ଓଡ଼ିଶାରେ ବିଧାନ ପରିଷଦ – ଏକ ପ୍ରଶ୍ନବାଚୀ

କଟକ : ଓଡ଼ିଶାରେ ପ୍ରସ୍ତାବିତ ବିଧାନ ପରିଷଦ ଗଠନର ଆବଶ୍ୟକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି। ଏହି ପ୍ରସଙ୍ଗକୁ ନେଇ ବିଜେଡି ସରକାର ବିରୁଦ୍ଧରେ ବିଜେପି ଏବଂ କଂଗ୍ରେସ ଆକ୍ରମକ ଆଭିମୁଖ୍ୟ ପୋଷଣ କରିଛନ୍ତି। ସଂସଦର ଶୀତକାଳୀନ ଅଧିବେଶନରେ ଓଡ଼ିଶାରେ ବିଧାନ ପରିଷଦ ଗଠନର ମାର୍ଗ ପ୍ରଶସ୍ତ କରିବା ବିଜୁ ଜନତା ଦଳ ପାଇଁ ଏକ ପ୍ରମୁଖ ପ୍ରସଙ୍ଗ ହେବ। ଯଦିଓ ବିିଜେଡି ସଂସଦୀୟ ଦଳ ମହିଳା ସଂରକ୍ଷଣ ବିଧେୟକ, ଟେଲିକମ୍‍ ସେବାର ବ୍ୟାପକତା, ଜାତୀୟ ରାଜପଥ ସଂପ୍ରସାରଣ, ପୋଲାଭରମ୍‍ ପ୍ରକଳ୍ପ, ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡାଣ, ବକେୟା ପିଡିଏସ ରିଆତି ଆଦି ବିଷୟ ବିଜେଡିର ଏଜେଣ୍ଡାରେ ଅଛି; କିନ୍ତୁ ଦଳର ପ୍ରାଥମିକତା ବିଧାନ ପରିଷଦ ଗଠନ ନେଇ ସାମ୍ବିଧାନିକ ମଞ୍ଜୁରୀ ଉପରେ ରହିଛି। ଓଡ଼ିଶାରେ ବିଧାନ ପରିଷଦ ନେଇ ସଂସଦୀୟ ଔପଚାରିକତା ପୂରଣ କରିବା ପ୍ରସଙ୍ଗ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଲୋକସଭା ବାଚସ୍ପତିଙ୍କ ଦ୍ୱାରା ଡକାଯାଇଥିବା ସର୍ବଦଳୀୟ ବୈଠକରେ ମଧ୍ୟ ଉଠାଇଥିଲା। ଶ୍ରୀ ମିଶ୍ରଙ୍କ ଅନୁସାରେ ଏଥିପାଇଁ ସଂଶୋଧନ ବିଧେୟକ ପାଇଁ ବିଜେଡି ସାଂସଦମାନେ ଦାବି କରିଛନ୍ତି। ପ୍ରସ୍ତାବିତ ବିଧାନ ପରିଷଦରେ ଅନୁସୂଚିତ ଜାତି, ଜନଜାତି ଏବଂ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ରହିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

