ଦେଶର ଶ୍ରେଷ୍ଠ ୩ ନିବେଶ ସ୍ଥଳରେ ଓଡ଼ିଶା : ମୁଖ୍ୟମନ୍ତ୍ରୀ

ଓଡ଼ିଶା ଟ୍ରାଭେଲ ବଜାର ୨୦୧୯ ଉଦ୍‌ଘାଟିତ

ଭୁବନେଶ୍ୱର: ସମ୍ପ୍ରତି ଟ୍ରାଭେଲ ଏବଂ ପର୍ଯ୍ୟଟନ କ୍ଷେତ୍ର ହେଉଛି ବିଶ୍ବରେ ସବୁଠାରୁ ଦ୍ରୁତ ଅଭିବୃଦ୍ଧିକାରୀ କ୍ଷେତ୍ର। ଏହି ସବୁ କ୍ଷେତ୍ରରେ ସବୁ ସମୟରେ ସମ୍ପ୍ରସାରଣ ଘଟୁଛି। ରାଜ୍ୟ ଏବେ ଦେଶର ଶ୍ରେଷ୍ଠ ୩ ନିବେଶ ସ୍ଥଳ ମଧ୍ୟରେ ସ୍ଥାନିତ ହୋଇଛି। ଓଡ଼ିଶାରେ ଚିଲିକା, ସାତ​କୋଶିଆ, ଭିତରକନିକା ଏବଂ ଦେବ୍ରିଗଡ ଭଳି ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ରହିଛି । ସମ୍ପ୍ରତି ବିଶ୍ବ ପର୍ଯ୍ୟଟକ ଆଗମନ କ୍ଷେତ୍ରରେ ଅଭିବୃଦ୍ଧି ୪% ରହିଥିବାବେଳେ ଓଡ଼ିଶା ଏ କ୍ଷେତ୍ରରେ ୯% ଅଭିବୃଦ୍ଧି ହାସଲ କରିଥିବା ସୋମବାର ଓଡ଼ିଶା ଟ୍ରାଭେଲ ବଜାର ୨୦୧୯ର ତୃତୀୟ ସଂସ୍କରଣକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ୩୭% ଅଞ୍ଚଳ ଜଙ୍ଗଲ ପରିପୂର୍ଣ୍ଣ ହୋଇଥିବା ଦୃଷ୍ଟିରୁ ଏବେ ଜଙ୍ଗଲ ବିଭାଗ ପରିବେଶ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବ। ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ବ ସ୍ବରୂପ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କଠାରେ ମାସେ କାଳ ​ ‘କୋଣାର୍କ ଣାର୍କ ସନ୍‌ ସିଟି ଫେ​‌ଷ୍ଟିଭାଲ’ ଅନୁଷ୍ଠିତ ହେବାକୁ ଯାଉଛି। ଗୁଜରାଟରେ ଯେଭଳି ‘ରାନ୍‌ ଅଫ୍‌ କଚ୍ଛ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ‘କୋଣାର୍କ ଣାର୍କ ସନ୍‌ ସିଟି ଫେ​‌ଷ୍ଟିଭାଲ’ ସେହିଭଳି ଭାବେ ଆୟୋଜନ କରାଯିବ। ସେହିପରି ଶାମୁକା ସ୍ବତନ୍ତ୍ର ପର୍ଯ୍ୟଟନ ପ୍ରକଳ୍ପର ଖୁବ୍‌ ଶୀଘ୍ର ବିକାଶ କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଥିଲେ।
ଏଥିରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଲେ, ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ବହୁ ସୁଯୋଗ ରହିଛି। ଏଠାରେ ସଡକ ଭିତ୍ତିଭୂମି ବେଶ ସୁଦୃଢ ରହିଛି। ଏମିତିକି ଗ୍ରାମାଞ୍ଚଳରେ ରାସ୍ତାଘାଟରେ ବିଶେଷ​‌ ଉନ୍ନତି ଘଟିଛି। ଏସବୁ ପର୍ଯ୍ୟଟନ ​କ୍ଷେତ୍ର  ପାଇଁ ବେଶ ସହାୟକ ହେଉଛି। ହକି ବିଶ୍ବ କପ୍‌ ପରେ ରାଜ୍ୟରେ ଏ​​‌ବେ‌ କ୍ରୀଡା ମାଧ୍ୟମରେ ପର୍ଯ୍ୟଟନର ବିକାଶ କରାଯାଉଛି। ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ୫ଟି ବ୍ୟବସ୍ଥାକୁ ବିଶେ​‌​ଷ ଗୁରୁତ୍ବ ଦିଆଯାଉଛି। ଆମର ସାଧାରଣତଃ ଅକ୍ଟୋବରରୁ  ଜାନୁଆରୀ ମଧ୍ୟରେ ପର୍ଯ୍ୟଟକ ଆସିଥାନ୍ତି। ଚଳିତଥର ଏହି ସମୟ ମଧ୍ୟରେ ଆମେ ୨ କୋଟି ୫୦ ଲକ୍ଷ ପର୍ଯ୍ୟଟକ ରାଜ୍ୟକୁ ଆସିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଉତ୍ସବରେ ବକ୍ତବ୍ୟ ରଖି ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ କହିଲେ, ବିଗତ ଦୁଇ ଦଶନ୍ଧୀ ହେବ ଓଡ଼ିଶା ଆର୍ଥିକ କ୍ଷେତ୍ରରେ ବେଶ ଉତ୍ତମ ପ୍ରଦର୍ଶନ କରୁଛି। ସମସ୍ତ ସାମାଜିକ ମାନଦଣ୍ଡରେ ରାଜ୍ୟ ଦେଶରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ। ଏମିତି କୌଣସି ଦିନ ନାହିଁ ଯେଉଁଦିନ ଏଠାରେ ବ୍ୟବସାୟ ବା ଶିଳ୍ପ ପ୍ରତିଷ୍ଠା ନେଇ ରାଜ୍ୟ ସରକାର କୌଣସି ବ୍ୟକ୍ତିବିଶେଷ ବା କମ୍ପାନୀ ସହ ଆଲୋଚନା କରିନାହାନ୍ତି। ଓଡ଼ିଶା ବର୍ତ୍ତମାନ ଦେଶର ଏକ ସମ୍ଭାବନା ଥିବା ରାଜ୍ୟ ଭାବେ ଉଭା ହୋଇଛି। ତେବେ ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ହୋଟେଲ ରୁମ୍‌ର ସମସ୍ୟା ଥିବା ଶ୍ରୀ ତ୍ରିପାଠୀ ସ୍ବୀକାର କରିଛନ୍ତି। ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ପୁରୀ ଶ୍ରୀ ମନ୍ଦିରର ଉନ୍ନତୀକରଣ କରୁଛନ୍ତି। ସେଠାରୁ ଜାତୀୟ ରାଜପଥକୁ ଏକ ପ୍ରତିଷ୍ଠିତ ବ୍ରିଜ୍‌ ନିର୍ମାଣ କରାଯିବ। ଆଗାମୀ ୨-୩ ମାସ ମଧ୍ୟରେ ପୁରୀକୁ ଏକ ଐତିହ୍ୟ ସହରରେ ପରିଣତ କରାଯିବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଥିଲେ।
କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର କମିସନର ତଥା ସଚିବ ବିଶାଳ କୁମାର ଦେବ, ପର୍ଯ୍ୟଟନ ନିର୍ଦେଶକ ସଚିନ ଯାଦବ, ଫିକି ପୂର୍ବାଞ୍ଚଳ କ୍ଷେତ୍ର ପର୍ଯ୍ୟଟନ କମିଟି ଅଧ୍ୟକ୍ଷ ସୌଭାଗ୍ୟ ମହାପାତ୍ର, ଫିକି ଜାତୀୟ ପର୍ଯ୍ୟଟନ କମିଟିର ସହାଧ୍ୟକ୍ଷ ଜେ.କେ. ମହାନ୍ତି ଏବଂ ଫିକିର ପୂର୍ବତନ ଅଧ୍ୟକ୍ଷା ତଥା ଲଳିତ ସୁରୀ ହସ୍‌ପିଟାଲିଟି ଗ୍ରୁପର ସିଏମ୍‌ଡି ଡ. ଜ୍ୟୋତ୍ସା ସୁରୀ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।
ଓଡ଼ିଶା ଟ୍ରାଭେଲ ବଜାର ଚଳିତ ମାସ ୨୦ ଯାଏ ଚାଲିବ। ଏଥିରେ ଘରୋଇ କ୍ଷେତ୍ରର ୬୦ ଏବଂ ବିଦେଶରୁ ୨୫ ଜଣ ଟୁର ଅପରେଟର ଯୋଗଦେଇଛନ୍ତି। ଆହୁରି ମଧ୍ୟ ଏଥିରେ ରାଜ୍ୟରୁ ୫୩ ଜଣ ବିକ୍ରେତା ଯୋଗଦାନ କରିଛନ୍ତି।

Comments are closed.