ଓଡ଼ିଶା ବିଧାନ ପରିଷଦ: ଖୁବ୍‌ଶୀଘ୍ର ସରକାରଙ୍କୁ ରିପୋର୍ଟ ଦେବ କମିଟି

0

ଭୁବନେଶ୍ବର : ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ ବିଧାନସଭାରେ ସଙ୍କଳ୍ପ ପାରିତ ହେବ। ସଂସଦର ଉଭୟ ଲୋକସଭା ଓ ରାଜ୍ୟସଭାର ଏ ସଂକ୍ରାନ୍ତ ବିଧେୟକ ଆସିବ। ସଂସଦର ଅନୁମୋଦନ ପରେ ଏହି ବିଧେୟକ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଁ ପଠାଯିବ। ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କରିବା ପରେ ରାଜ୍ୟରେ ବିଧାନ ପରିଷଦ ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହେବ। ଏ ସମ୍ପର୍କରେ ଅନୁଧ୍ୟାନ ପାଇଁ ଗଠିତ କମିଟିର ମୁଖ୍ୟ ତଥା ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଏହି ସୂଚନା ଦେଇଛନ୍ତି।
ଅନ୍ୟ ରାଜ୍ୟରେ ବିଧାନ ପରିଷଦ ଗଠନ ଓ ଏହାର ପରିଚାଳନା ସମ୍ପର୍କିତ ବ୍ୟବସ୍ଥା ଅନୁଧ୍ୟାନ କରି ଶ୍ରୀ ସାହୁଙ୍କ ନେତୃତରେ ଗଠନ କରାଯାଇଥିବା କମିଟିର ସଦସ୍ୟମାନେ ଫେରି ବୁଧବାର ଏହି ସୂଚନା ଦେଇଛନ୍ତି। ଏହି କମିଟି ମହାରାଷ୍ଟ୍ର, କର୍ଣ୍ଣାଟକ, ବିହାର ଓ ତେଲେଙ୍ଗାନା ଆଦି ଚାରିଟି ରାଜ୍ୟରେ ଥିବା ବିଧାନ ପରିଷଦ ସମ୍ପର୍କିତ ବ୍ୟବସ୍ଥାର ଅନୁଧ୍ୟାନ କରିଛି। ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି, ତେଲେଙ୍ଗାନାରେ ବିଧାନ ପରିଷଦର ଗଠନ ନେଇ ହୋଇଥିବା ସଙ୍କଳ୍ପ ଅଣାଯାଇଛି। ଏହାକୁ ପରୀକ୍ଷା ନିରୀକ୍ଷା କରି କମିଟି ସରକାରଙ୍କୁ ଖୁବଶୀଘ୍ର ରିପୋର୍ଟ ପ୍ରଦାନ କରିବ। ସରକାର ଏହାକୁ ଅନୁଧ୍ୟାନ କରିବେ। ଆସନ୍ତା ବିଧାନସଭାଅଧିବେଶନରେ ଏ ସଂକ୍ରାନ୍ତ ସଙ୍କଳ୍ପ ଆସିବା ସମ୍ଭାବନା ରହିଛି। ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନରେ ସଙ୍କଳ୍ପ ପାରିତ ହେବ।
ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି, ଓଡ଼ିଶାରେ ବିଧାନ ପରିଷଦ ଗଠନ ହେଲେ ଏହା ୪୯ ସଦସ୍ୟ ବିଶିଷ୍ଟ ହେବ। ବିଧାୟକଙ୍କ ଦ୍ବାରା ୧୬ଜଣ, ଜିଲା ପରିଷଦ ଓ ପୌରାଞ୍ଚଳରୁ ୧୬ଜଣ, ୪ଜଣ ଗ୍ରାଜୁଏଟ ଏବଂ ୪ଜଣ ଶିକ୍ଷକ ନିର୍ବାଚିତ ହେବେ। ପରିଷଦକୁ ରାଜ୍ୟପାଳ ୯ ଜଣ ସଦସ୍ୟଙ୍କୁ ମନୋନୀତ କରିବେ। ବିଧାନ ପରିଷଦ ପାଇଁ ଆସନ ସଂରକ୍ଷଣ ବ୍ୟବସ୍ଥା ନାହିଁ। ଅଧିବେଶନ ବସିବା ବେଳେ ଏକ ସଙ୍ଗରେ ବିଧାନସଭା ଓ ବିଧାନ ପରିଷଦର ବୈଠକ ବସିବ। ବିଧାନସଭା ସଦସ୍ୟଙ୍କ ପରି ବିଧାନ ପରିଷଦ ସଦସ୍ୟଙ୍କୁ ଦରମା, ଭତ୍ତା, ବିଧାୟକ ପାଣ୍ଠି ଅର୍ଥ, ସରକାରୀ ଘର ଆଦି ସମସ୍ତ ସୁବିଧା ସୁଯୋଗ ମିଳିବ। ସେମାନେ ପେନସନ ମଧ୍ୟ ପାଇବେ। ଉପରୋକ୍ତ ରାଜ୍ୟଗୁଡ଼ିକ ଗସ୍ତ କରି ବିଧାନ ପରିଷଦ ଗଠନ ସଂକ୍ରାନ୍ତ ତଥ୍ୟ ସଂଗ୍ରହ ବେଳେ ସବୁ ରାଜ୍ୟରେ ପରିଷଦ ଗଠନର ଆବଶ୍ୟକତା ଥିବା ସେଠାକାର ପରିଷଦର ସଦସ୍ୟ ଓ ଅଧିକାରୀମାନେ କହିଥିବା ଶ୍ରୀ ସାହୁ କହିଛନ୍ତି।
ସୂନାଯୋଗ୍ୟ ଯେ କମିଟି ସଦସ୍ୟମାନେ ପୂର୍ବରୁ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ବିଧାନ ପରିଷଦ ଗଠନ ପ୍ରକ୍ରିୟା ଅନୁଧ୍ୟାନ କରିଥିଲେ। ଏବେ ବିହାର ଓ ତେଲେଙ୍ଗାନାରେ ପରିଷଦ ଗଠନ ସଂକ୍ରାନ୍ତ ତଥ୍ୟ ସଂଗ୍ରହ କରିଛନ୍ତି। କମିଟିରେ ବିଧାୟକ ମନୋହର ରାନ୍ଧାରୀ ଓ ପ୍ରମିଳା ମଲ୍ଲିକ ଯାଇଥିଲେ। ସେମାନଙ୍କ ସହ ସଂସଦୀୟ ବ୍ୟାପାର ବିଭାଗ ଓ ବିଧାନସଭା ସଚିବ ଓ ଉପ ସଚିବ ଗସ୍ତ କରିଥିଲେ।

