କା ୨୧ ପଇସା ମଧ୍ୟରେ ବୃଦ୍ଧି ପାଇଛି। ଉତ୍ପାଦନ ହ୍ରାସ କାରଣରୁ ମଧ୍ୟ ତୈଳ ରପ୍ତାନୀକାରୀ ରାଷ୍ଟ୍ରଗୁଡିକ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି କରିଛନ୍ତି, ଯାହାକି ୨୦୧୪ ପରଠାରୁ ସର୍ବାଧିକ ବୋଲି କୁହାଯାଉଛି।
ତୈଳ ଦର ବୃଦ୍ଧିର ପ୍ରଭାବ:
ତୈଳ ଦର ବୃଦ୍ଧି କାରଣରୁ ସାଧାରଣ ନାଗରିକଙ୍କ ଖର୍ଚ୍ଚ ବଢିବ। ଏଥିସହ ଖାଉଟି ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇବ। ମୂଦ୍ରାସ୍ଫିତି ଯୋଗୁ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ହାର ବୃଦ୍ଧି ଉପରେ ଗୁରୁତ୍ୱ ଦେବ ଯଦ୍ଦ୍ୱାରା ସାଧାରଣ ଲୋକଙ୍କୁ ଋଣ ବାବଦ ଅଧିକ ସୁଧ ଦେବାକୁ ପଡିବ। ଅବଶ୍ୟ ବର୍ଦ୍ଧିତ ସୁଧହାର ଯୋଗୁ ଜମାକାରୀମାନେ ଲାଭବାନ ହେବେ। ଅନ୍ୟପଟେ ବିଦେଶରୁ ସାମଗ୍ରୀ ଆମଦାନୀ ନିମନ୍ତେ ବହୁମୂଲ୍ୟ ଦେବାକୁ ହେବ। ଫଳରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଇବ। ଏହାଦ୍ୱାରା ବିଦେଶରେ ବ୍ୟବସାୟ କରୁଥିବା ତଥା ଶିକ୍ଷା ଏବଂ ପର୍ଯ୍ୟଟନ ପାଇଁ ଯୋଜନା କରୁଥିବା ଲୋକେ ବିଶେଷ ପ୍ରଭାବିତ ହେବେ।
ସମାଧାନର ବାଟ ଖୋଜୁଛି କେନ୍ଦ୍ର:
ତୈଳ ଦରରେ ସର୍ବକାଳୀନ ସର୍ବାଧିକ ବୃଦ୍ଧିକୁ ନେଇ ବିଭିନ୍ନ ସ୍ତରରୁ ସମାଲୋଚନାର ଶିକାର ହୋଇଥିବା କେନ୍ଦ୍ର ସରକାର ଏହି ପରିସ୍ଥିତିର ମୁକାବିଲା ନିମନ୍ତେ ଚଳିତ ସପ୍ତାହରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାର ସମ୍ଭାବନା ରହିଛି। ମୂଲ୍ୟ ବୃଦ୍ଧିର ସମାଧାନ ନିମନ୍ତେ କେନ୍ଦ୍ର ସରକାର ବିକଳ୍ପ ପନ୍ଥା ଖୋଜୁଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର କହିଥିଲେ।

Leave A Reply