ଗୁମୁଡୁମାହା ଏନକାଉଣ୍ଟର ମାମଲା ; ମୃତକଙ୍କ ପରିବାରକୁ ଆଉ ୨ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦେଶ

0

ଭୁବନେଶ୍ୱର : ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଗୁମୁଡୁମାହା ଗ୍ରାମର କିଛି ପୁରୁଷ ଓ ମହିଳା ଏନଆରଇଜିଏସ ପ୍ରାପ୍ୟ ନେଇ ଘରକୁ ଅଟୋ ଯୋଗେ ଫେରୁଥିଲା ବେଳେ ମାଲାପଙ୍ଗା ଜଙ୍ଗଲ ରାସ୍ତାରେ ସିଆରପିଏଫ ଗୁଳିରେ ସେମାନଙ୍କ ମଧ୍ୟରୁ ୫ଜଣ ପ୍ରାଣ ହରାଇଥିଲେ ଓ ୭ଜଣ ଆହତ ହୋଇଥିଲେ। ଏହି ମାମଲାର ଶୁଣାଣି କରି ରାଜ୍ୟ ମାନବାଧିକାର ଆୟୋଗ କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ୍‌ ବୀରକିଶୋର ମିଶ୍ର ମୃତକଙ୍କ ପରିବାରକୁ ଆଉ ୨ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦେବାକୁ ନିର୍ଦେଶ ଦେଇଛନ୍ତି। ଏ ସମ୍ପର୍କିତ ସମସ୍ତ ତଥ୍ୟ ଦୁଇମାସ ମଧ୍ୟରେ ଦାଖଲ କରିବାକୁ ଆୟୋଗ ନିର୍ଦେଶ ଦେଇଛନ୍ତି।
ପ୍ରକାଶ ଯେ ୨୦୧୬ ଜୁଲାଇ ୮ ତାରିଖରେ ଗୁମୁଡୁମାହା ଗ୍ରାମର ୧୨ଜଣ ଏନଆରଜିଏସ ପ୍ରାପ୍ୟ ନେଇ ଏକ ଅଟୋ ଯୋଗେ ସନ୍ଧ୍ୟାରେ ଘରକୁ ଫେରୁଥିଲେ। ଗ୍ରାମଠାରୁ ଦୁଇକିଲୋମିଟର ପୂର୍ବରୁ ମାଲାପଙ୍ଗା ଜଙ୍ଗଲ ରାସ୍ତାରେ ଆସୁଥିଲା ବେଳେ ନକ୍ସଲ ଓ ସିଆରପିଏଫ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ଅଟୋଟି ଏହି ସ୍ଥାନ ଅତିକ୍ରମ କରୁଥିଲା ବେଳେ ସିଆରପିଏଫ ଯବାନଙ୍କ ଗୁଳିରେ ଘଟଣାସ୍ଥଳରେ ପରମ୍ପକା ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ କୁକଲ ଦିଗାଲ, ଲୁଟା ଦିଗାଲ, ଟିମରି ମଲ୍ଲିକ, ବିରଙ୍ଗୁଲି ମଲ୍ଲିକ ଓ ମିଦିଆଲି ମଲ୍ଲିଙ୍କ ମୃତୁ୍ୟ ଘଟିଥିଲା ଏବଂ ଅନ୍ୟ ୭ଜଣ ଆହତ ହୋଇଥିଲେ। ମୃତକଙ୍କୁ ୨୫ଲକ୍ଷ ଟଙ୍କା ଜୋରିମାନା ଏବଂ ଆହତଙ୍କୁ ୫ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ଏବଂ ଦୋଷୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ହୁ୍ୟମାନ ରାଇଟ ଫ୍ରଣ୍ଟର ଅଧ୍ୟକ୍ଷ ମନୋଜ କୁମାର ଜେନା ଓ ଅନ୍ୟ ୬ଜଣ ମାନବାଧିକାର କର୍ମୀ ରାଜ୍ୟ ମାନବାଧିକାର ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ ଆୟୋଗ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ, ପୁଲିସ ମହାନିର୍ଦେଶକ, ଦକ୍ଷିଣାଞ୍ଚଳ ଆରଡିସିଙ୍କୁ ରିପୋର୍ଟ ତଲବ କରିଥିଲେ। ଏହି ଘଟଣାର ତଦନ୍ତ ଲାଗି ରାଜ୍ୟ ସରକାର ଏକ କମିଶନ ମଧ୍ୟ ଗଠନ କରିଥିଲେ। କମିଶନଙ୍କ ସୁପାରିଶ ଅନୁସାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୫ଲକ୍ଷ ଓ ଆହତଙ୍କୁ ୫୦ହଜାର ଟଙ୍କାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏହାବାଦ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଥିଲା। ତେବେ ଆବେଦନକାରୀ ମୃତକଙ୍କ ପରିବାର ଓ ଆହତଙ୍କୁ ଅଧିକ କ୍ଷତିପୂରଣ ପ୍ରଦାନ କରିବାକୁ ଯୁକ୍ତି ଦର୍ଶାଇଥିଲେ। ଆବେଦନକାରୀଙ୍କ ଯୁକ୍ତି ଶୁଣିବା ପରେ ଆୟୋଗ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ଲକ୍ଷ ଓ ଆହତଙ୍କୁ ଆହୁରି ୫୦ହଜାର ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି।

Leave A Reply