ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ଟ୍ବେଣ୍ଟି୨୦: ନାଗାଲାଣ୍ଡକୁ ସହଜରେ ହରାଇଲା ଓଡ଼ିଶା

ଶୁଭ୍ରାଂଶୁଙ୍କ ବିସ୍ଫୋରକ ବ୍ୟାଟିଂ

କଟକ, ୧୭। ୧୧ (ନିପ୍ର): ଚଳିତ ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ଆନ୍ତଃରାଜ୍ୟ ପୁରୁଷ ସିନିୟର ଟ୍ବେଣ୍ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଦଳ ୩ୟ ବିଜୟ ହାସଲ କରିଛି। ଉଭୟ ବ୍ୟାଟ୍‌ସମ୍ୟାନ୍ ଓ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ରବିବାର ଦୁର୍ବଳ ନାଗାଲାଣ୍ଡକୁ ଓଡ଼ିଶା ୪୫ ରନ୍‌ରେ ପରାସ୍ତ କରିଛି। ଶୁଭ୍ରାଂଶୁ ସେନାପତିଙ୍କ ବିସ୍ଫୋରକ ୪୨ ରନ୍ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୨୦ ଓଭର ଶେଷରେ ୯ ୱିକେଟ ହରାଇ ୧୪୯ ରନ୍ କରିଥିଲା। ପରେ ଦୁଇ ଓଡ଼ିଶା ସ୍ପିନର ଗୋବିନ୍ଦ ପୋଦ୍ଦାର ଓ ପପ୍ପୁ ରାୟଙ୍କ ଚମତ୍କାର ବୋଲିଂ​‌ ଯୋଗୁଁ ୧୭ ଓଭରରେ ୧୦୪ ରନ୍‌କରି ନାଗାଲାଣ୍ଡ ଅଲ୍‌ଆଉଟ ହୋଇ ଯାଇଥିଲା। ଓଡ଼ିଶାର ଏହି ବିଜୟ ଫଳରେ ଗ୍ରୁପ୍ ‘ଇ’ରେ ୭ଟି ମ୍ୟାଚ୍ ପରେ ଓଡ଼ିଶା ୧୬ ପଏଣ୍ଟ ପାଇଛି। ସୋମବାର ଦିଲ୍ଲୀ ବିପକ୍ଷରେ ଓଡ଼ିଶା ୮ମ ତଥା ଅନ୍ତିମ ଲିଗ୍ ମ୍ୟାଚ୍ ଖେଳିବ।
ଟସ୍ ଜିତି ନାଗାଲାଣ୍ଡ ଫିଲ୍‌ଡିଂ ନେବା ପରେ ଓଡ଼ିଶାର ଓପ୍‌ନର ସନ୍ଦୀପ ପଟ୍ଟନାୟକ ୧ ରନ୍‌କରି ବିଦାୟ ନେଇଥିଲେ। ଅଧିନାୟକ ଗୋବିନ୍ଦ ପୋଦ୍ଦାର ଓ ଶୁଭ୍ରାଂଶୁ ସେନାପତି ୨ୟ ୱିକେଟ ପାଇଁ ୫୬ ରନ୍ ଯୋଗ କରିଥିଲେ। ଶୁଭ୍ରାଂଶୁ ଆକ୍ରମଣାତ୍ମକ ଇନିଂସ ଖେଳି ମାତ୍ର ୨୧ ବଲ୍‌ରୁ ୪ଟି ଛକା ଓ ୩ଟି ଚୌକା ସହ ୪୨ ରନ୍ କରିଥିଲେ। ଗୋବିନ୍ଦ ୧୮ ବଲ୍‌ରୁ ୧୭ ରନ୍‌କରି ବିଦାୟ ନେବାପରେ ପୂର୍ବତନ ଅଧିନାୟକ ବିପ୍ଳବ ସାମନ୍ତରାୟ ୯ ରନ୍‌କରି ବିଦାୟ ନେଇଥିଲେ। ୭୯ ବଲ୍‌ରେ ୪ଟି ୱିକେଟ ପଡ଼ିଯିବା ପରେ ରାଜେଶ ଧୁପର ଓ ଅଭିଷେକ ରାଉତ ୫ମ ୱିକେଟ ପାଇଁ ୮ ଓଭରରେ ୫୮ ରନ୍ ଯୋଡ଼ିଥିଲେ। ଅଭିଷେକ ରାଉତ ୨୯ ବଲ୍‌ରୁ ୩୬ ରନ୍ କରିଥିଲେ। ପରେ ଅଙ୍କିତ ଯାଦବ ୪, ପ୍ରୟାସ ସିଂହ ଠାକୁର ୨, ସୂର୍ଯ୍ୟକାନ୍ତ ପ୍ରଧାନ ୩ ଓ ରାଜେଶ ମହାନ୍ତି ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ରାଜେଶ ଧୁପର ଦୀର୍ଘ ସମୟ କ୍ରିଜ୍‌ରେ ରହି ୩୦ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୩ ରନ୍‌କରି ଅପରାଜିତ ଥିଲେ। ନାଗାଲାଣ୍ଡ ପାଇଁ ଷ୍ଟୁଆର୍ଟ ବିନ୍ନି ଓ ଇମ୍‌ଲିୱାତି ଲେମ୍‌ଟୁର ୨ଟି ଲେଖାଏଁ ୱିକେଟ ନେଇଥିଲେ। ୧୫୦ ରନ୍‌ର ପିଛା କରିଥିବା ନାଗାଲାଣ୍ଡ ଦୃଢ଼ତାର ସହ ଇନିଂସ ଆରମ୍ଭ କରିଥିଲା। ୯ ଓଭରରେ ନାଗାଲାଣ୍ଡ ୧ ୱିକେଟ ହରାଇ ୬୧ ରନ୍ କରିଥିଲା। ୮୮ ରନ୍‌ରେ ନାଗାଲାଣ୍ଡ ଶେଷ ୯ଟି ୱିକେଟ ହରାଇ ଅଲ୍‌ଆଉଟ ହୋଇ ଯାଇଥିଲା। ଆଓସାସି ଲଙ୍ଗ୍‌ଚାର ୧୪ ରନ୍ କରିଥିଲେ। ପରେ ଯୋଗେଶ ଟାକାୱାଲେ ୩୦ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୧ ରନ୍‌ କରିଥିଲେ। ଶ୍ରୀକାନ୍ତ ମୁଣ୍ଢେ ୧୭ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୦ ରନ୍ କରିଥିଲେ। ଅାନ୍ତର୍ଜାତିକ ଅଲ୍‌ରାଉଣ୍ଡର ଷ୍ଟୁଆର୍ଟ ବିନ୍ନି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ ହେଁ ଅନ୍ୟପଟୁ ୱିକେଟ ପଡ଼ିଯିବାରୁ ନାଗାଲାଣ୍ଡ ଶେଷ ୮ ଓଭରରେ ୯ଟି ୱିକେଟ ହରାଇ ପରାସ୍ତ ହୋଇଥିଲା। ଷ୍ଟୁଆର୍ଟ ବିନ୍ନି ୨୦ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୧ ରନ୍‌କରି ଅପରାଜିତ ଥିଲେ। ଗୋବିନ୍ଦ ପୋଦ୍ଦାର ଓ ପପ୍ପୁ ରାୟ ୩ଟି ଲେଖାଏଁ ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ ୨ଟି ୱିକେଟ ନେଇଥିଲେ।

Comments are closed.