courtesy : india.com

ଓଡ଼ିଶା ବିଧାନସଭାରେ ୨୦୧୮ ଡିସେମ୍ବର ୭ ତାରିଖରେ ବିଧାନ ପରିଷଦ ଗଠନ ପ୍ରସ୍ତାବ ଗୃହୀତ ହୋଇଥିଲା। ସେତେବେଳେ କଂଗ୍ରେସ ଓ ବିଜେପି ବିଧାୟକମାନେ କକ୍ଷତ୍ୟାଗ କରିଥିଲେ। କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‍, ଓଡ଼ିଶା ଭଳି ପଛୁଆ ରାଜ୍ୟରେ ବିଧାନ ପରିଷଦ ଗଠନର ଆବଶ୍ୟକତା ନେଇ ପ୍ରଶ୍ନ ଉଠାଇଛନ୍ତି। ମହମ୍ମଦ ମୋକିମ୍‍ କହିଛନ୍ତି ଏହା ରାଜ୍ୟ ପାଇଁ ଆର୍ଥିକ ବୋଝ ପାଲଟିବ। ପ୍ରତ୍ୟେକ ବର୍ଷ ଏ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳ ନିଜର ଖାସ୍‍ ଲୋକଙ୍କ ପ୍ରତି ଅନୁଗତ୍ୟ ପ୍ରକାଶ କରି ସେମାନଙ୍କୁ ବିଧାନପରିଷଦର ସଦସ୍ୟ କରିବାକୁ ଚାହୁଁଛି। ନିଜ ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ବିଧାନ ପରିଷଦ ଗଠନର କ’ଣ ଆବଶ୍ୟକତା ରହିଛି ସେ ନେଇ ମୋକିମ୍‍ ପ୍ରଶ୍ନ କରିଛନ୍ତି। ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଯେ ଏହାଦ୍ୱାରା ଦ୍ରୁତ ଗତିରେ ରାଜ୍ୟର ବିକାଶ ହୋଇପାରିବ। ଅନେକ ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା ହୋଇପାରିବ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ବ୍ୟବସ୍ଥା ରହିଛି ତେଣୁ ବିଧାନ ପରିଷଦ ଗଠନରେ କୌଣସି ଅସୁବିଧା ନାହିଁ। ତେବେ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି, ନିଜ ସ୍ୱାର୍ଥ ସାଧନ ପାଇଁ ଜନସାଧାରଣଙ୍କ ଅର୍ଥରେ ବିଧାନ ପରିଷଦ ଗଠନ କରାଯାଉଛି। ଏହାଦ୍ୱାରା ନବୀନ ବାବୁ ନିର୍ବାଚନ ହାରୁଥିବା ଅବା ଟିକେଟ ପାଉ ନଥିବା ନେତାଙ୍କୁ ଥଇଥାନ କରିପାରିବେ।