ପ୍ରତିକ୍ରିୟା

ଅମର ପ୍ରସାଦ ଶତପଥୀ(ସରକାରୀ ଦଳ ମୁଖ୍ୟ ସଚେତକ):

ଓଡ଼ିଶା ବିଧାନ ପରିଷଦ ଗଠନର ଆବଶ୍ୟକତା ଥିବା ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଛନ୍ତି। ଏହାଦ୍ବାରା ବିଧାନସଭାକୁ ସିଧା ସଳଖ ନିର୍ବାଚିତ ହୋଇପାରୁନଥିବା ବିଭିନ୍ନ କ୍ଷେତ୍ରରୁ ଅଧିକ ପ୍ରତିନିଧିତ୍ବ ମିଳିବ। ବିଭିନ୍ନ ଯୋଜନା ଏବଂ ନୀତି ନିୟମ ପ୍ରଣୟନ କ୍ଷେତ୍ରରେ ବିଧାନ ପରିଷଦର ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ ରହିବ।

ନିରଞ୍ଜନ ପଟ୍ଟନାୟକ(ପିସିସି ସଭାପତି):

ବିଧାନ ପରିଷଦ ଗଠନ ପ୍ରକ୍ରିୟା ତ୍ବରାନ୍ବିତ କରିବା ପଛରେ ବିଜେଡିର ରାଜନୈତିକ ଉଦ୍ଦେଶ୍ୟ ଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ନିଜ ଦଳର ଅସନ୍ତୁଷ୍ଟଙ୍କୁ ଥଇଥାନ କରିବା ପାଇଁ ରାଜ୍ୟ ସରକାର ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନିର୍ବାଚନ ପୂର୍ବରୁ ଏହା ଲଲିପପ୍ ସଦୃଶ ବୋଲି କହି ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।

କନକ ବର୍ଦ୍ଧନ ସିଂହଦେଓ(ବିଜେପି ବିଧାୟକ ଦଳ ନେତା):

ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ କହିଛନ୍ତି, ବଡ଼ ବଡ଼ ରାଜ୍ୟରେ ବିଧାନ ପରିଷଦ ଗଠନର ଆବଶ୍ୟକତା ରହିଛି। ଓଡ଼ିଶାରେ ଏହାର ଆବଶ୍ୟକତା ନଥିବା ବେଳେ ସରକାର କେବଳ ନିଜ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଥଇଥାନ କରିବା ପାଇଁ ଏଭଳି ପଦକ୍ଷେପ ନେଉଛନ୍ତି।

Leave A Reply