Image Source : Times of India

ବର୍ତ୍ତମାନ ସାତୋଟି ରାଜ୍ୟରେ ବିଧାନ ପରିଷଦ ଅଛି। ଯିଦ ଓଡ଼ିଶାରେ ବିଧାନ ପରିଷଦ ଗଠନ ହୁଏ ତେବେ ରାଜ୍ୟରେ ଦୁଇଟି ସଦନ ବିଶିଷ୍ଟ ଶାସନ ବ୍ୟବସ୍ଥା ଲାଗୁ କରିବାରେ ଏହା ଅଷ୍ଟମ ରାଜ୍ୟ ହେବ। ୨୦୧୫ରେ ବିଧାନସଭାର ୫ ଜଣ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇ ଥିଲା। ବିଭିନ୍ନ ରାଜ୍ୟରେ ବିଧାନ ପରିଷଦର ଢ଼ାଞ୍ଚା ଏବଂ କାର୍ଯ୍ୟକାରିତା ବିଷୟରେ ଅନୁଧ୍ୟାନ କରିବା ପାଇଁ ସେମାନେ ଗସ୍ତ କରିଥିଲେ। ସେହି ଗସ୍ତ ଆଧାରରେ ୨୦୧୮ ଅଗଷ୍ଟ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିମଣ୍ଡଳ ବିଧାନ ପରିଷଦ ଗଠନକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ୨୦୧୮ ଡିସେମ୍ବର ୭ ତାରିଖରେ ବିରୋଧୀ ଦଳଙ୍କ କକ୍ଷ ତ୍ୟାଗ ସତ୍ତ୍ବେ ବିଧାନସଭାରେ ଏହାର ଗଠନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା।
ପ୍ରସ୍ତାବିତ ଓଡ଼ିଶା ବିଧାନ ପରିଷଦରେ ୪୯ ସଦସ୍ୟ ରହିବେ। ଯେଉଁଥିରୁ ୯ ସଦସ୍ୟ ମନୋନୀତ ହେବେ ଓ ଅନ୍ୟମାନେ ନିର୍ବାଚିତ ହେବେ। ବିଧାନସଭା ସଦସ୍ୟଙ୍କ ଭଳି ସେମାନଙ୍କର ବେତନ ଓ ଭତ୍ତା ବ୍ୟବସ୍ଥା ରହିବ। ସଦସ୍ୟମାନଙ୍କର କାର୍ଯ୍ୟକାଳ ୬ ବର୍ଷ ହେବ, କିନ୍ତୁ ପ୍ରତି ଦୁଇ ବର୍ଷରେ ଏକ ତୃତୀୟାଂଶ ସଦସ୍ୟ ଅବସର ନେବେ। ସମ୍ବିଧାନର ଧାରା ୧୭୧ ଅଧୀନରେ ବିଧାନ ପରିଷଦର ସଦସ୍ୟଙ୍କ ସର୍ବାଧିକ ସଂଖ୍ୟା ବିଧାନସଭାର ମୋଟ ସଦସ୍ୟଙ୍କ ସଂଖ୍ୟାର ଏକ ତୃତୀୟାଂଶ ଅବା ସର୍ବନିମ୍ନ ୪୦ ହେବା ଆବଶ୍ୟକ। ରାଜ୍ୟ ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା ହେଉଛି ୧୪୭। ଓଡ଼ିଶାରେ ଯଦି ବିଧାନ ପରିଷଦ ଗଠନ ହେବ ତେବେ ସେମାନଙ୍କର ନିର୍ବାଚନ ଏହି ପ୍ରକାରରେ ହେବ। ଏକ ତୃତୀୟାଂଶ ସଦସ୍ୟ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା, ପୌର ପାଳିକା, ନଗର ନିଗମ ଅବା ଜିଲ୍ଲା ପରିଷଦ ଦ୍ୱାରା ନିର୍ବାଚିତ ହେବେ। ଏକ ତୃତୀୟାଂଶ ସଦସ୍ୟ ବିଧାନସଭାର ସଦସ୍ୟଙ୍କ ଦ୍ୱାରା ନିର୍ବାଚିତ ହେବେ। ୧/୧୨ ସଦସ୍ୟଙ୍କ ନିର୍ବାଚନ ତିନି ବର୍ଷ ପୂରଣ କରି ସାରିଥିବା ସ୍ନାତକଙ୍କ ଦ୍ୱାରା କରାଯାଇଥାଏ। ସେହିପରି ୧/୧୨ ସଦସ୍ୟଙ୍କ ନିର୍ବାଚନ ସେହି ଅଧ୍ୟାପକମାନଙ୍କ ଦ୍ୱାରା କରାଯିବ ଯେଉଁମାନେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅବା ଉଚ୍ଚ ଶିକ୍ଷା ପ୍ରତିଷ୍ଠାନରେ ତିନି ବର୍ଷ ଶିକ୍ଷାଦାନ କରିଥିବେ। ଅବଶିଷ୍ଟ ୧/୬ ସଦସ୍ୟ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ହେବେ। କଳା, ସାହିତ୍ୟ, ବିଜ୍ଞାନ, ସମବାୟ ଆନ୍ଦୋଳନ ଏବଂ ସମାଜ ସେବା କ୍ଷେତ୍ରରେ ବିଶେଷ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ରାଜ୍ୟପାଳ ମନୋନୀତ କରିବେ।
ବିଧାନ ପରିଷଦ ଗଠନ ନେଇ ଏଇ ପ୍ରକାରର ମୁଖ୍ୟ ସାମ୍ବିିଧାନିକ ବ୍ୟବସ୍ଥା ରହିଛି। ସାମ୍ବିିଧାନର ଧାରା ୧୬୯, ୧୭(୧), ୧୭(୨) ଅନୁସାରେ ବିଧାନ ପରିଷଦ ଗଠନର ବ୍ୟବସ୍ଥା ରହିଛି। ପ୍ରତ୍ୟେକ ରାଜ୍ୟ ଧାରା ୧୬୯ ଅଧୀନରେ ନିଜ ଇଚ୍ଛା ଅନୁସାରେ ବିଧାନ ପରିଷଦ ଗଠନ କରି ପରିବେ। ଏହାର ଗଠନ ପାଇଁ ରାଜ୍ୟ ବିଧାନସଭାରେ ଦୁଇ ତୃତୀୟାଂଶ ବହୁମତରେ ଗୃହୀତ ପ୍ରସ୍ତାବକୁ ସଂସଦର ଅନୁମୋଦନ ପାଇଁ ପଠାଯିବ। ଏହି କାର୍ଯ୍ୟ ଓଡ଼ିଶା ସରକାର କରି ସାରିଛନ୍ତି। ଲୋକସଭା ଏବଂ ରାଜ୍ୟସଭାରେ ସାମାନ୍ୟ ବହୁମତରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳବା ପରେ ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ବା ମଞ୍ଜୁରୀ ପାଇଁ ପଠାଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ବିଧାନ ପରିଷଦ ଗଠନ ହୋଇପାରିବ।

– ମହେଶ ଶର୍ମା

    ଭାଷାନ୍ତର : ଅମୂଲ୍ୟ କୁମାର ହୋତା

Comments are closed.